ଜାଣିଛନ୍ତି କି ‘ବାଉଁଶୁଣୀ’ କ’ଣ ? ଏଥିରୁ ପ୍ରସ୍ତୁତ ଖାଦ୍ୟ ଯେତିକି ସୁସ୍ୱାଦୁ ଓ ସେତିକି ରୁଚିକର

ଭଞ୍ଜନଗର: ବାଉଁଶୁଣୀ । ଆଜିକାଲି ଏ ନାଁ ଆଉ ଶୁଣିବାକୁ ମିଳେନି । ଆଜିର ଯୁବ ପୀଢ଼ି ପ୍ରୟତଃ ଏହି ନା’ଶୁଣିନଥିବେ । ହେଲେ ଗାଁଗଣ୍ଡାରେ ରହିଥିବା ବୟସ୍କ ମାନେ ଏହାକୁ ଭଲଭାବରେ ଜାଣିଥିବେ। ଏହା ହେଉଛି ବାଉଁଶ ଗଛର ଫଳ । ଯାହାକି ଧାନ ଓ ଗହମ ଭଳି ଏକ ଶସ୍ଯ । ଏହି ଫଳ ହିଁ ହେଉଛି ପ୍ରକୃତିର ଏକ ବିସ୍ମୟ । ବାଉଁଶ କୁ ବ୍ଯବହାର କରାଯାଏ, ଏଥିରୁ ଉପକରଣ ତିଆରି ହୁଏ । ହେଲେ ବାଉଁଶ ‘ଗଜା’ ପ୍ରତିବର୍ଷ ଏକ ର୍ନିଦିଷ୍ଟ ଋତୁରେ ଆସେ ଆପଣ ମାନେ ଏକଥା ସମସ୍ତେ ଜାଣନ୍ତି। କିନ୍ତୁ ବାଉଁଶ ଗଛରେ ଫୁଲ ଧରିବା ଏବଂ ଫଳ ହେବା , ଏହା ପ୍ରାୟତଃ ଜାଣିନଥାନ୍ତି । କାରଣ ଏହି ବାଉଁଶୁଣି ପ୍ରତିବର୍ଷ ଆସିନଥାଏ କିମ୍ବା କେବେ ଆସିବ , ତାହାବି ଠିକ୍‌ ନଥାଏ ।

ଋତୁ ଅନୁସାରେ ସବୁ ଗଛରେ ଫୁଲ ଧରେ , ଫଳ ହୁଏ । ସେହି ଅନୁସାରେ ଗଛ ପତ୍ରଝଡ଼ା ଦିଏ ଏବଂ ନୂଆ ପତ୍ର କଅଁଳେ । ଋତୁଚକ୍ରରେ ପରିବର୍ତ୍ତନ ସହିତ ବକ୍ଷଲତାର କଳେବର ମଧ୍ଯ ହୁଏ । ବେଳେବେଳେ ଏଭଳି ଧରାବନ୍ଧା ପରିବର୍ତ୍ତନ ର ଭିନ୍ନ ଏକ ବ୍ଯତିକ୍ରମ ଘଟଣା ନଜରକୁ ଆସେ । ଯାହା ଏବେ ଗଂଜାମ ଜିଲ୍ଲାର ର୍ନିଦ୍ଦିଷ୍ଟ କିଛି ଅଞ୍ଚଳରେ ଦେଖିବାକୁ ମିଳିଛି । ଆମ ପାଖରେ ରହିଥିବା ସୂଚନା ଅନୁସାରେ , ୧୯୯୦ ମସିହାରେ , ଗଂଜାମ ଜିଲ୍ଲାର ର୍ନିଦ୍ଦିଷ୍ଟ କିଛି ସ୍ଥାନରେ ବାଉଁଶ ଗଛରେ ଫଳ ଆସିଥିଲା । ଏହା ପୂର୍ବରୁ ଆହୁରି ଅନେକଥର ବାଉଁଶ ଫଳ ଆସିଥିବା ବୟସ୍କ ମାନେ କହନ୍ତି । ତେବେ ବର୍ତ୍ତମାନ ପୁଣି ଦୀର୍ଘ ୩୧ ବର୍ଷ ପରେ ଏହି ବାଉଁଶୁଣୀ ଆସିଛି ।

