ପ୍ରଥମ ଥର ପାଇଁ ଏଭରେଷ୍ଟ ଶିଖରରେ ପାଦ ଥାପିଥିଲେ ଏହି ଦୁଇ ପର୍ବତାରୋହୀ, ଜାଣନ୍ତୁ ତାଙ୍କ ଜୟଯାତ୍ରାର କାହାଣୀ

ପୃଥିବୀର ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ ବିଷୟରେ କିଏ ବା ନ ଜାଣେ। ଏହି ସ୍ଥାନ ପର୍ଯ୍ୟନ୍ତ ପହଞ୍ଚିବାକୁ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି। କିନ୍ତୁ ପର୍ବତ ଆରୋହଣ ବେଳେ ଆସୁଥିବା ବାଧାବିଘ୍ନକୁ ସାମ୍ନା କରିନପାରି ଅଧିକାଂଶ ଲୋକ ଏଭରେଷ୍ଟ ଠାରୁ ମାତ୍ର କିଛି ମିଟର ଦୂରରୁ ଫେରି ଆସିଛନ୍ତି। ସେହିଭଳି ଆଉ କିଛି ଏଭରେଷ୍ଟ ଚଢ଼ିବା ବେଳେ ହିଁ ଅମ୍ଳଜାନ ଅଭାବରୁ ପ୍ରାଣ ହରାଇଛନ୍ତି। ଯେଉଁମାନଙ୍କର ଶବ ଆଜି ବି ଏଭରେଷ୍ଟ ପାହାଡ଼ ଉପରେ ପଡ଼ିରହିଛି। ଏତେ ଉଚ୍ଚତା ତଥା ଥଣ୍ଡା ସ୍ଥାନରୁ ଶବ ଆଣିବା ଅସମ୍ଭବ ହୋଇଥିବାରୁ ଏଭରେଷ୍ଟ ଆରୋହଣକାରୀଙ୍କ ଶବକୁ ସେଠାରେ ହିଁ ଛାଡ଼ିଦିଆଯାଏ। ତେବେ ଆଜି ଆସନ୍ତୁ ଜାଣିବା ବହୁ ବାଧାବିଘ୍ନକୁ ଅତିକ୍ରମ କରି କିଏ ପ୍ରଥମେ ଏଭରେଷ୍ଟର ଶିଖରରେ ପହଞ୍ଚି ଇତିହାସକୁ ସବୁଦିନ ପାଇଁ ନିଜ ନାଁରେ କରି ନେଇଥିଲେ।

ଦୁନିଆର ସବୁଠାରୁ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟକୁ ଜୟ କରିବା ଯାତ୍ରାର ଆରମ୍ଭ ୧୯୩୧ରୁ ହିଁ ହୋଇଯାଇଥିଲା। କିନ୍ତୁ ଏହାର ଶିଖର ପର୍ଯ୍ୟନ୍ତ କେହି ପହଞ୍ଚି ପାରୁନଥିଲେ। କାରଣ ଏଠାରେ ପହଞ୍ଚିବା ଏତେ ସହଜ ନୁହେଁ। ସେଠାରେ ପହଞ୍ଚିବା ପାଇଁ ବହୁ ଘାତ ପ୍ରତିଘାତର ସାମ୍ନା କରିବାକୁ ପଡ଼ୁଥିଲା। ୨୯.୦୨୮ ଫୁଟ୍‌ ଦୂରତା ବିଶିଷ୍ଟ ଏହି ରାସ୍ତାରେ ଅନେକ ମରଣଯନ୍ତା ରହିଛି। ଏହି ମିଶନରେ ବହୁ ଲୋକ ଅସଫଳ ହୋଇଛନ୍ତି ଆଉ କିଛି ଜୀବନ ବି ହରାଇଛନ୍ତି। ତଥାପି ସାହସୀ ଆରୋହଣକାରୀମାନେ ହାରିଯାଇନଥିଲେ। ଏବେ ବି ସେମାନେ ଏଭରେଷ୍ଟ ଶିଖର ପର୍ଯ୍ୟନ୍ତ ପହଞ୍ଚିବାକୁ ଲଗାତାର ପ୍ରୟାସ ଜାରି ରଖିଥିଲେ। ସେହି ସାହସୀ ବୀର ମଧ୍ୟରୁ ଜଣେ ଥିଲେ ନେପାଳର ଶେରପା ତେନସିଂ।

