ଫିଲ୍ମ ଦୁନିଆ ଛାଡି ନୂଆ ଜୀବନ ଆରମ୍ଭ କେଲେ ମମତା କୁଲକର୍ଣ୍ଣି, ହେଲେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର

ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ମମତା କୁଲକର୍ଣ୍ଣି ପୁଣି ଏବେ ଚର୍ଚ୍ଚାରେ। ମମତା ଏବେ ପୁରୁଣା ଜୀବନକୁ ତ୍ୟାଗ କରି ମହାମଣ୍ଡଳେଶ୍ୱର ହୋଇଛନ୍ତି । ଗ୍ଲାମର ଓ ଫିଲ୍ମର ମାର୍ଗକୁ ସେ ସବୁଦିନ ପାଇଁ ଛାଡି ନିଜ ଅତୀତ ଜୀବନକୁ ପଛରେ ପକାଇ ଏକ ନୂଆ ଜୀବନକୁ ଆପଣେଇ ନେଇଛନ୍ତି । ଅଭିନେତ୍ରୀ ମମତା କୁଲକର୍ଣ୍ଣି ବର୍ତ୍ତମାନ ସନ୍ୟାସ ଜୀବନ ଆରମ୍ଭ କରିଛନ୍ତି । ଏଣିକି ସେ କିନ୍ନର ଆଖଡ଼ାରେ ମହାମଣ୍ଡଳେଶ୍ୱର ହେବେ। ୫୨ ବର୍ଷିୟ ମମତା ଏବେ ତାଙ୍କ ଘରୋଇ ଜୀବନରୁ ଅବସର ନେଇ ଜଣେ ସନ୍ଥଙ୍କ ଜୀବନଯାପନ ଆରମ୍ଭ କରିବେ। କିନ୍ନର ଆଖଡ଼ାରେ ତାଙ୍କୁ ମହାମଣ୍ଡଳେଶ୍ୱର କରାଯିବ।
ଗତକାଲି ମମତା କୁଲକର୍ଣ୍ଣି ଗେରୁଆ ପୋଷାକ ପରିଧାନ କରି ମହାକୁମ୍ଭର ସେକ୍ଟର ୧୬ରେ ଅବସ୍ଥିତ କିନ୍ନର ଆଖଡ଼ା ଶିବିରରେ ପହଞ୍ଚିଥିଲେ । ଯେଉଁଠାରେ ତାଙ୍କର ପଟ୍ଟାଭିଷେକ ଅନୁଷ୍ଠିତ ହୋଇଛି । ଏନେଇ କିନ୍ନର ଆଖଡ଼ା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସଙ୍ଗମରେ ପିଣ୍ଡ ଦାନ ପରେ, କିନ୍ନର ଆଖଡ଼ାରେ ତାଙ୍କର ପଟ୍ଟାଭିଷେକ କଟାଯିଛି । ଏଣିକି ତାଙ୍କର ନାମ ୟାମାୟୀ ମମତା ନନ୍ଦ ଗିରି ବୋଲି ସୂଚନା ଦେଇଛନ୍ତି କିନ୍ନର ଆଖାଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ । ସେପଟେ ମମତା କୁଲକର୍ଣ୍ଣିଙ୍କ ଆଗମନ ଖବର ପାଇ ଲୋକଙ୍କ ବେଶ୍ ଭିଡ଼ ଜମିଥିଲା ।
ଅନ୍ୟପଟେ ୨୦୦୦ ମସିହାରେ ମମତା କୁଲକର୍ଣ୍ଣି ମୁମ୍ବାଇ ସହିତ ଭାରତ ଛାଡ଼ି ଚାଲି ଯାଇଥିଲେ। ଭାରତ ଫେରିବା ପରେ କୁଲକର୍ଣ୍ଣି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କହିଛନ୍ତି, ‘ଭାରତ ମାଟିରେ ପାଦ ଦେଇ ମୁଁ ଖୁବ ଖୁସି । ସମସ୍ତଙ୍କୁ ମୋର ନମସ୍କାର । ମୁଁ ମମତା କୁଲକର୍ଣ୍ଣି ଭାରତକୁ ୨୫ବର୍ଷ ଫେରିଛି । ଭାବୁକ ହୋଇଯାଉଛି । ମନର ଭାବନାକୁ କେମିତି ପ୍ରକାଶ କରିବି ଜାଣି ପାରୁ ନାହିଁ ।’
୧୯୯୨ ମସିହାରେ ଫିଲ୍ମ ‘ତ୍ରିରଙ୍ଗା’ରୁ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିବା ମମତା ତାଙ୍କ ସମୟରେ ଅନୁନ୍ୟ ୪୦ଟି ଫିଲ୍ମରେ କାମ କରିଛନ୍ତି। ୨୦୦୧ ମସିହାରେ ଆସିଥିବା ଫିଲ୍ମ ‘ଛୁପା ରୁସ୍ତମ’ ତାଙ୍କ କ୍ୟାରିୟରର ଶେଷ ଫିଲ୍ମ ଥିଲା । ୨୦୦୨ ମସିହାରେ ସେ ଏଣ୍ଟରଟୈନମେଣ୍ଟ ଇଣ୍ଡଷ୍ଟ୍ରି ଛାଡି କେନ୍ୟା ଚାଲିଯାଇଥିଲେ । ଉଲ୍ଲେଖଯୋଗ୍ୟ ଯେ ମମତା ହିନ୍ଦୀ ଫିଲ୍ମ ବ୍ୟତୀତ କନ୍ନଡ, ତାମିଲ, ତେଲଗୁ ଓ ବଙ୍ଗଳା ଭାଷାର ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ଦୀର୍ଘ ୨୪ ବର୍ଷ ପରେ ମମତା ନିକଟରେ ଭାରତ ଫେରିଛନ୍ତି ।
ଆହୁରି ପଢନ୍ତୁ : ଶ୍ରେୟସ ତଲପଡେ ଓ ଆଲୋକ ନାଥଙ୍କ ବିରୋଧରେ ମାମଲା, ହୋଇଛି କୋଟି କୋଟି ଟଙ୍କାର ଜାଲିଆତି