“ସଲମାନ ମୋ ଉପରେ ହାତ ଉଠାଇବା ସହ ଅଭଦ୍ର ଭାଷାରେ ଦେଇଥିଲେ ଗାଳି” , ଇଣ୍ଟରଭ୍ଯୁରେ କହିଥିଲେ ବିଶ୍ବସୁନ୍ଦରୀ

ମୁମ୍ବାଇ : ଆଜି ହେଉଛି ପୂର୍ବତନ ବିଶ୍ବ ସୁନ୍ଦରୀ ତଥା ବଲିଉଡ୍ ବ୍ୟୁଟି ତଥା ବଚ୍ଚନ ପରିବାରର ବୋହୂ ଐଶ୍ବର୍ଯ୍ୟା ରାୟଙ୍କ ଜନ୍ମଦିନ । ୪୫ ବର୍ଷରେ ପହଞ୍ଚିଲେ ଐଶ୍ । ଏବେବି ସେ ଝଟକୁଛନ୍ତି ଆଉ ଚର୍ଚ୍ଚାରେ ରହିଛନ୍ତି । ସିନେମାରେ ଅଭିନୟ ସିନା କମାଇ ଦେଇଛନ୍ତି ତଥାପି ତାଙ୍କୁ ନେଇ ଆଲୋଚନା ଥମୁ ନାହିଁ । ଇନଷ୍ଟାଗ୍ରାମରେ ସ୍ବାମୀ ଅଭିଷେକ ତାଙ୍କୁ ଭିନ୍ନ ଭାବରେ ଶୁଭେଚ୍ଛା ଜଣାଇଛନ୍ତି । ସେ କେତେ ନିଜ ପତ୍ନୀଙ୍କୁ ଭଲ ପାଆନ୍ତି ଏବଂ ସମ୍ମାନ କରନ୍ତି ସେ କଥା ନିଜ ଲେଖାରେ ଦର୍ଶାଇଛନ୍ତି । ସେପଟେ ଶୁଭେଚ୍ଛାର ସୁଅ ଛୁଟିଛି ଫ୍ୟାନଙ୍କର । ତେବେ ଏହି ଅବସରରେ ତାଙ୍କର ସଲମାନଙ୍କ ସହ କାହିଁକି ବ୍ରେକ୍ଅପ୍ ହେଲା ଓ ଏହାକୁ ନେଇ କଣ କହିଥିଲେ ଐଶ୍ବର୍ଯ୍ୟା, ଆସନ୍ତୁ ଜାଣିବା ଏହି ରିପୋର୍ଟରେ ।
ବଲିଉଡ଼ରେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ ପ୍ରେମରେ ପଡ଼ିଛନ୍ତି। ଏପରି କି ଗୋଟିଏ ସମୟ ପାଇଁ ତାଙ୍କ ପ୍ରେମ କାହାଣୀ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଥାଏ। କିନ୍ତୁ ସମସ୍ତ କଳାକାରଙ୍କ ପ୍ରେମ କାହାଣୀରୁ ବହୁତ ଭିନ୍ନ ଥିଲା ବଲିଉଡ଼ର ଭାଇଜାନ ଏବଂ ବିଶ୍ବସୁନ୍ଦରୀ ଐଶ୍ବର୍ଯ୍ଯ ରାଏଙ୍କ ପ୍ରେମ କାହାଣୀ। ଦୁହିଁଙ୍କ ପ୍ରେମକାହାଣୀ ଆରମ୍ଭ ହୋଇଥିଲା ୧୯୯୯ ମସିହା ହମ ଦିଲ ଦେ ଚୁକେ ହେଁ ସନମ୍ ଫିଲ୍ମର ସୁଟିଂ ସେଟରୁ। ପରଦା ଉପରେ ଦୁହିଁଙ୍କ ଯୋଡ଼ିକୁ ବହୁଳ ଭାବେ ଦର୍ଶକ ପସନ୍ଦ କରିଥିଲେ। ଏଥିସହ ଯେତେବେଳେ ତାଙ୍କ ଫ୍ଯାନ୍ସ ରିଏଲ ଲାଇଫରେ ଦୁହିଁଙ୍କ ଡେଟିଂ ବିଷୟରେ ଶୁଣିଥିଲେ ଖୁସିରେ ପାଗଳ ହୋଇଯାଇଥିଲେ।
ଦୁହିଁଙ୍କ ଯୋଡ଼ି ଦର୍ଶକଙ୍କୁ ବହୁଳ ଭାବେ ପସନ୍ଦ ଆସୁଥିଲା। ଏପରିକି ସଲମାନଙ୍କ ପରିବାର ସଦସ୍ଯ ମଧ୍ୟ ଐଶ୍ବର୍ଯ୍ଯଙ୍କୁ ବହୁତ ପସନ୍ଦ କରୁଥିଲେ। କିନ୍ତୁ ଐଶ୍ବର୍ଯ୍ଯଙ୍କ ପରିବାର ଆରମ୍ଭରୁ ହିଁ ଦୁହିଁଙ୍କ ସଂପର୍କକୁ ନେଇ ପ୍ରତିବାଦ କରିଆସିଥିଲେ। ଅନେକ ପ୍ରତିବାଦ ପରେ ମଧ୍ୟ ଦୁଇ କଳାକାର ପ୍ରାୟ ୨ ବର୍ଷ ପର୍ଯ୍ଯନ୍ତ ପରସ୍ପରକୁ ଡ଼େଟ କରିଥିଲେ କିନ୍ତୁ ହଠାତ୍ ଦୁହିଁଙ୍କର ହୋଇଥିଲା ବ୍ରେକଅପ୍। ଦୁହିଁଙ୍କ ହଠାତ୍ ବ୍ରେକଅପ୍ ପରେ ମିଡିଆରେ ବହୁ ପ୍ରକାରର କଥା ଉଠିଥିଲା।
