ବଙ୍ଗାଳି ଅଭିନେତ୍ରୀ ସୁଚନ୍ଦ୍ର ଦାସଗୁପ୍ତାଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ, ସୁଟିଂ ସାରି ଘରକୁ ଫେରୁଥିଲେ
ପଶ୍ଚିମବଙ୍ଗର ଲୋକପ୍ରିୟ ଅଭିନେତ୍ରୀ ସୁଚନ୍ଦ୍ର ଦାସଗୁପ୍ତାଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। କୁହାଯାଉଛି ଯେ ସୁଟିଂରୁ ଫେରୁଥିବା ସମୟରେ ତାଙ୍କ ବାଇକ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା।
ପଶ୍ଚିମବଙ୍ଗର ଲୋକପ୍ରିୟ ଅଭିନେତ୍ରୀ ସୁଚନ୍ଦ୍ର ଦାସଗୁପ୍ତାଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। କୁହାଯାଉଛି ଯେ ସୁଟିଂରୁ ଫେରୁଥିବା ସମୟରେ ତାଙ୍କ ବାଇକ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା, ଯାହାଫଳରେ ସେ ରାସ୍ତାରେ ପଡ଼ିଯାଇଥିଲେ। ଏହି ସମୟରେ ଟ୍ରକର ଚକ ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
ସୁଚନ୍ଦ୍ର ଦାସଗୁପ୍ତଙ୍କ ଅକାଳ ବିୟୋଗରେ ତାଙ୍କ ପରିବାର ଏବଂ ବଙ୍ଗଳା ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ଖବର ରହିଛି, ସୁଚନ୍ଦ୍ର ଶନିବାର ରାତିରେ ସୁଟିଂ ସାରି ଘରକୁ ଫେରୁଥିଲେ। ଏଥିପାଇଁ ସେ ଆପ୍ ଜରିଆରେ ବାଇକ୍ ବୁକ୍ କରିଥିଲେ।
ବାଇକ୍ ଆରୋହୀଙ୍କ ସାମ୍ନାକୁ ଜଣେ ସାଇକେଲ୍ ଆରୋହୀ ଆସିଯାଇଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ବାଇକ୍ ଆରୋହୀ ହଠାତ୍ ବ୍ରେକ୍ ମାରିଥିଲେ। ସେତେବେଳେ ପଛରୁ ଆସୁଥିବା ଟ୍ରକ ବାଇକକୁ ଧକ୍କା ଦେଇଥିଲା।
ଧକ୍କା ହେବା ପରେ ୨୯ ବର୍ଷୀୟା ଅଭିନେତ୍ରୀ ବାଇକରୁ ଖସିପଡିଥିଲେ। ଫଳରେ ପଛରୁ ଆସୁଥିବା ଟ୍ରକ ତାଙ୍କ ମୁଣ୍ଡ ଉପରେ ଚଢ଼ିଯିବାରୁ ସୁଚନ୍ଦ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରି ନିଜର କ୍ରୋଧ ପ୍ରକାଶ କରିଥିଲେ।
ଦୁର୍ଘଟଣାର ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ପୋଲିସ ଟ୍ରକକୁ ଜବତ କରି ଟ୍ରକ ଡ୍ରାଇଭରଙ୍କୁ ଗିରଫ କରିଛି।