ପୁଷ୍ପାର ଅଭୂତପୂର୍ବ ସଫଳତା ପରେ ଏବେ ପରଦାକୁ ହିନ୍ଦୀରେ ଆସିବ ଅଲ୍‌ଲୁ ଅର୍ଜୁନ୍‌ଙ୍କ ‘ଅଲା ବୈକୁଣ୍ଠପୂରାମୁଲ୍‌ଲ’

ସାଉଥ୍‌ ଷ୍ଟାର ଅଲ୍‌ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ଗତ ବର୍ଷ ସିନେମା ହଲ୍‌ରେ ରିଲିଜ୍‌ ହୋଇଥିବା ବେଳେ ଇତିମଧ୍ୟରେ ଦର୍ଶକଙ୍କର ଭରପୂର ଭଲ ପାଇବା ପାଇଛି। ଏବେ ବି ଲୋକମାନେ ଏହି ଫିଲ୍ମକୁ ପସନ୍ଦ କରୁଥିବା ଦେଖାଯାଇଛି। ପୁଷ୍ପା: ଦ ରାଇଜ୍‌ର ହିନ୍ଦୀ ଭର୍ସନକୁ ବି ଲୋକମାନେ ଖୁବ୍‌ ପସନ୍ଦ କରୁଛନ୍ତି। ଏହି ଫିଲ୍ମ ହଲ୍‌ରେ ଭଲ କଲେକସନ୍‌ କରିଛି। ହିନ୍ଦୀରେ ଡବିଂ କରି ଗତ ମାସରେ ପୁଷ୍ପାକୁ ରିଲିଜ୍‌ କରାଯାଇଥିଲା। ହିନ୍ଦୀ ଡବିଂ ଫିଲ୍ମର ଅଦ୍ଭୁତପୂର୍ବ ସଫଳତା ପରେ ଜଣେ ହିନ୍ଦୀ ହିରୋ ଭାବେ ଅଲ୍‌ଲୁ ଅର୍ଜୁନ୍‌ ମଧ୍ୟ ଇଣ୍ଡଷ୍ଟ୍ରୀରେ ପ୍ରସିଦ୍ଧି ଲାଭ କରିଛନ୍ତି। ତେବେ ବର୍ତ୍ତମାନ ଅଲ୍‌ଲୁ ଅର୍ଜୁନ୍‌ ଆଉ ଏକ ଫିଲ୍ମକୁ ହିନ୍ଦୀରେ ରିଲିଜ୍‌ କରିବାକୁ ଘୋଷଣା କରିଛନ୍ତି।

ହିନ୍ଦୀ ଇଣ୍ଡଷ୍ଟ୍ରୀରେ ପୁଷ୍ପାର ସଫଳତାକୁ ଦେଖି ଅଲ୍‌ଲୁ ନିଜ ହିଟ୍‌ ଫିଲ୍ମ ‘ଅଲା ବୈକୁଣ୍ଠପୂରାମୁଲ୍‌ଲ’କୁ ଏବେ ହିନ୍ଦୀରେ ଡବିଂ କରାଇବାକୁ ଘୋଷଣା କରିଛନ୍ତି। ଅଲ୍‌ଲୁଙ୍କର ଏହି ଫିଲ୍ମ ୨୦୨୦ ମସିହାରେ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମ ଆସନ୍ତା ସପ୍ତାହରେ ଅର୍ଥାତ୍‌ ୨୬ ଜାନୁଆରୀରେ ସାରା ଦେଶରେ ହଲ୍‌ରେ ରିଲିଜ୍‌ କରିବାକୁ ଘୋଷଣା ହୋଇଛି।


ସୂଚନାଯୋଗ୍ୟ ଯେ ‘ଅଲା ବୈକୁଣ୍ଠପୂରାମୁଲ୍‌ଲ’ ଏକ ସୁପର ଡୁପର ହିଟ୍‌ ଫିଲ୍ମ ସାବ୍ୟସ୍ତ ହୋଇଥିଲା। ବକ୍ସ ଅଫିସରେ ଏହି ଫିଲ୍ମ ପାଖାପାଖି ୧୬୦ କୋଟି ଟଙ୍କା ରୋଜଗାର କରିଥିଲା। ହିନ୍ଦୀରେ ଡବିଂ କରାଯାଇଥିବା ପୁଷ୍ପା ଇତି ମଧ୍ୟରେ ୮୬ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ରୋଜଗାର କରିଛି। ଏହାର ମୋଟ୍‌ ବକ୍ସ ଅଫିସ କଲେକସନ୍‌ ୪୦୦ କୋଟି ଟଙ୍କା ହୋଇଥିବା ଜଣାଯାଇଛି।

ପ୍ରକାଶ ଯେ ପୁଷ୍ପାର ଦ୍ୱିତୀୟ ଭାଗ ଏହି ବର୍ଷ ଶେଷ ଆଡ଼କୁ ହଲ୍‌କୁ ଆସିବ। ଏହାର ସିକ୍ୱେଲ ନାଁ ରହିଛି ପୁଷ୍ପା: ଦ ରୁଲ। ଫିଲ୍ମରେ ଅଲ୍‌ଲୁ ଅର୍ଜୁନ୍‌ଙ୍କ ସହ ରଶ୍ମିକା ମନ୍ଦାନା ଲିଡ୍‌ ରୋଲ୍‌ରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.