ଦୀର୍ଘବର୍ଷର ବ୍ଯବଧାନରେ , କେବେ କେମିତି ବାଉଁଶ ଗଛରେ ଏହି ଫଳ ଆସିଥାଏ । ଅନ୍ଯପଟେ ଆଗକୁ କୈାଣସି ପ୍ରାକୃତିକ ବିପତ୍ତି କିମ୍ବା ମରୁଡିର ସମ୍ଭାବନା ଥିଲେ , ବାଉଁଶ ଗଛରେ ଏହି ଫଳ ସଂକେତ ଦେଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ଏଣୁ ଏହି ଫଳ ଆସିଲେ , ଠାକୁରାଣୀଙ୍କୁ ସ୍ମରଣ କରି ବାଉଶୁଣୀକୁ ଜଙ୍ଗଲରୁ ସଂଗ୍ରହ କରନ୍ତି ଓ ଏହାକୁ ସଫା କରନ୍ତି । ଏହା ଦେଖିବାକୁ ଠିକ୍ ଗହମର ଛୋଟ ଦାନା ଭଳି । ଏଥିରେ ପିଠା ଓ ଖିରି ପ୍ରସ୍ତୁତ କରି , ଠାକୁରାଣୀଙ୍କୁ ଅର୍ପଣ ପରେ , ଏହାକୁ ପରିବାରର ସମସ୍ତେ ଖାଆନ୍ତି । ବାଉଁଶୁଣୀରୁ ପ୍ରସ୍ତୁତ ଖାଦ୍ୟ ସୁସ୍ୱାଦୁ ଓ ରୁଚିକର ବୋଲି ସଭିଏଁ  କୁହନ୍ତି ।

bamboo treeକିଛି ଲୋକଙ୍କ ମତଅନୁସାରେ , ଅତୀତରେ ମରୁଡି , ଦୁର୍ଭିକ୍ଷ ଓ ଖାଦ୍ୟ ସମସ୍ଯା ଜନିତ ଘଟଣା , ବେଳେ ବେଳେ ଦେଖିବାକୁ ମିଳିଥିଲା । ଗାଁ ଲୋକଙ୍କୁ ଖାଇବା ମିଳିବା କଷ୍ଟ ହେଉଥିଲା । ନଅଙ୍କ ଦୁର୍ଭିକ୍ଷ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଲୋକେ ଏହି ଖାଦ୍ୟଜନିତ ଅଭାବକୁ ପୁରଣ କରିବାପାଇଁ , ବାଉଁଶୁଣୀ କୁ ସଂଗ୍ରହ କରି ତାକୁ ଖାଇ ଭୋକ ମେଣ୍ଟାଉଥିଲେ । କିନ୍ତୁ ଏବେ ସମୟ ଆଉ ପରିସ୍ଥିତି ସବୁ ବଦଳିଯାଇଛି । ଚଳିତବର୍ଷ ବାଉଁଶ ଗଛରେ ଆସିଥିବା ଶସ୍ଯକୁ ସଂଗ୍ରହ କରିବାକୁ , ଆଗଭଳି ଆଉ ଇଛା କରୁନାହାନ୍ତି ଏଠାକାର ବାସିନ୍ଦା । ତଥାପି କିଛି ମହିଳା , ଅତୀତର ପ୍ରଥାକୁ ବିଶ୍ଵାସ କରି , ଗଂଜାମ ଜିଲ୍ଲାର କବିସୂର୍ଯ୍ଯନଗର ଓ ପୋଲସରା ଅଞ୍ଚଳରେ କିଛି ବାଉଁଶ ବଣକୁ ଆସି ବାଉଁଶୁଣୀ ସଂଗ୍ରହ କରୁଥିବା କୁହନ୍ତି ।

ଅପରପଟେ ବାଉଁଶ ଗଛରେ ଏଭଳି ଫଳ ଆସିବା ନେଇ ମତ ରଖିଛନ୍ତି , ଉଦ୍ଭିଦ ବିଜ୍ଞାନୀ । ବାଉଁଶଗଛ ବଡଗଛ ହୋଇଥିଲେ ମଧ୍ୟ ଏହା ଧାନ , ମାଣ୍ଡିଆ , ଗହମ ଭଳି ତୃଣଜାତୀୟ ଶ୍ରେଣୀ ଭୁକ୍ତ ଗଛ । ସବୁ ସମୟରେ କିମ୍ବା ସବୁ ବାଉଁଶ ଗଛରେ ଏହି ଫଳ ଆସିନଥାଏ । ପରିବର୍ତ୍ତିତ ଜଳ-ବାୟୁ ଅନୁସାରେ , ବାଉଁଶ ଗଛରେ ଉଦ୍ଧିପକ ଜୀବରସ ବା Hormone effect ଯୋଗୁଁ ଏଭଳି ଫୁଲ ଓ ଫଳ ଆସିଥାଏ ଏବଂ ଶସ୍ଯ ଜାତୀୟ ଗଛ ଭଳି ଯେଉଁ ବାଉଁଶ ଗଛରେ ଥରେ ଫଳ ଆସେ , ସେହି ଫଳ ଝଡିଯିବା ପରେ , ସଂପୃକ୍ତ ବାଉଁଶଗଛଟି ମରିଯାଇଥାଏ ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।

 

Leave A Reply

Your email address will not be published.