୧୯୫୨ ମସିହାରେ ନେପାଳର ଶେରପା ତେନସିଂଙ୍କ ମୁଣ୍ଡରେ ଏଭରେଷ୍ଟ ଚଢ଼ିବାର ନିଶା ପଶିଥିଲା। ସେ କଳେବଳେ କୌଶଳେ ଏଭରେଷ୍ଟ ଚଢ଼ିବାକୁ ପଣ କରିଥିଲେ। ସେତେବେଳେ ସ୍ୱିଜରଲ୍ୟାଣ୍ଡର ରେମଣ୍ଡ ଲେମ୍ବର୍ଡ ତାଙ୍କୁ ସାହାଯ୍ୟ କରିଥିଲେ। ସେମାନେ ଏଭରେଷ୍ଟ ଚଢ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

୧୯୫୨ ମସିହାରେ ଉଭୟେ ୯୦ ପ୍ରତିଶତ ଏଭରେଷ୍ଟ ଚଢ଼ିଯାଇଥିଲେ, କିନ୍ତୁ ବହୁ ଘାତପ୍ରତିଘାତର ସାମ୍ନା କରିବା ପରେ ଶିଖର ଠାରୁ ପ୍ରାୟ ୧୦୦୦ ଫୁଟ୍‌ ଦୂରରୁ ସେମାନଙ୍କୁ ଫେରି ଆସିବାକୁ ପଡ଼ିଥିଲା। ଲକ୍ଷ୍ୟର ଏତେ ପାଖରୁ ଫେରି ଆସିବା ଦୁଃଖରେ ଉଭୟେ ମ୍ରିୟମାଣ ହୋଇପଡ଼ିଥିଲେ। କିନ୍ତୁ ହାର୍‌ ମାନିନଥିଲେ ତେନସିଂ।

ବର୍ଷେ ପରେ ଅର୍ଥାତ୍‌ ୧୯୫୩ ମସିହାରେ ତେନ୍‌ସିଂହ ୭ ଇଂଲଣ୍ଡ ଓ ୨ ନ୍ୟୁଜିଲ୍ୟାଣ୍ଡ ଆରୋହଣକାରୀଙ୍କ ସହ ମିଶି ପୁଣି ଥରେ ଏଭରେଷ୍ଟ ଅଭିଯାନ ଆରମ୍ଭ କରିଥିଲେ। ତେନ୍‌ସିଂ ଓ ଏଡ୍‌ମନ୍‌ ହିଲାରୀଙ୍କ ଟିମ୍‌ ୯ ଏପ୍ରିଲ ୧୯୫୩ରେ ପର୍ବତ ଚଢ଼ିବା ଆରମ୍ଭ କରିଥିଲେ। ବରଫରାସ୍ତା, ମାଇନ୍‌ସ୍‌ ତାପମାତ୍ରା, ହିମ ନଦୀ ଓ କେବେ ବି ଭାଙ୍ଗିଯିବା ଭଳି ସ୍ଥିତିରେ ଥିବା ବରଫ ପାହାଡ଼ ଅତିକ୍ରମ କରି ଧୀରେ ଧୀରେ ତେନ୍‌ସିଂ ଲକ୍ଷ୍ୟ ପାଖକୁ ଚାଲିବାକୁ ଲାଗିଥିଲେ। ମଝିରେ ମଝିରେ ସେମାନେ କ୍ୟାମ୍ପ ତିଆରି କରି ବିଶ୍ରାମ ମଧ୍ୟ ନେଉଥିଲେ। ପ୍ରାୟ ୨୦ ହଜାର ଫୁଟ୍‌ ଉଚ୍ଚତାରେ ପହଞ୍ଚିବା ପରେ ଏକ ଛୋଟ ଖାଇକୁ ପାର କରିବା ପାଇଁ ହିଲାରୀ ଡେଇଁ ପଡ଼ିଥିଲେ। କିନ୍ତୁ ତାଙ୍କ ଚାପ ଯୋଗୁ ବରଫର ଚଟାଣ ଭାଙ୍ଗିଯାଇଥିଲା। ହିଲାରୀ ସବୁଦିନ ପାଇଁ ବରଫ ଭିତରେ ଚାପି ହୋଇଯିବା ପୂର୍ବରୁ ପଛରୁ ତେନ୍‌ସିଂ ତାଙ୍କୁ ଉଦ୍ଧାର କରିବା ପାଇଁ ରଶି ଫିଙ୍ଗିଥିଲେ। ଏହି ରଶି ସାହାଯ୍ୟରେ ହିଲାରୀ ଉପରକୁ ଆସି ନିଜ ବଞ୍ଚାଇବାରେ ସଫଳ ହୋଇଥିଲେ। ସେହି ସମୟରେ ତେନ୍‌ସିଂ ରଶି ଫିଙ୍ଗିନଥିଲେ ହିଲାରୀ ପ୍ରାଣ ହରାଇଥାଆନ୍ତେ। ତେବେ ଧୀରେ ଧୀରେ ହିଲାରୀ ଓ ତେନ୍‌ସିଂଙ୍କ ଟିମ୍‌ ଏଭରେଷ୍ଟ ଶିଖରକୁ ଚଢ଼ିବା ଜାରି ରଖିଥିଲେ।