ମିଡିଆରେ ଏପରି ମଧ୍ୟ କଥା ଆସିଥିଲା କି ସଲମାନ, ଐଶଙ୍କ ଉପରେ ହାତ ଉଠାଇଛନ୍ତି। କିନ୍ତୁ ୨୦୦୨ ମସିହାରେ ଐଶ୍ବର୍ଯ୍ଯ ଦେଇଥିଲେ ଏକ ମିଡିଆ ଇଣ୍ଟରଭ୍ଯୁ ଯେଉଁଥିରେ ସେ ତାଙ୍କର ଏବଂ ସଲମାନଙ୍କ ସଂପର୍କ ନେଇ କାରିଥିଲେ ବଡ଼ ଖୁଲାସା।
ଐଶ୍ବର୍ଯ୍ଯ କହିଥିଲେ, ସଲମାନ ଏବଂ ମୋ ବ୍ରେକ୍ଅପ୍ ମାର୍ଚ୍ଚରେ ହୋଇଥିଲା କିନ୍ତୁ ସେ ଏହି କଥାକୁ ମାନିବାକୁ ରାଜି ନଥିଲେ। ଯେତେବେଳେ ଆମର ବ୍ରେକ୍ଅପ୍ ହେଲା ସେ ମତେ ଫୋନ କରି ବହୁତ ଖରାପ କଥା କହିଥିଲେ। ସେ ମୋ ଉପରେ ଏପରି ଆରୋପ ମଧ୍ୟ ଲଗାଇଲେ କି ମୋର ଅନ୍ଯ କେଉଁ କୋଷ୍ଟାର ସହ ସଂପର୍କ ରହିଛି। ମୋ ନାଁକୁ ଅଭିଷେକରୁ ଆରମ୍ଭ କରି ଶାହାରୁଖ ଖାନ ସମସ୍ତଙ୍କ ସହ ଯୋଡ଼ିଥିଲେ। ଏହି ସମୟରେ ସେ ମୋ ଉପରକୁ ହାତ ମଧ୍ୟ ଉଠାଇଥିଲେ। ମୁଁ ତାଙ୍କର ନିର୍ଯାତନା ପରେ ମଧ୍ୟ କିଛି ନହେଲା ଭଳି ସୁଟିଂକୁ ଯାଉଥିଲି। କିନ୍ତୁ ଦିନକୁ ଦିନ ତାଙ୍କର ବ୍ଯବହାର ହିଂସ୍ର ହେବାକୁ ଲାଗିଲା। ଏଣୁ ମୁଁ ମୋ ଆତ୍ମସମ୍ନାନ ପାଇଁ ତାଙ୍କ ସହ ବ୍ରେକ୍ଅପ୍ କଲି।
ଐଶ୍ବର୍ଯ୍ଯାଙ୍କ ଏହି ଇଣ୍ଟରଭ୍ଯୁର ଉତ୍ତର ଦେବାକୁ ଯାଇ ସଲମାନ କହିଥିଲେ, ମୁଁ କେବେ ମଧ୍ୟ ତାଙ୍କ ଉପରକୁ ହାତ ଉଠାଇନାହିଁ। ମୁଁ କାହାକୁ କେବେ ମାରି ପାରିବି ନାହିଁ। ମୁଁ ବହୁତ ଭାବପ୍ରବଣ ଏଣୁ ମୁଁ କାହାକୁ କ୍ଷତି ପହଞ୍ଚାଇ ନଥାଏ। ଏପରିକି ମୁଁ କାନ୍ଥରେ ମୁଣ୍ଡ ବାଡ଼େଇ ନିଜକୁ କ୍ଷତି ପହଞ୍ଚାଇଥାଏ। ବାସ ମୁଁ ଥରେ ସୁଭାଷ ଘାଇଙ୍କ ଉପରେ ହାତ ଉଠାଇଥିଲି।
ତେବେ କହିବାକୁ ଗଲେ ଆଜି ପର୍ଯ୍ଯନ୍ତ ଐଶ୍ –ସଲମାନଙ୍କ ଭଳି ପ୍ରେମ କାହାଣୀ ବଲିଉଡରେ ଦେଖିବାକୁ ମିଳିନାହିଁ। ଏବେ ଐଶ୍ବର୍ଯ୍ଯା ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିବା ବେଳେ ଦୁହିଁଙ୍କର ଆରାଧ୍ୟା ନାମରେ ଝିଅଟିଏ ଅଛି। ତଥାପି ଗଣମାଧ୍ୟମ ଏବେବି ଐଶ-ସଲମାନଙ୍କ ସମ୍ପର୍କର କାହାଣୀ ତାଜା କରି ରଖିଛି ।