ବଲିଉଡ୍ରେ ନେପୋଟିଜମ୍ ଚର୍ଚ୍ଚା ମଧ୍ୟରେ ଅଭିଷେକ ବଖାଣିଲେ ନିଜ ସଂଘର୍ଷ କଥା, କହିଲେ- ‘ବହୁ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ଭେଟିବା ପରେ ବି କେହି…’
ଅଭିଷେକ ବଚ୍ଚନ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିବା ୨୦ ବର୍ଷ ହେଲାଣି। ଫିଲ୍ମ ସୁଟିଂ ବନ୍ଦ ଥିବାରୁ ଏବେ ସେ ନିଜ ଇନ୍ଷ୍ଟାଗ୍ରାମ୍ରେ ଏକ ସିରିଜ୍ ଚଲାଉଛନ୍ତି। ଏହି ସିରିଜ୍ରେ ସେ ନିଜ ବଲିଉଡ୍ ଯାତ୍ରା ବିଷୟରେ ଲେଖିଛନ୍ତି। ଏବେ ଅଭିଷେକଙ୍କର ଆଉ ଏକ ନୂଆ ପୋଷ୍ଟ ଆସିଛି। ଏହି ପୋଷ୍ଟରେ ସେ ୨୦୦୯ ବର୍ଷ ବିଷୟରେ ଲେଖିଛନ୍ତି। ଏଥିରେ ସେ ନିଜ କ୍ୟାରିୟରରେ କରିଥିବା ସଂଘର୍ଷ କଥା ଲେଖିଛନ୍ତି।
ଏହି ପୋଷ୍ଟରେ ଅଭିଷେକ ବଚ୍ଚନ ଲେଖିଛନ୍ତି ‘ବର୍ଷ ୨୦୦୯। ଦିଲ୍ଲୀ ୬ ଓ ପା। ଅଧିକାଂଶ ଲୋକ ଜାଣିନଥିବେ ଯେ ମୁଁ ଓ ରାକେଶ ଓମ୍ପ୍ରକାଶ ମେହେରା ନିଜ କ୍ୟାରିୟର ଏକାଠି ଆରମ୍ଭ କରିବାକୁ ଚାହୁଁଥିଲୁ। ସେ ମୋତେ ସମଝୌତା ଏକ୍ସପ୍ରେସ୍ ପାଇଁ ଡାଇରେକ୍ଟ କରିବାକୁ ଚାହୁଁଥିଲେ। କିନ୍ତୁ ବହୁ ଚେଷ୍ଟା ପରେ ବି ଆମକୁ କେହି ଲଞ୍ଚ୍ କରିବା ଲୋକ ମିଳିଲେ ନାହିଁ। ମୋର ମନେ ବି ନାହିଁ ମୁଁ କେତେ ପ୍ରଡ୍ୟୁସର ଓ ଡାଇରେକ୍ଟରଙ୍କୁ ଭେଟିଛି ଓ ତାଙ୍କୁ ଅଭିନୟ କରିବାକୁ ସୁଯୋଗ ମାଗିଛି। କିନ୍ତୁ କେହି ସୁଯୋଗ ଦେଇନଥିଲେ। ଆମେ ଦୁଇ ସାଙ୍ଗ ମିଶି ପ୍ଲାନ୍ କଲୁ କିଛି ଏମିତି କରିବା ଯେଉଁଥିରେ ରାକେଶ ନିର୍ଦ୍ଦେଶନା ଦେବେ ଓ ମୁଁ ଅଭିନୟ କରିବି। ଏଭଳି ଭାବେ ଜନ୍ମ ନେଇଥିଲା ସମଝୌତା ଏକ୍ସପ୍ରେସ। କିନ୍ତୁ ଏହା ସଫଳ ହୋଇନଥିଲା। ତା’ପରେ ରାକେଶ ମୋ ପିତାଙ୍କ ସହ ଅକ୍ସ ତିଆରି କଲେ ଓ ମୁଁ ଜେପି ସାହେବଙ୍କୁ ଭେଟିଲି। ସେ ଆଖିରୀ ମୁଗଲ ପାଇଁ ନୂଆ ମୁହଁ ଖୋଜୁଥିଲେ। ମୁଁ ଲକି ଥିଲି ଯେ ତାଙ୍କୁ ପସନ୍ଦ ଆସିଲି। କିନ୍ତୁ ଆଖିରି ମୁଗଲ ନିର୍ମାଣ ହେଲା ନାହିଁ। ମାତ୍ର ସେ ରିଫ୍ୟୁଜି ତିଆରି କରିଥିଲେ ଓ ମୋତେ ସେଥିରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା। ଏହାର ୧୦ ବର୍ଷ ପରେ ରାକେଶ ଓମ୍ପ୍ରକାଶ ମେହେରାଙ୍କ ସହ ମୁଁ ଦିଲ୍ଲୀ ୬ରେ କାମ କରିଥିଲି।
ବର୍ତ୍ତମାନ ସୁଶାନ୍ତ ସିଂହ ରାଜପୁତଙ୍କ ଘଟଣାକୁ ନେଇ ସମସ୍ତ ଷ୍ଟାର କିଡ୍ ଟ୍ରୋଲ ହେଉଥିବା ବେଳେ ଅଭିଷେକ ନିଜେ ଜଣେ ଷ୍ଟାର କିଡ୍ ହୋଇଥିଲେ ବି ତାଙ୍କୁ କିଭଳି ସଂଘର୍ଷର ସାମ୍ନା କରିବାକୁ ପଡ଼ିଥିଲା ତାହା ସେୟାର କରିଛନ୍ତି। ଲୋକମାନେ ଅଭିଷେକଙ୍କର ଏହି ପୋଷ୍ଟରେ ପ୍ରବଳ ଲାଇକ୍ ଓ କମେଣ୍ଟ କରିଥିବା ଦେଖାଯାଇଛି।