କାମ ନ ମିଳିବାରୁ ୪ ବର୍ଷ ହେଲା ହାତ ବାନ୍ଧି ବସିଛନ୍ତି ଅଭିନେତ୍ରୀ ଶଗୁଫତା ଅଲ୍ଲୀ, ଚିକିତ୍ସା ପାଇଁ ବି ନାହିଁ ଅର୍ଥ

କରୋନା ମହାମାରୀ ଯୋଗୁ ପ୍ରାୟ ସମସ୍ତେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। କେବଳ ସାଧାରଣ ଲୋକ ନୁହେଁ, ଟେଲିଭିଜନ୍‌ ଓ ସିନେ ଷ୍ଟାର ବି ଏବେ ରୋଜଗାର ପାଉନାହାନ୍ତି। ସେମାନଙ୍କ ସୁଟିଂ ବି ଲକ୍‌ଡାଉନ୍‌ ଯୋଗୁ ବନ୍ଦ ରହିଛି। ଏଭଳି ସ୍ଥିତିରେ ଦୀର୍ଘ ୩୬ ବର୍ଷ ହେଲା ଫିଲ୍ମ ଓ ଟେଲିଭିଜନ୍‌ ଜଗତରେ ସକ୍ରିୟ ଥିବା ଶଗୁଫତା ଅଲ୍ଲୀ ମଧ୍ୟ ଆର୍ଥିକ ଦୂରାବସ୍ଥାର ସାମ୍ନା କରୁଛନ୍ତି। ଏବେ ତାଙ୍କ ହାତରେ କିଛି କାମ ନାହିଁ।

ରିପୋର୍ଟ ମୁତାବକ, କରୋନା ଲକ୍‌ଡାଉନ୍‌ ଯୋଗୁ ତାଙ୍କୁ କାମ ମିଳୁନାହିଁ। ଏଣୁ ତାଙ୍କ ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଯାଇଛି। ଏମିତିକି ନିଜ ଚିକିତ୍ସା ପାଇଁ ବି ତାଙ୍କ ନିକଟରେ ଅର୍ଥ ନାହିଁ। ଏକ ମିଡିଆ ଚ୍ୟାନେଲ ସହ କଥାବାର୍ତ୍ତା କରିବା ବେଳେ ଶରୁଫତା ନିଜେ ହିଁ ଏହି କଥା କହିଛନ୍ତି। ସେ କହିଛନ୍ତି, ମୁଁ ଜୀବନରେ ବହୁତ କଷ୍ଟ କରିଛି। ରୋଗ ସହ ଲଢ଼ି ଆଜି ଏଠାରେ ପହଞ୍ଚିଛି। ଏବେ ମୋତେ ୫୪ ବର୍ଷ ଓ ଦେହ ଖୁବ୍‌ ଖରାପ। ସୁଗାର ଲେବଲ ବଢ଼ିବା ଯୋଗୁ ମୋ ଗୋଡ଼ ଓ ଆଖି ପ୍ରଭାବିତ ହୋଇଛି। ମୋ ନିଜର ଚିକିତ୍ସା କରାଇବାର ଅଛି। କିନ୍ତୁ ହାତରେ ଅର୍ଥ ନାହିଁ।

ତେବେ ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ ଶଗୁଫତା କ୍ୟାନ୍‌ସର ସହ ଲଢ଼ି ଜିତିଛନ୍ତି। ସେ ଥାର୍ଡ ଷ୍ଟେଜ୍‌ କ୍ୟାନ୍‌ସରରୁ ସୁସ୍ଥ ହୋଇଛନ୍ତି। କିନ୍ତୁ କେବେ ବି ଏ ବିଷୟରେ କାହାକୁ କହିନାହାନ୍ତି। କେବଳ ତାଙ୍କର କିଛି ପାଖ ଲୋକଙ୍କୁ ଏକଥା ଜଣାଅଛି। ମାତ୍ର ଏବେ ତାଙ୍କ ଦେହ ପୁଣି ଖରାପ ହେବାରେ ଲାଗିଲାଣି।

ପ୍ରକାଶ ଯେ ଶଗୁଫତା ଦର୍ଦ, କାନୁନ୍‌ ଅପନା ଅପନା, ବୀର କି ଅରଦାସ ବୀରା, ପୁନର୍ବିବାହ, ବେପନାହ ଭଳି ସିରିୟଲରେ କାମ କରିଛନ୍ତି। ଏଥିସହ ସେ ହିରୋ ନମ୍ବର ୧, ସିର୍ଫ ତୁମ୍‌, ଅଜୁବା ଓ ଇଣ୍ଟରନ୍ୟାସନାଲ ଖିଲାଡ଼ି ଭଳି ଫିଲ୍ମରେ ବି ନିଜ ଅଭିନୟ ଯାଦୁ ଦେଖାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.