୨୧ ବର୍ଷୀୟା ବଙ୍ଗାଳୀ ଅଭିନେତ୍ରୀଙ୍କ ଆତ୍ମହତ୍ୟା, ଫ୍ଲାଟ୍ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ବଙ୍ଗାଳୀ ମଡେଲ ତଥା ଅଭିନେତ୍ରୀ ବିଦିଶା ଦେ ମଜୁମ୍ଦାରଙ୍କ ଫ୍ୟାନମାନଙ୍କ ପାଇଁ ଏକ ଦୁଃଖଦ ଖବର। ୨୧ ବର୍ଷୀୟା ବିଦିଶା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ବୁଧବାର ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଅଭିନେତ୍ରୀଙ୍କ ଆତ୍ମହତ୍ୟା ଖବର ବଙ୍ଗାଳୀ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।
ବିଦିଶା ରହୁଥିବା ଫ୍ଲାଟ୍ରେ ତାଙ୍କ ମୃତଦେହକୁ ଜବତ କରାଯାଇଛି। ଏହି ଫ୍ଲାଟ୍ରେ ସେ ଭଡ଼ାରେ ରହୁଥିଲେ। ତେବେ ତାଙ୍କ ଆତ୍ମହତ୍ୟା ଖବର ପାଇ ପୋଲିସ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚିଥିଲା, ସେତେବେଳେ କବାଟ ଭିତର ପଟୁ ବନ୍ଦ ଥିଲା। ଏହାପରେ ପୋଲିସ କବାଟ ଭାଙ୍ଗି ଭିତରେ ପଶିଥିଲା ଏବଂ ବିଦିଶାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ପୋଲିସ ସୂଚନା ମୁତାବକ, ଗତ ୪ ମାସ ହେବ ସେ ଏହି ଫ୍ଲାଟରେ ଭଡ଼ାରେ ରହି ଆସୁଥିଲେ। ତେବେ ପୋଲିସ ଏହି ପୂରା ମାମଲାର ତଦନ୍ତ ଆରମ୍ଭ କରି ଦେଇଥିବା ବେଳେ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ମିଳିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।
ସେପଟେ ମୃତ ବିଦିଶାଙ୍କର ଜଣେ ଘନିଷ୍ଠ ସାଙ୍ଗ କହିଛନ୍ତି ଯେ ବିଦିଶା ନିଜ ବୟଫ୍ରେଣ୍ଡଙ୍କ ଯୋଗୁ ଡିପ୍ରେସନରେ ଥିଲେ। କାରଣ, ତାଙ୍କ ବୟଫ୍ରେଣ୍ଡଙ୍କର ଆହୁରି ୩ ଜଣ ଗାର୍ଲଫ୍ରେଣ୍ଡ ଥିଲେ, ଯାହାକୁ ସେ ଆଦୌ ସହ୍ୟ କରି ପାରୁ ନ ଥିଲେ। ନିଜ ବୟଫ୍ରେଣ୍ଡଙ୍କୁ ଆଉ କାହା ସହିତ ସେ ସେୟାର କରିବାକୁ ଚାହୁଁ ନ ଥିଲେ। ଏହି କଥାକୁ ନେଇ ବିଦିଶା ସବୁବେଳେ ଚିନ୍ତିତ ରହୁଥିଲେ। କିନ୍ତୁ ନିଜ ସୁଇସାଇଡ୍ ନୋଟ୍ରେ ସେ କ୍ୟାନସରରେ ପୀଡ଼ିତ ଥିବା କଥା କହିଛନ୍ତି, ଯାହାକି ସମ୍ପୂର୍ଣ୍ଣ ମିଥ୍ୟା। ତାଙ୍କୁ ଏହି ରୋଗ ଆଦୌ ନ ଥିଲା ବୋଲି ସାଙ୍ଗ ଜଣକ କହିଛନ୍ତି। ତେବେ ପୋଲିସ ଏହି ମାମଲାର ଯାଞ୍ଚ କରୁଛି। ଏହା ପରେ ହିଁ ପ୍ରକୃତ କଥା ସାମ୍ନାକୁ ଆସି ପାରିବ।
କହି ରଖୁଛୁ, ଅଭିନେତ୍ରୀ ବିଦିଶା ଦେ ମଜୁମ୍ଦାରଙ୍କ ମୃତ୍ୟୁ ସିନେମା ଜଗତ ପାଇଁ ତୃତୀୟ କ୍ଷତି। ଏହି ୧୦ ଦିନ ଭିତରେ ୩ ମୃତ୍ୟୁ ହୋଇ ସାରିଲାଣି। ଏଥି ପୂର୍ବରୁ କେରଳର ମଡେଲ ତଥା ଅଭିନେତ୍ରୀ ସହାନାଙ୍କ ମୃତ୍ୟୁ ତାଙ୍କ ଜନ୍ମଦିନ ଅବସରରେ ହିଁ ହୋଇଥିଲା। ସେ ୨୧ ବର୍ଷର ଥିଲେ। ସେହିପରି କନ୍ନଡ଼ ଅଭିନେତ୍ରୀ ଚେତନା ରାଜଙ୍କ ମୃତ୍ୟୁ ଖବର ବି ସାମ୍ନାକୁ ଆସିଥିଲା। ଚେତନା ରାଜ୍ଙ୍କ ମୃତ୍ୟୁ ଓଜନ କମ୍ କରାଇବା ସର୍ଜରୀ ଯୋଗୁ ଘଟିଥିଲା।