ତେବେ ହିଲାରୀ ଓ ତେନ୍‌ସିଂଙ୍କ ଟିମ୍‌ ପୂର୍ବରୁ ଆଉ ଏକ ଟିମ୍‌ ଏଭରେଷ୍ଟ ବିଜୟ ଲକ୍ଷ୍ୟରେ ବାହାରିଥିଲା। ଚାର୍ଲସ୍‌ ଇଭାନଙ୍କ ୯ ସଦସ୍ୟଯୁକ୍ତ ଟିମ୍‌ ହିଲାରୀଙ୍କ ପୂର୍ବରୁ ବାହାରିଥିଲେ। ଏହି ରାସ୍ତାରେ ଜଣେ ଯାଇସାରିବା ପରେ ଆଉ ଜଣେ ଯିବାକୁ ପଡ଼େ। ଏଭଳି ସ୍ଥିତିରେ ତେନ୍‌ସିଂ ଓ ହିଲାରୀଙ୍କ ଟିମ୍‌ ଅଧାରୁ ଅଧିକ ରାସ୍ତା ଅତିକ୍ରମ କରିସାରିଥିଲେ। ଇଭାନ ଯଦି ପ୍ରଥମେ ଯାଉଛନ୍ତି ତେବେ ଇତିହାସ ରଚିବା ସ୍ୱପ୍ନରେ ହିଁ ରହିଯିବ, ଏହା ଭାବି ଚିନ୍ତାରେ ଥିଲେ ତେନ୍‌ସିଂ।

ଅନ୍ୟପଟେ ୨୬ ମେ’ରେ ଇଭାନ୍‌ଙ୍କ ଟିମ୍‌ ମାଉଣ୍ଟ ଏଭରେଷ୍ଟ ଶିଖରରୁ ମାତ୍ର ୩୦୦ ଫୁଟ୍‌ ଦୂରରେ ଥିଲେ। କିନ୍ତୁ ଆଉ ଆଗକୁ ବଢ଼ିବାକୁ ତାଙ୍କ ପାଦରେ ନଥିଲା ବଳ। ଲକ୍ଷ୍ୟର ଏତେ ପାଖରେ ପହଞ୍ଚିଥିଲେ ମଧ୍ୟ ଶରୀର ସାଥ୍‌ ନ ଦେବାରୁ ଇଭାନଙ୍କ ଟିମ୍‌କୁ ନିଜ ଯାତ୍ରା ଶେଷ କରିବାକୁ ପଡ଼ିଥିଲା। ଇଭାନ୍‌ଙ୍କ ଟିମ୍‌ ସେହି ସ୍ଥାନରୁ ତଳକୁ ଫେରି ଆସିଥିଲେ।

