ସଂପୂର୍ଣ୍ଣ ବଚ୍ଚନ ପରିବାର କୋଭିଡରୁ ସୁସ୍ଥ ହେବା ପରେ ଏବେ ଜୟା ହେଲେ କରୋନା ସଂକ୍ରମିତ, ଅଧାରେ ରହିଲା ଫିଲ୍ମ ସୁଟିଂ

୨୦୨୦ ସଂପୂର୍ଣ୍ଣ ବଚ୍ଚନ ପରିବାର କୋଭିଡ ସଂକ୍ରମିତ ହୋଇଥିଲେ। ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ବଚ୍ଚନ, ଅଭିଷେକ ବଚ୍ଚନ ଇତ୍ୟାଦି କରୋନା ସଂକ୍ରମିତ ହୋଇଥିଲେ। କିନ୍ତୁ ଜୟା ବଚ୍ଚନ କରୋନା ସଂକ୍ରମିତ ହୋଇନଥିଲେ। ହେଲେ ଏବେ ଜୟା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।
କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘ରକି ଅର ରାନୀ କି ପ୍ରେମ କାହାନୀ’ ଲଗାତାର କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହୁଛି। ନିକଟରେ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅଭିନେତ୍ରୀ ଶବାନା ଆଜମୀ କରୋନା ସଂକ୍ରମିତ ହୋଇଥିଲେ। ଏବେ ଜୟା ବଚ୍ଚନଙ୍କ କରୋନା ରିପୋର୍ଟ ପଜିଟିଭ ହେବା ପରେ ଫିଲ୍ମର ସୁଟିଂକୁ ବନ୍ଦ କରାଯାଇଛି।
ସୂଚନା ଅନୁଯାୟୀ, କିଛି ଦିନ ବ୍ୟବଧାନରେ ଶବାନା ଆଜମୀ ଏବଂ ଜୟା ବଚ୍ଚନଙ୍କ କରୋନା ରିପୋର୍ଟ ପଜିଟିଭ୍ ହୋଇଛି। ଏହି କାରଣରୁ କରଣ ଜୋହର ଫିଲ୍ମର ସୁଟିଂ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ‘ରକି ଅର ରାନୀ କି ପ୍ରେମ କାହାନୀ’ର ସୁଟିଂ ଫେବୃଆରୀ୨ ରେ ଆରମ୍ଭ ହୋଇଥିଲା ଏବଂ ଏହି ସିଡ୍ୟୁଲକୁ ଫେବୃଆରୀ ୧୪ ରେ ଶେଷ କରିବାର ଥିଲା। ବର୍ତ୍ତମାନ ସୁଟିଂ ବନ୍ଦ କରାଯାଇଛି।