‘ଲାଲ୍‌ ସିଂ ଚଢ଼ା’ ଫ୍ଲପ୍‌ ହେବାରୁ ଗଭୀର ଅବସାଦରେ ଆମିର ଖାନ…! ଫିଲ୍ମ ବିତରଣଙ୍କୁ ଦେବେ ପ୍ରଚୁର କ୍ଷତିପୂରଣ

ଫିଲ୍ମ ‘ଲାଲ୍‌ ସିଂ ଚଢ଼ା’ର ଅସଫଳତାକୁ ନେଇ ଆମିର ଖାନ ଗଭୀର ଅବସାଦରେ ଅଛନ୍ତି। ମିଡିଆ ରିପୋର୍ଟ ମୁତାବକ, ଏହି ଫିଲ୍ମ ଯୋଗୁ ଡିଷ୍ଟ୍ରିବ୍ୟୁଟରମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଛି ଏବଂ ସେମାନେ ଫିଲ୍ମର ନିର୍ମାତାଙ୍କୁ ପ୍ରଚୁର କ୍ଷତିପୂରଣ ଦାବି କରିଛନ୍ତି। ଆମିର ନିଜେ ଏହି ଫିଲ୍ମର କୋ-ପ୍ରଡ୍ୟୁସର ଅଛନ୍ତି। ଖବର ରହିଛି, ଏହି ଫିଲ୍ମ ଫ୍ଲପ୍‌ ହେବାର ଦୋଷ ଆମିର ନିଜ ମୁଣ୍ଡକୁ ନେଇଛନ୍ତି। ଯଦିଓ ଏହାକୁ ନେଇ ସେ କୌଣସି ଅଫିସିଆଲ ବୟାନ ଦେଇ ନାହାନ୍ତି।

ରିପୋର୍ଟ ଅନୁସାରେ, ଆମିର ଖାନ ଓ ତାଙ୍କ ପୂର୍ବତନ ପତ୍ନୀ କିରଣ ରାଓଙ୍କର ଜଣେ ବନ୍ଧୁ କହିଛନ୍ତି କି, ଆମିର ଲାଲ୍‌ ସିଂ ଚଢ଼ା ପାଇଁ ବହୁତ ପରିଶ୍ରମ କରିଥିଲେ। ଫରେଷ୍ଟ୍‍ ଗମ୍ପ୍‌ର ବେଷ୍ଟ ଭର୍ସନକୁ ସେ ଦର୍ଶକଙ୍କ ସାମ୍ନାକୁ ଆଣିବା ପାଇଁ ଚେଷ୍ଟା କରିଥିଲେ। ହେଲେ ରିଲିଜ୍‌ ପରେ ଲୋକଙ୍କ ପ୍ରତିକ୍ରିୟା ତାଙ୍କ ଉପରେ ଖରାପ ପ୍ରଭାବ ପକାଇଛି। ଏଥିପାଇଁ ସେ ଗଭୀର ଅବସାଦକୁ ଚାଲି ଯାଇଛନ୍ତି। ଏଭଳି ସ୍ଥିତିକୁ ସେ ଆଦୌ ସହ୍ୟ କରିପାରୁ ନାହାନ୍ତି।

ଲାଲ୍‌ ସିଂ ଚଢ଼ାର ବିଜନେସ୍‌ରେ ହୋଇଥିବା କ୍ଷତି ପରେ ଫିଲ୍ମ ଡିଷ୍ଟ୍ରିବ୍ୟୁଟରମାନେ ଏ ନେଇ କ୍ଷତିପୂରଣ ଦାବି କରିଛନ୍ତି। ସେମାନଙ୍କ କହିବା ମୁତାବକ, ଏହି ଫିଲ୍ମରେ ସେମାନଙ୍କୁ ଆର୍ଥିକ ଭାବେ ବହୁତ କ୍ଷତି ହୋଇଛି। ଏଭଳି ସ୍ଥିତିରେ ଫିଲ୍ମର ନିର୍ମାତା ଡିଷ୍ଟ୍ରିବ୍ୟୁଟରମାନଙ୍କ କ୍ଷତିକୁ ଭରଣା କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

କହି ରଖୁଛୁ, ଲାଲ୍‌ ସିଂ ଚଢ଼ା ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ଥିଲା। କିନ୍ତୁ ଆମିର ଓ କରୀନାଙ୍କ ପୁରୁଣା ବୟାନଗୁଡ଼ିକ କାରଣରୁ ସୋସିଆଲ ମିଡିଆରେ ଏହାର ବୟକଟ୍‌ ଅଭିଯାନ ଆରମ୍ଭ ହୋଇଥିଲା, ଯାହାର ପ୍ରଭାବ ବକ୍ସ ଅଫିସ୍‌ ଉପରେ ଦେଖିବାକୁ ମିଳିଥିଲା। ୧୮୦ କୋଟି ବଜେଟ୍‌ରେ ପ୍ରସ୍ତୁତ ଏହି ଫିଲ୍ମ ପ୍ରଥମ ଓ୍ଵିକେଣ୍ଡରେ ମାତ୍ର ୩୮.୨୧ କୋଟି ଟଙ୍କା ଆୟ କରି ପାରିଛି। ଯେତେବେଳେ କି, ଆମିରଙ୍କ ପୂର୍ବ ଫିଲ୍ମଗୁଡ଼ିକରେ ଏହାଠାରୁ ଅଧିକ ଆୟ ପ୍ରଥମ ଦିନରେ ହିଁ ହୋଇଥିଲା।

ଲାଲ୍‌ ସିଂ ଚଢ଼ା ଫିଲ୍ମକୁ ନେଇ ଦିଲ୍ଲୀର ଜଣେ ଓକିଲ ଭିନିତ୍‌ ଜିନ୍ଦଲ ଦିଲ୍ଲୀ ପୋଲିସ କମିଶନରଙ୍କ ନିକଟରେ ଆମିର ଖାନ, ପାରାମାଉଣ୍ଟ୍‌ ପିକ୍ଚର ଏବଂ ଅନ୍ୟ ଲୋକମାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଓକିଲଙ୍କ ଅଭିଯୋଗ ଅନୁଯାୟୀ, ଆମିର ନିଜ ଫିଲ୍ମ ‘ଲାଲ୍‌ ସିଂ ଚଢ଼ା’ ଦ୍ୱାରା ଭାରତୀୟ ସେନାର ଘୋର ଅପମାନ କରିବା ସହିତ ହିନ୍ଦୁ ସମାଜର ଭାବନାକୁ ଆଘାତ ପହଞ୍ଚାଇଛନ୍ତି।

Leave A Reply

Your email address will not be published.