ଆସୁଛନ୍ତି ଜଗତଜନନୀ ମା’ ଦୁର୍ଗା: ଆରମ୍ଭ ହେଲା ସୁବର୍ଣ୍ଣପୁରର ପ୍ରସିଦ୍ଧ ମହାବଳୀଯାତ୍ରା

(କେନ୍ୟୁଜ): ଆସୁଛନ୍ତି ଜଗତଜନନୀ ମା’ ଦୁର୍ଗା । ଏଥିପାଇଁ ରାଜ୍ୟର ବିଭିନ୍ନ ଦେବୀପୀଠରେ ଆରମ୍ଭ ହୋଇଯାଇଛି ଷୋଡଶ ଉପଚାର ପୂଜା । ଆଉ ଏସବୁ ଭିତରେ ମନ୍ଦିରମାଳିନୀ ସହର ସୁବର୍ଣ୍ଣପୁରରେ ମଧ୍ଯ ଅନୁଷ୍ଠିତ ହୋଇଥାଏ ପ୍ରସିଦ୍ଧ ମହାବଳୀ ଯାତ୍ରା । ସବୁବର୍ଷ ଭଳି ଚଳିତବର୍ଷ ମଧ୍ଯ ଖଣ୍ଡାଧୁଆ ପର୍ବରୁ ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ବଳୀ ଯାତ୍ରାର ପରମ୍ପରା । ଅନ୍ୟ ସ୍ଥାନ ମାନଙ୍କରେ ଦିନେ ବା ଦୁଇଦିନ ଏହି ମହାବଳୀଯାତ୍ରା ହେଉଥିବାବେଳେ ସୁବର୍ଣ୍ଣପୁରରେ କିନ୍ତୁ ୧୫ ଦିନ ଧରି ଅନୁଷ୍ଠିତ ହୋଇଥାଏ ଯାତ୍ରା । ଅମାବାସ୍ଯର ବୁଢାରଜା ବଳୀରୁ ଆରମ୍ଭ ହୋଇଥିବା ମହାବଳୀ ପୂର୍ଣ୍ଣିମାରେ ଶେଷ ହୋଇଥାଏ ।

ସୁବର୍ଣ୍ଣପୁରକୁ କେବଳ ମନ୍ଦିରମାଳିନୀ ସହର ବୋଲି କହିଲେ ହେବନାହିଁ । ପ୍ରାଚୀନ ସୁବର୍ଣ୍ଣପୁରର ଲୋକସଂସ୍କୃତି, ପରମ୍ପରା ଓ ଅନ୍ଯାନ୍ଯ ସାଂସ୍କୃତିକ ସ୍ଥାନ ଭାବରେ ପରିପୂର୍ଣ୍ଣ । କାହିଁ କେତେ ଦିନରୁ ରାଜ ରାଜୁଡ଼ା ଅମଳରୁ ହୋଇ ଆସୁଥିବା ବଳି ଯାତ୍ରା ପାରମ୍ପରିକ ଭାବରେ ଅନୁଷ୍ଠିତ ହୋଇଆସୁଛି । ପ୍ରତିବର୍ଷ ଆଶ୍ୱିନ ଅମାବାସ୍ଯାଠାରୁ ପୂର୍ଣ୍ଣମୀ ଯାଏଁ ଦୀର୍ଘ ୧୫ ଦିନ ଧରି ଅନୁଷ୍ଠିତ ହୋଇଥାଏ ମହାବଳୀ ଯାତ୍ରା ।

ଉଆଁସ ବଳୀ ବା ବୁଢାରଜା ବଳୀରୁ ଏହି ଯାତ୍ରା ଆରମ୍ଭ ହୋଇଥାଏ । ପ୍ରଥମେ ବାଉତୀ ଛତର ଇଷ୍ଟଦେବୀ ସୁରେଶ୍ୱରୀ ମନ୍ଦିରରୁ ବାହରି ସମଲେଇ ମନ୍ଦିରରେ ପହଞ୍ଚିଥାଏ । ପରେ ବାଉତି ଛତର ସହ ଉଆଁସ ବଳି ସମଲେଈ ମନ୍ଦିରରୁ ବାହାରି ବୁଢ଼ାରଜାକୁ ଯାଇଥାଏ । ସେଠାରେ ବୁଢାରଜା ବଳୀ ଅୁନୁଷ୍ଠିତ ହେବାପରେ ପର୍ଯ୍ୟାୟକ୍ରମେ ଖଉଳବଳି, ନିଶାବଳି, ଡ଼ାଙ୍ଗୁଆବଳି, ଗାୟନ ବଳି ଓ ମହାବଳୀ ଏବଂ ଶେଷରେ ପୂର୍ଣ୍ଣମୀ ବଳିରେ ସମାପ୍ତ ହୋଇଥାଏ ମହାବଳୀ ଯାତ୍ରା । ଏଣୁ ଏବଠୁ ସେବାୟତମାନେ ନିଷ୍ଠାର ସହ ଯାତ୍ରାରେ ସାମିଲ ହେଲେଣି ।

କାହିଁ କେତେ ଦିନରୁ ଆଶ୍ୱିନ ଅମାବାସ୍ଯାଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ‘ ଶୋହଳ ସମ୍ପ୍ରଦାୟ ଦ୍ୱାରା,ଶୋଡଷ ଉପଚାରରେ ଶୋଡଷଭରଣୀ ବାଦ୍ୟ ଏବଂ ଶୋହଳବଳୀ’ ମାଧ୍ଯମରେ ସୁବର୍ଣ୍ଣପୁରରେ ମହାବଳୀ ଯାତ୍ରା ଅନୁଷ୍ଠିତ ହୋଇଆସୁଛି । ହେଲେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ଯ ଯାତ୍ରାରେ ବାଧକ ସାଜିଛି କରୋନା କଟକଣା । କିନ୍ତୁ  ଚଳିତବର୍ଷ କରୋନା କଟକଣା ଭିତରେ କେବଳ ନୀତିକାନ୍ତିକୁ ଅନୁଯାୟୀ ଅନୁଷ୍ଠିତ ହେବ ମହାବଳୀ ଯାତ୍ରା । ଖଣ୍ଡାଧୁଆ ପର୍ବରୁ ଯାତ୍ରା ପରମ୍ପରା ଆରମ୍ଭ ହୋଇସାରିଥିବା ବେଳେ ପର୍ଯ୍ୟାୟକ୍ରମେ ଯାତ୍ରା ଅନୁଷ୍ଠିତ ହେବା ନେଇ ସୂଚନା ଦେଇଛନ୍ତି ସମେଲଇ ମନ୍ଦିର ପୂଜକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.