ଆମୀର ଖାନଙ୍କ ଏହି କାମରେ ଖୁସି ହେଲେ ପ୍ରଧାନମନ୍ତ୍ରୀ

ବଲିଉଡ୍ ଅଭିନେତା ଆମୀର ଖାନ୍ ସବୁବେଳେ ସମାଜ ସହ ଜଡ଼ିତ ବିଭିନ୍ନ ଘଟଣା ଉପରେ ନିଜର ମତ ରଖିଥାଆନ୍ତି। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଜଳ ସଙ୍କଟ ଏକ ବଡ଼ ସମସ୍ୟାଭାବେ ଉଭା ହୋଇଥିବା ବେଳେ ଏହାକୁ ନଜରରେ ରଖି ମୋଦି ସରକାର ଆରମ୍ଭ କରିଛନ୍ତି ‘ଜଳ ଶକ୍ତି ଅଭିଯାନ’, ଯାହାକୁ ନା କେବଳ ସାଧାରଣ ଲୋକ, ବରଂ ବଡ଼ ବଡ଼ ଲୋକ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି।

ନିକଟରେ ଆମୀର ପ୍ରଧାନମନ୍ତ୍ରୀଙ୍କ ଏହି ଅଭିଯାନ ସମ୍ପର୍କରେ ଟୁଇଟରରେ ଏକ ପୋଷ୍ଟ୍ କରିଛନ୍ତି, ଯାହାକି ଚର୍ଚ୍ଚାର ବିଷୟ ହୋଇଛି। ସେ ଟୁଇଟ୍ କରିଛନ୍ତି, ‘ଜଳକୁ ମୌଳିକ ତଥା ପ୍ରାଥମିକ ଆବଶ୍ୟକତା ବନାଇବାରେ ଆପଣଙ୍କର ଏହି ପ୍ରୟାସ ଅତ୍ୟନ୍ତ ମହତ୍ତପୂର୍ଣ୍ଣ। ଆମର ପୂରା ସମର୍ଥନ ଆପଣଙ୍କ ସହିତ ଅଛି।’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମୀରଙ୍କ ଏହି ଟୁଇଟ୍ କୁ ପ୍ରଶଂସା କରି ଲେଖିଛନ୍ତି, ‘ଜଳ ସଂରକ୍ଷଣ ଏବଂ ଏ ନେଇ ଲୋକଙ୍କୁ ସଚେତନ କରିବାରେ ଆମୀରଙ୍କ ଏହି ଉଦ୍ୟମ ବେଶ୍ ପ୍ରଂଶସନୀୟ।’

ପ୍ରଧାନମନ୍ତ୍ରୀ ଗତ ଜୁନ୍ ୩୦ରେ ‘ମନ୍ କୀ ବାତ୍’ କାର‌୍ୟ୍ୟକ୍ରମରେ ଦେଶରେ ବଢ଼ିଚାଲିଥିବା ଜଳ ସମସ୍ୟା ଉପରେ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ଆମେ କେବଳ ବର୍ଷା ଜଳର ୮ ପ୍ରତିଶତ ସଂରକ୍ଷଣ କରିପାରୁଛୁ। ଯଦି ଜଳ ସଂରକ୍ଷଣର କ୍ଷମତାକୁ ବଢ଼ାଇ ଦିଆଯିବ, ତା’ହେଲେ ଏହାଦ୍ବାରା ଜଳ ସଙ୍କଟ ଦୂର ହୋଇପାରିବ। ଏହି ପରିପ୍ରେକ୍ଷୀରେ ମୋଦି ସ୍ବଚ୍ଛତା ଅଭିଯାନ ଭଳି ଜଳ ସଂରକ୍ଷଣକୁ ଏକ ଆନ୍ଦୋଳନ କରିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି।

ଜଳ ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ପୂର୍ବରୁ ‘ଜଳ ଶକ୍ତି ମନ୍ତ୍ରଣାଳୟ’ ସ୍ଥାପନ କରି ଏହାକୁ ଗୁରୁତ୍ବ ଦେଇଥିଲେ। ଆଗାମୀ ୨୦୨୪ ସୁଦ୍ଧା କେନ୍ଦ୍ର ସରକାର ଦେଶର ପ୍ରତ୍ୟେକଙ୍କ ଘରେ ‘ନଲ ସେ ଜଲ’ ପହଞ୍ଚାଇବା ପାଇଁ ଏକ ବଡ଼ ଲକ୍ଷ୍ୟ ଧାର‌୍ୟ୍ୟ କରିଛନ୍ତି।
ତେବେ ଦିଲ୍ଲୀରେ ବର୍ତ୍ତମାନ ଜଳ ସଙ୍କଟ ଗମ୍ଭୀର ରୂପ ଧାରଣ କରିଛି। ଦିଲ୍ଲୀ ଜଳ ବୋର୍ଡ ଦ୍ବାରା ପାଖାପାଖି ୮୧ ପ୍ରତିଶତ ଲୋକଙ୍କୁ ଜଳ ଯୋଗାଇ ଦିଆଯାଉଛି। ସେଠି ୧୯ ପ୍ରତିଶତ ଲୋକଙ୍କ ପାଖରେ ଏବେ ବି ପାଣିର ସୁବିଧା ପହଞ୍ଚାଯାଇପାରିନାହିଁ।

ଏଭଳି ସ୍ଥିତିରେ ଦିଲ୍ଲୀ ସରକାର ରାଜଧାନୀରେ ଜଳର ଉପଲବ୍ଧତା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କେଜ୍ରିୱାଲ ସରକାରଙ୍କ କହିବାନୁସାରେ, ସେ କ୍ଷମତାକୁ ଆସିବା ପରେ ରାଜଧାନୀ ଦିଲ୍ଲୀରେ ଜଳ ସମସ୍ୟା ସୁଧୁରିଛି। ଦିଲ୍ଲୀ ସରକାର ନିକଟରେ ୫୦୦ କୋଟି ଟଙ୍କା ବ୍ୟୟରେ ଚନ୍ଦ୍ରାଭାଲ ଅଞ୍ଚଳରେ ଏକ ୱାଟର ଟ୍ରିଟ୍ ମେଣ୍ଟ ପ୍ଲାଣ୍ଟ ସ୍ଥାପନ କରିଛନ୍ତି, ଯାହାକି ୨୪ଲକ୍ଷ ଜନସାଧାରଣଙ୍କୁ ଜଳ ଯୋଗାଇବାରେ ପର‌୍ୟ୍ୟାପ୍ତ ହେବ। ଏହି ଟ୍ରିଟ୍ ମେଣ୍ଟ ପ୍ଲାଣ୍ଟ ଆସନ୍ତା ୩ ବର୍ଷ ପରେ କାମ କରିବା ଆରମ୍ଭ କରିଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.