ଆସନ୍ତା ୩ରୁ ବରଗଡ ପାଲଟିଯିବ ମଥୁରା ନଗରୀ ଓ ଅମ୍ବାପାଲି ହେବ ଗୋପପୁର

ବରଗଡ଼: ଶ୍ରୀକୃଷ୍ଣଙ୍କୁ ହତ୍ୟା ପାଇଁ ମହାରାଜ କଂସାସୁର ରଚୁଛନ୍ତି ବ୍ୟୁହ ରଚନା । ତ୍ରିପୁର ବିଜୟୀ କଂସ ଓ ଭଗବାନ ଶ୍ରୀକୃଷ୍ଣଙ୍କ ଭିତରେ ଚାଲିଛି ଜୋରଦାର ଲଢେଇ । ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ଆଉ ଦିନ କେଇଟା ଥିବାବେଳେ ନୂଆ ନୂଆ ସଂଳାପକୁ ନେଇ ଅଭ୍ୟାସକୁ ଜୋରଦାର କରିଛନ୍ତି କଳାକାର । ବିଶ୍ଵ ଦରବାରରେ କଂସ ଅଭିନୟ କରୁଥିବା ଭୁବନେଶ୍ୱର ପ୍ରଧାନଙ୍କ ସହିତ ସମସ୍ତ ମନ୍ତ୍ରୀ, ମହାମନ୍ତ୍ରୀ, ପାରିଷଦ ବର୍ଗ ବରଗଡ଼ ସହର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଚଲାଇଛନ୍ତି ଆଖଡ଼ା । ନାଟ୍ୟଗୁରୁ ଅଶୋକ ବେହେରାଙ୍କ ନିର୍ଦ୍ଦେଶନାରେ ସମସ୍ତ କଳାକାର ନିଜ ନିଜର ଅଭିନୟର ଅଭ୍ୟାସ କରୁଛନ୍ତି ।

ଅମ୍ବାପାଲିରେ ଆରମ୍ଭ ହେବ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା । ଆଉ ଦିନ କେଇଟା ପରେ ଗାଁ ହେଇଯିବ କୃଷ୍ଣମୟ । ଗୋପପୁର ପାଲଟୁଥିବା ଅମ୍ବାପାଲିରେ ଏଥିପାଇଁ ଜୋରଦାର ପ୍ରସ୍ତୁତି । କୃଷ୍ଣ, ବଳରାମ ଓ ରାଧା ଭୂମିକାକୁ ଜୀବନ୍ତ ଦର୍ଶକଙ୍କ ଆଗରେ ପରଷିବାକୁ ନିର୍ଦେଶକଙ୍କ ତତ୍ୱାବଧାନରେ କୁନିକୁନି କଳାକାର ଚଳାଇଛନ୍ତି ଜୋରଦାର ପ୍ରୟାସ ।

ପାଖେଇ ଆସିଲାଣି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ସଜେଇ ହେଲାଣି ବରଗଡ଼ ସହର । ଆଉ କିଛିଦିନ ପରେ ବରଗଡ ପାଲଟିଯିବ ମଥୁରା ନଗରୀ ଓ ଅମ୍ବାପାଲି ହେବ ଗୋପପୁର । ଜାନୁଆରୀ ୩ତାରିଖରୁ ଆରମ୍ଭ ହେବାକୁ ଯାଉଛି ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଧନୁଯାତ୍ରା । ଯାହା ୧୧ ଦିନ ଧରି ଚାଲିବ । ଏଥର ବିଶ୍ୱର ଏହି ସର୍ବବୃହତ ଖୋଲା ରଙ୍ଗମଞ୍ଚକୁ ଅଧିକ ଜୀବନ୍ତ ଓ ଚିତ୍ତାକର୍ଷକ କରିବା ପାଇଁ କଳାକାର ଚଳାଇଛନ୍ତି ଜୋରଦାର ଅଭ୍ୟାସ ।