ଏବେ ମାଉଣ୍ଟ ଏଭରେଷ୍ଟର ଶିଖରରେ ନିଜ ନାଁ ଲେଖିବା ସୁଯୋଗ କେବଳ ତେନ୍‌ସିଂଙ୍କ ଟିମ୍‌ ପାଖରେ ଥିଲା। ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିବାକୁ ସେମାନେ ଚାହୁଁନଥିଲେ। ରାତିରେ କ୍ୟାମ୍ପରେ ବିଶ୍ରାମ ନେବା ପରେ ସକାଳୁ ଉଠି ତେନ୍‌ସିଂ ଓ ଟିମ୍‌ ଏଭରେଷ୍ଟ ଅଭିମୁଖେ ପୁଣି ଥରେ ଯାତ୍ରା ଆରମ୍ଭ କରିଥିଲେ। ତାପମାତ୍ରା ମାଇନସ୍‌ ୨୭ ଡିଗ୍ରୀ ସେଲ୍‌ସିୟସ୍‌ ଥିଲା, ପରିସ୍ଥିତି ଥିଲା ଆହୁରି କଠିନ; ତଥାପି ଏହି ସାହସୀ ଆରୋହଣକାରୀମାନେ ଧୈର୍ଯ୍ୟହରା ହୋଇନଥିଲେ। ଧୀରେ ଧୀରେ ସେମାନେ ଆଗକୁ ବଢ଼ିଥିଲେ। ସକାଳ ୯ଟା ବେଳକୁ ସେମାନେ ଦକ୍ଷିଣ ଶିଖରରେ ପହଞ୍ଚିଥିଲେ। ଧୀରେ ଧୀରେ ଅମ୍ଳଜାନ ସରିବାକୁ ଲାଗିଥିଲା। ସେମାନଙ୍କ ପାଖରେ ଆଉ ଅତିରିକ୍ତ ଅମ୍ଳଜାନ ମଧ୍ୟ ନଥିଲା। ଉଭୟେ ହିଲାରୀ ଓ ତେନ୍‌ସିଂ ପରସ୍ପରକୁ ଦେଖିବା ସହ ଅକ୍ସିଜେନ୍‌ ନଳୀ ସଫା କରି ପୁଣି ଥରେ ପିନ୍ଧିଥିଲେ ଓ ଧୀରେ ଧୀରେ ଲକ୍ଷ୍ୟ ଆଡ଼କୁ ପାଦ ବଢ଼ାଇଥିଲେ।

ଶେଷରେ ୧୯୫୩ ମସିହା ମେ ୨୯ ତାରିଖରେ ଏଭରେଷ୍ଟ ଶିଖରରେ ପହଞ୍ଚି ଇତିହାସର ସ୍ୱର୍ଣ୍ଣ ଅକ୍ଷରରେ ନିଜ ନାଁ ଲେଖାଇଥିଲେ ଉଭୟ ତେନ୍‌ସିଂ ଓ ହିଲାରୀ। ଦିନ ୧୧.୩୦ରେ ୨୯,୦୨୮ ଫୁଟ୍‌ ବା ୮୮୪୮ ମିଟର ଉଚ୍ଚରେ ପାଦ ଥାପିଥିଲେ ଏହି ଦୁଇ ପର୍ବତାରୋହୀ। ଏଭଳି ଭାବେ ବିଶ୍ୱର ସବୁଠାରୁ ଦୁର୍ଗମ ଶିଖରକୁ ନେପାଳର ଶେରପା ତେନ୍‌ସିଂ ଓ ନ୍ୟୁଜିଲ୍ୟାଣ୍ଡର ଏଡ୍‌ମନ୍‌ ହିଲାରୀ ଜୟ କରିଥିଲେ।

Leave A Reply

Your email address will not be published.