ଏବେ ବଡ଼ ପରଦାକୁ ଫେରୁଛି ‘ଶକ୍ତିମାନ’, ଫିଲ୍ମ ନିର୍ମାଣ କରିବାକୁ ଘୋଷଣା କଲା ସୋନି ପିକଚର୍ସ

ପୁଣି ଥରେ ଫେରୁଛନ୍ତି ଭାରତର ସବୁଠୁ ଲୋକପ୍ରିୟ ସୁପର ହିରୋ ଶକ୍ତିମାନ୍‌। ଏଥରକ ଏହି ସୁପର ହିରୋ ଛୋଟ ପରଦାରେ ନୁହେଁ ବରଂ ବଡ଼ ପରଦାରେ ନଜର ଆସିବେ। ସୋନି ପିକ୍‌ଚର ପକ୍ଷରୁ ଶକ୍ତିମାନ୍‌ ଉପରେ ଫିଲ୍ମ ନିର୍ମାଣ କରିବାକୁ ଘୋଷଣା କରାଯାଇଛି। ଅସଲି ଶକ୍ତିମାନ ଟିଭି ସିରିଜ୍‌ ୮ ବର୍ଷ ପର୍ଯ୍ୟନ୍ତ ଡିଡି ନ୍ୟାସନାଲ ଚ୍ୟାନେଲରେ ଲୋକଙ୍କ ମନୋରଞ୍ଜନ କରି ଆସିଥିଲା। ସେ ସମୟରେ ଶକ୍ତିମାନ ଟିଭି ସିରିଜ୍‌କୁ ମୁକେଶ ଖାନ୍ନାଙ୍କ ଭୀଷ୍ମ ଇଣ୍ଟରନ୍ୟାସନାଲ ତିଆରି କରିଥିଲା। ଏବେ ସୋନି ପିକ୍‌ଚର୍ସ ଇଣ୍ଡିଆ ଏହାର ଫିଲ୍ମ ତିଆରି କରିବା ପାଇଁ ଶୋ’ର ପ୍ରଡ୍ୟୁସର ଭୀଷ୍ମ ଇଣ୍ଟରନ୍ୟାସନାଲ ଓ ବ୍ରୁଇଂ ଥଟ୍ସକ ସହ ଭାଗୀଦାରି କରିଛି। ପ୍ରଥମ ଟିଭି ସିରିଜ୍‌ରେ ଶକ୍ତିମାନଙ୍କ ଭୂମିକାରେ ଅଭିନେତା ମୁକେଶ ଖାନ୍ନା ଅଭିନୟ କରିଥିଲେ।

ସୋନି ପିକ୍‌ଚର୍ସର ୟୁଟ୍ୟୁବ୍‌ ଚ୍ୟାନେଲରେ ଶକ୍ତିମାନ ଫିଲ୍ମର ଟିଜର ସେୟାର କରାଯାଇଛି। ଭିଡିଓର ଡେସ୍‌କ୍ରିପସନ୍‌ରେ ଲେଖାଯାଇଛି- ‘ଷ୍ଟୁଡ଼ିଓ ଆଇକନିକ ସୁପରହିରୋର ଯାଦୁକୁ ପୁଣିଥରେ ଜୀବନ୍ତ କରିବାକୁ ଚାହୁଁଛି।’ ସୋନି ପିକଚର୍ସ ଖୁଲାସା କରିଛି ଯେ କମ୍ପାନୀ ଟିଭି ସିରିଜ୍‌ର ଅରିଜିନାଲ ପ୍ରଡ୍ୟୁସରଙ୍କ ସହ କାମ କରିବ।

ଷ୍ଟୁଡ଼ିଓ ପକ୍ଷରୁ ଏକ ଟ୍ଵିଟ୍‌ କରି କୁହାଯାଇଛି- ଭାରତ ଓ ସାରା ବିଶ୍ୱରେ ଆମର ଅନେକ ସୁପର ହିରୋଙ୍କ ଅପାର ସଫଳତା ପରେ ଏବେ ଆମ ଦେଶୀ ସୁପରହିରୋଙ୍କ ପାଳି।


ତେବେ ଏହି ସିନେମାରେ କିଏ ନିର୍ଦ୍ଦେଶନା ଦେବେ ଓ କିଏ ଅଭିନୟ କରିବେ ଏବେ ଯାଏଁ ସେ ନେଇ କୌଣସି ସୂଚନା ମିଳିନାହିଁ। ସୂଚନାଯୋଗ୍ୟ ଯେ ଶକ୍ତିମାନ୍‌ ଟିଭି ସିରିଜ୍‌ ୧୯୯୭ରେ ଆରମ୍ଭ ହୋଇଥିଲା ଓ ହିନ୍ଦୀ ଭାଷାରେ ଏହା ୮ ବର୍ଷ ଧରି ଟିଭିରେ ପ୍ରସାରିତ ହୋଇଥିଲା। ସେତେବେଳ ସମୟରେ ଶକ୍ତିମାନ ପିଲାଙ୍କର ସବୁଠୁ ପ୍ରିୟ ଶୋ’ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.