ହଲ୍ ମାଲିକଙ୍କ ଅଭିନବ ପ୍ରୟାସ: ‘ଦମନ’ ଦେଖିଲେ, ଦମ୍ ବିରିୟାନୀ ଖାଇଲେ ଦର୍ଶକ

ଯାଜପୁର(କେନ୍ୟୁଜ୍): ‘ଦମନ’ ଦେଖିଲେ, ଦମ୍ ବିରିୟାନୀ ଖାଇଲେ । ଦମନ ସହ ଦମ୍ ବିରିୟାନୀର ମଜା ଉଠାଇଲେ ଦର୍ଶକ । ଏବେ ସବୁଠି ଓଡିଆ ଫିଲ୍ମ ଦମନର କ୍ରେଜ୍ । ଫିଲ୍ମ ଦେଖିବାକୁ ସବୁଠି ହାଉସ୍ ଫୁଲ୍ । ଯାଜପୁର ଜିଲ୍ଲା ଜାରକା ଠାରେ ଥିବା କେ ଓ୍ଵାନ୍ ଟକିଜ୍ରେ ଚାଲିଛି ଦମନ ଚଳଚ୍ଚିତ୍ର । ୩ଟି ଯାକ ସୋ ପାଇଁ ପୂର୍ବରୁ ଟିକେଟ୍ ବିକ୍ରୀ ହୋଇଯାଇଛି । ତେବେ ଦର୍ଶକଙ୍କୁ ଟିକେ ଅଧିକ ମନୋରଞ୍ଜନର ଖୋରାକ ଯୋଗାଇ ଦେବାକୁ ହଲ୍ ମାଲିକ ଏକ ଅଭିନବ ପ୍ରୟାସ କରିଥିବା ଦେଖିବାକୁ ମିଳିଥିଲା ।
ଦମନ ଫିଲ୍ମ ଦେଖିବା ସାଙ୍ଗକୁ ଦର୍ଶକଙ୍କ ପାଇଁ ଦମ୍ ବିରିୟାନୀର ବ୍ୟବସ୍ଥା କରିଥିଲେ ହଲ୍ ମାଲିକ । ସୋ ସରିବା ପରେ ବାହାରକୁ ବାହାରୁଥିବା ଦର୍ଶକଙ୍କୁ ବଢାଇ ଦେଇଥିଲେ ବିରିୟାନୀ ପ୍ୟାକେଟ ସାଙ୍ଗକୁ ପାଣି ବୋତଲ । କୋଭିଡ ପରଠୁ ହଲ୍ର ସ୍ଥିତି ଭଲ ନଥିଲା । ଲୋକେ ଫିଲ୍ମ ଦେଖିବାକୁ ହଲକୁ ଆସୁନଥିଲେ । ତେବେ ‘ଦମନ’ ରିଲିଜ୍ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଭଳ ବ୍ୟବସାୟ କରୁଛି । ସରକାର ମଧ୍ୟ ଏହି ଚଳଚ୍ଚିତ୍ରକୁ ଟିକସ ମୁକ୍ତ କରିବା ସହିତ ଏହାର ପ୍ରମୋଶନ ପାଇଁ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।