ପୂଜା ବେଦୀଙ୍କ ଇ-କମର୍ସ ୱେବସାଇଟ ହ୍ୟାକ, ଦାବି କରାଯାଉଛି ମୁକ୍ତିଧନ, ସାଇବର ସେଲରେ ମାମଲା ଦାଏର କଲେ ଅଭିନେତ୍ରୀ

ପୂର୍ବତନ ମଡେଲ ତଥା ବଲିଉଡ ଅଭିନେତ୍ରୀ ପୂଜା ବେଦୀଙ୍କ ଇ-କମର୍ସ ୱେବସାଇଟ (happysoul.in)କୁ ହ୍ୟାକରମାନେ ହ୍ୟାକ କରିଦେଇଛନ୍ତି। ଏଥିରୁ ମୁକୁଳିବା ପାଇଁ ସେମାନେ ଟଙ୍କା ଦାବି କରିଛନ୍ତି। ତେବେ ମୁକ୍ତିଧନ ନ ଦେଲେ ହ୍ୟାକର୍ସ ତାଙ୍କ ୱେବସାଇଟରେ ଡ୍ରଗ୍ସ ବିକ୍ରି କରିବା ନେଇ ଧମକ ବି ଦେଇଛନ୍ତି। ଏ ନେଇ ପୂଜା ଗୋଆ ପୋଲିସ ସାଇବର ସେଲ ନିକଟରେ ଅଭିଯୋଗ କରିଛନ୍ତି।

ଗୋଆ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ କରି ପୂଜା ବେଦୀ ଟୁଇଟ କରି କହିଛନ୍ତି, ‘ତାଙ୍କ ୱେବସାଇଟକୁ ଦ୍ଵିତୀୟ ଥର ପାଇଁ ହ୍ୟାକ କରି ଦିଆଯାଇଛି। ଏଥର ହ୍ୟାକର୍ସ କହିଛନ୍ତି, ଯଦି ସେ ତାଙ୍କୁ ପଇସା ନ ଦିଅନ୍ତି ସେମାନେ ତାଙ୍କ ୱେବସାଇଟରେ ଡ୍ରଗ୍ସ ବିକ୍ରି କରିବେ। ମୁଁ ପୁରୁଣା ଗୋଆ ପୋଲିସର ସାଇବର ସେଲରେ ମାମଲା ଦାଏର କରିଛି। କିନ୍ତୁ ପୋଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ମୋ କମ୍ପାନୀ ଗୋଆରେ ରେଜିଷ୍ଟର୍ଡ ଅଛି’। ଏହାସହିତ ପୂଜା ହ୍ୟାକର୍ସଙ୍କ ମେଲର ସ୍କ୍ରିନସଟ ବି ସେୟାର କରିଛନ୍ତି, ଯେଉଁଥିରେ ହ୍ୟାକର୍ସ ସମସ୍ତ ଭେଣ୍ଡର୍ସକୁ ହ୍ୟାକ କରିବାର ଧମକ ଦେଇଛନ୍ତି ଏବଂ ଏହା ଶେଷ ମୌକା ବୋଲି କହିଛନ୍ତି।