କର୍ଣ୍ଣାଟକ ହନୁମାନଙ୍କୁ ଦର୍ଶନ କଲେ ମିଳୁଛି ରୋଗରୁ ମୁକ୍ତି, ପୂରଣ ହେଉଛି ମନସ୍କାମନା

କର୍ଣ୍ଣାଟକ: ଦେବଭୂମି ଭାରତକୁ ମନ୍ଦିର ଦେଶ ବୋଲି କୁହାଯାଏ । ଏହି ପବିତ୍ର ଦେଶରେ ଏମିତି ଅନେକ ମନ୍ଦିର ଅଛି ଯେଉଁଠାରେ କେତେକେତେ ଚମତ୍କାର ଓ ରହସ୍ୟ ସବୁ ଲୁଚି ରହିଛି । ଯାହାକୁ ଏ ଛାର ମଣିଷ ବୁଝି ପାରିନି କି ଖୋଜି ପାଇନି । ଏମିତି ଏକ ହନୁମାନ ମନ୍ଦିର ରହିଛି କର୍ଣ୍ଣାଟକରେ । ଯାହାଙ୍କୁ ଦର୍ଶନ କରିବା ମାତ୍ରେ ସମସ୍ତ ରୋଗ ଦୂର ହୋଇଯାଏ ବୋଲି ବିଶ୍ଵାସ ରହିଛି ।
ଭାରତ ହେଉଛି ଆସ୍ଥା ଓ ବିଶ୍ଵାସର କେନ୍ଦ୍ରଭୂମି ।  ଏମିତି କିଛି ମନ୍ଦିର ରହିଛି ଯେଉଁଠିକୁ ଗଲେ କିମ୍ବା ଠାକୁରଙ୍କୁ ଦର୍ଶନ କଲେ ତାଙ୍କର ଉପସ୍ଥିତି ଅନୁଭବ ହୋଇଥାଏ ।  କର୍ଣ୍ଣାଟକର ଏହି ମନ୍ଦିରରେ ଭାରତର ସଭ୍ୟତା ଓ ସଂସ୍କୃତି ବାରି ହୋଇପଡେ । ମନ୍ଦିରରେ ରହିଥିବା କିଛି ଖାସ ବିଷୟ ହେତୁ ବିଶ୍ଵରେ ବେଶ ପ୍ରସିଦ୍ଧି ଲାଭ କରିଛି । ଏହି ମନ୍ଦିରରେ ଶ୍ରୀହନୁମାନଙ୍କୁ ଦର୍ଶନ କଲେ ରୋଗ ଭଲ ହେବା ସହିତ ମଣିଷର ସବୁ ଦୁଃଖ କଷ୍ଟ ଦୂର ହୋଇଯାଏ ବୋଲି ବିଶ୍ବାସ ରହିଛି ।

ହନୁମାନଜୀଙ୍କର ଏହି ଚମତ୍କାର ମନ୍ଦିର କର୍ଣ୍ଣାଟକର ହବଲୀ ଠାରେ ଥିବା ବାର ଭଦ୍ରେଶ୍ୱର୍ ଙ୍କ ମନ୍ଦିର ସମ୍ମୁଖରେ ରହିଛି । ଏହି ମନ୍ଦିର ମୁଦି ହନୁମାନ ଦେବାଳୟ ଭାବରେ ବେଶ ଜଣାଶୁଣା । କୁହାଯାଏ କି ମନ୍ଦିରର ନିର୍ମାଣ ଦଶମ ଓ ଦ୍ଵାଦଶ ଶତାବ୍ଦୀରେ ଚାଲୁକ୍ୟ ବଂଶର ରାଜାଙ୍କ ଶାସନ ସମୟରେ ହୋଇଥିଲା । ଏହି ମନ୍ଦୁରରେ ସୂର୍ଯ୍ୟ ଦେବତାଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଛି ।
କୁହାଯାଏ କି ଏହି ମନ୍ଦିରରେ ହନୁମାନଙ୍କର ୩ଟି ରୂପରେ ଦର୍ଶନ ହୋଇଥାଏ । ସକାଳ ସମୟରେ ବାଳକ ରୂପରେ ମଧ୍ୟାହ୍ନ ରେ ଯୁବକ ଏବଂ ରାତିରେ ତାଙ୍କର ବୟସ ବଢିଯାଏ ଯାହା ଫଳରେ ସେ ବୁଢ଼ା ହୋଇଯାନ୍ତି । ଏଭଳି ଭିନ୍ନ ରୂପରେ ହନୁମାନଙ୍କୁ ଦେଖିବାକୁ ମିଳେ । ଏହି ମନ୍ଦିରର ନିର୍ମାଣ ଶୈଳୀ ଠିକ୍‌ ଘର ଭଳି କରାଯାଇଛି । ମନ୍ଦିର ପ୍ରାଙ୍ଗଣରେ ଏକ ମୁଖ୍ୟ ମନ୍ଦିର ରହିଛି ଯେଉଁଠି ପାଞ୍ଚ ଫଣା ଧାରଣ କରିଥିବା ସର୍ପଙ୍କର ପ୍ରତିମାଟିଏ ଅଛି । ଏହି ମନ୍ଦିରଟି ଦେଖିବାକୁ ବର୍ଗାକାର ଭଳି । ବିଶ୍ବାସ କରାଯାଏ କି ଶେଷ ନାଗଙ୍କର ପ୍ରତିମୂର୍ତ୍ତିରେ ଶ୍ରୀହନୁମାନଙ୍କ ଦର୍ଶନ ହୋଇଥାଏ ।

ମୁଦି ହନୁମାନଙ୍କ ଦ୍ବାରକୁ କେହି ଯଦି ନିର୍ମଳ ହୃଦୟରେ ଆସି ଦର୍ଶନ କରେ ତାର ମନସ୍କାମନା ନିଶ୍ଚୟ ପୂରଣ ହୋଇଥାଏ । ଏହି ମନ୍ଦିରରେ ସବୁ ପ୍ରକାର ବର୍ଗର ଲୋକ ଯିଏ ଯେଉଁ ସମସାରେ ଜଡ଼ିତ ଅଛନ୍ତି ସେମାନଙ୍କର ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ମନ୍ଦିରକୁ ଆସିଥାନ୍ତି । କୁହାଯାଏ ରୋଗଗ୍ରସ୍ତ ହୋଇଥିବା ଅଙ୍ଗ ଗୁଡିକୁ ମନ୍ଦିରରେ ଥିବା ପଥର ଉପରେ ଘସିଲେ ତାହା ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଯାଏ । ଏହିଭଳି ଅନେକ ଚମତ୍କାର କଥା ଶୁଣି ଏ ମନ୍ଦିରକୁ ଛୁଟି ଆସନ୍ତି ଭକ୍ତ । କଥାରେ ଅଛି ବିଶ୍ୱାସେ ମିଳଇ ହରି । ତେଣୁ ଲୋକଙ୍କ ବିଶ୍ୱାସ ଓ ଆସ୍ଥା ଯେଉଁଠି ଈଶ୍ୱର ବି ସେଇଠି ।

You might also like