ମୁମ୍ବାଇର ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଟିମ୍ ବଲିଉଡ ଅଭିନେତା ରାଜପାଲ ଯାଦବଙ୍କ କଚେରି ଓଭରବ୍ରିଜ ନିକଟରେ ଥିବା ସେଥ୍ ଏନକ୍ଲେବ୍ କଲୋନୀରେ କୋଟି କୋଟି ଟଙ୍କାର ସମ୍ପତ୍ତି ସିଲ୍ କରିଛି । ତେବେ ରାଜପାଲ ଫିଲ୍ମ ତିଆରି କରିବା ପାଇଁ ୩ କୋଟି ଲୋନ୍ ନେବା ପାଇଁ ନିଜ ସମ୍ପତ୍ତି ଏବଂ ଘରକୁ ବନ୍ଧା ପକାଇଥିଲେ । କିନ୍ତୁ ବର୍ତ୍ତମାନ ଅଭିନେତା ଏହି ଲୋନ୍ ସୁଝିନପାରିବା ଯୋଗୁ ତାଙ୍କ ଘରକୁ ସିଲ୍ କରାଯାଇଛି । ଏବେ ଏହି ଖବର ସବୁ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ।
ରାଜପାଲ ତାଙ୍କ ବାପା ଓ ମା’ଙ୍କ ନାମରେ ତିଆରି କରିଥିବା ଶ୍ରୀ ନୌରାଙ୍ଗ ଗୋଦାବରୀ ଏଣ୍ଟରଟେନମେଣ୍ଟ ଲିମିଟେଡ ପ୍ରଡକ୍ସନ୍ ହାଉସରେ ଏହି ଫିଲ୍ମ ନିର୍ମାଣ କରିଥିଲେ । ତେବେ ଏହି ପ୍ରଡକ୍ସନ୍ ହାଉସ୍ ତାଙ୍କ ସ୍ତ୍ରୀ ରାଧା ଯାଦବଙ୍କ ନାମରେ ରହିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ସହିତ ରାଜପାଲ ଏବଂ ଓମ୍ ପୁରୀ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଶାହାଜାହାନପୁରର ସମସ୍ତ କଳାକାର ଏହି ଫିଲ୍ମରେ କାମ କରିବାର ସୁଯୋଗ ପାଇଥିଲେ ।
ଏପରି ମଧ୍ୟ କୁହାଯାଉଛି ଯେ ଏହି ଫିଲ୍ମର ପ୍ରଡକ୍ସନ୍ ପାଇଁ ଅଭିନେତା ମୁମ୍ବାଇର ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୩ କୋଟି ଟଙ୍କା ଲୋନ୍ ନେଇଥିଲେ । ସେ ଗ୍ୟାରେଣ୍ଟି ଭାବରେ ତାଙ୍କ ବାପାଙ୍କ ନାମରେ ଥିବା ଜମି ଏବଂ କୋଠା ବନ୍ଧକ ରଖିଥିଲେ । ତେବେ ଲୋନ୍ ସୁଝି ନପାରିବା କାରଣରୁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ, ମୁମ୍ବାଇ ଶାଖା ଟିମ୍ ଅଗଷ୍ଟ ୮ ରେ ସଦର ବଜାର ପୋଲିସକୁ ନୋଟିସ୍ ପଠାଇ ଫୋର୍ସ ଦାବି କରିଥିଲା । ପରେ, ବ୍ୟାଙ୍କ ଟିମ୍ ପୋଲିସକୁ ନ ନେଇ ସେଥ୍ ଏନକ୍ଲେଭରେ ଥିବା କୋଟି କୋଟି ମୂଲ୍ୟର ସମ୍ପତ୍ତିକୁ ଗୁପ୍ତରେ ସିଲ୍ କରିଥିଲେ । ସୂଚନାନୁସାରେ, ରାଜପାଲ ୩ କୋଟି ଟଙ୍କା ଲୋନ୍ ନେଇଥିଲେ ଯାହା ଏବେ ୧୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।
ରାଜପାଲ ଯାଦବଙ୍କ ସମ୍ପତ୍ତି କଚେରି ଓଭରବ୍ରିଜ ନିକଟରେ । ଏପରି ମଧ୍ୟ ସୂଚନା ରହିଛି ଯେ ମାର୍ବଲ ବିକ୍ରେତାଙ୍କୁ ଭଡା ଉପରେ ବାହାର ସ୍ଥାନ ଦିଆଯାଇଛି । ବ୍ୟାଙ୍କ ଟିମ୍ ବିଲ୍ଡିଂର ଗେଟ୍ରେ ତାଲା ଦେଇଛନ୍ତି । ଏହି କାମ ଏତେ ଶୀଘ୍ର ହୋଇଥିଲା ଯେ ଘର ଭିତରେ ଚାଲୁଥିବା କୁଲର୍ ମଧ୍ୟ ବନ୍ଦ କରାଯାଇନଥିଲା । ଯଦି ଅଭିନେତା ରାଜପାଲଙ୍କ ବିଷୟରେ କହିବା, ତାହେଲେ ସେ ତାଙ୍କ ଅଭିନୟ ଜରିଆରେ ଅନେକ ଲୋକଙ୍କ ମନ ଜିତିଛନ୍ତି । ଏହା ସହ ଫ୍ୟାନ୍ସ ତାଙ୍କ ଫିଲ୍ମକୁ ପସନ୍ଦ କରିବା ସହିତ ତାଙ୍କୁ ମଧ୍ୟ ବହୁତ ଭଲ ପାଇବା ଦିଅନ୍ତି ।