ଆମେରିକା ଆଡକୁ ମୁହାଁଉଛି ଶକ୍ତିଶାଳୀ ତୋଫାନ, ନ୍ୟୁୟର୍କ ଓ ବୋଷ୍ଟନ ସହିତ ଅନ୍ୟ କେତକ ସହରକୁ ହେବ ପ୍ରବଳ ବରଫ ମାଡ଼

ନ୍ୟୁୟର୍କ :  ନ୍ୟୁୟର୍କ, ବୋଷ୍ଟନ ଓ ଆମେରିକାର ପୂର୍ବରେ ଥିବା କେତକ ସହରରେ ସୋମବାର ପ୍ରାୟ ୬୦.୯୬ ସେମି ବରଫ ପଡ଼ିବ ବୋଲି ଅନୁମାନ କରାଯାଉଛି । କାରଣ ଏକ ଶକ୍ତିଶାଳୀ ବରଫ ଝଡ଼ ଆମେରିକା ଆଡ଼କୁ ବଢ଼ୁଛି ବୋଲି ରାଷ୍ଟ୍ରୀୟ ପାଣିପାଗ ବିଭାଗ ଏହାର ସୂଚନା ଦେଇଛି ।

ସୂଚନା ଅନୁଯାୟୀ, ପୂର୍ବ ପେନ୍‌ସେଲଭିନିଆ,ଉତ୍ତରୀ ନ୍ୟୁ ଜର୍ସି, ଦକ୍ଷିଣ ନ୍ୟୁୟର୍କର କେତକ ଭାଗରେ ଓ ଦକ୍ଷିଣ ନ୍ୟୁ ଇଂଲଣ୍ଡରେ ୨୦ ଇଞ୍ଚ୍‌ରୁ ଅଧିକ ବରଫ ବର୍ଷା ହେବ । ଘଣ୍ଟାକୁ ୫୦ ମାଇଲ୍‌ ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପ୍ରକାଶ କରିଛି । ଏହି ତୋଫାନ ଯୋଗୁ ଜନଜୀବନ ଠପ୍‌ ହୋଇଯାଇପାରେ । ତେଣୁ ସୋମବାର ଏଠାରେ ସ୍କୁଲ ବନ୍ଦ କରିବା ନେଇ ଘୋଷଣା କରାଯାଇଛି ।

ଏହି ବରଫ ଝଡ଼ ପାଇଁ କରୋନା ଟିକାକରଣ ମଧ୍ୟ ପ୍ରଭାବିତ ହୋଇଛି । ତେଣୁ କରୋନା ଟିକାକରଣ ପାଇଁ ନୂଆ ତାରିଖ ଘୋଷଣା କରାଯିବ ବୋଲି ନ୍ୟୁୟର୍କ ମେୟର ପ୍ରକାଶ କରିଛନ୍ତି । ମଙ୍ଗଳବାର ଏହା ଉତ୍ତର ନ୍ୟୁ ଇଂଲଣ୍ଡ ଆଡ଼କୁ ବଢ଼ି ବୁଧବାର ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ପାଇଛି ।

Leave A Reply

Your email address will not be published.