ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ । ସବୁବେଳେ ସେ ନିଜ ସୁନ୍ଦର ସ୍ୱର ଏବଂ ସଙ୍ଗୀତକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନବେ ଦଶକର ସର୍ବୋତ୍ତମ ଗାୟିକାମାନଙ୍କ ମଧ୍ୟରୁ ସେ ଅନ୍ୟତମ । ସଙ୍ଗୀତ ସହିତ ତାଙ୍କର ସମ୍ପର୍କ ଦଶନ୍ଧି ଦଶନ୍ଧି ଧରି ଚାଲିଆସିଛି । ଗତ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଅଲକା ନିଜ ଗୀତ ମାଧ୍ୟମରେ ଲୋକଙ୍କୁ ମନୋରଞ୍ଜନ କରିଆସୁଛନ୍ତି । ଏହି ଅବଧି ମଧ୍ୟରେ ସେ ‘ତୁ ସାୟର ହେ ମେଁ ତେରୀ ସାୟରି’, ‘ଗଲି ମେଁ ଆଜ ଚାନ୍ଦ ନିକଲା’, ‘ଅଗର ତୁମ ସାଥ ହୋ’ ପରି ଅନେକ ସୁପରହିଟ୍ ଗୀତରେ ନିଜର ସ୍ୱର ଦେଇଛନ୍ତି ।
କିନ୍ତୁ ବର୍ତ୍ତମାନ ସେ ତାଙ୍କ ସୋସିଆଲ ମିଡିଆରେ ଏପରି ଏକ ସୂଚନା ସେୟାର କରିଛନ୍ତି, ଯାହା ଜାଣିବା ପରେ ତାଙ୍କ ଫ୍ୟାନ୍ସମାନେ ବହୁତ ଦୁଃଖିତ ହୋଇଛନ୍ତି । ନିକଟରେ ପ୍ରସିଦ୍ଧ ଗାୟିକା ଅଲକା ୟାଗନିକ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସେ ଏକ ବିରଳ ଶାରୀରିକ ସମସ୍ୟାର ଶିକାର ହୋଇଛନ୍ତି, ଯାହା ତାଙ୍କ ଶୁଣିବାର କ୍ଷମତାକୁ ପ୍ରଭାବିତ କରୁଛି । ଡାକ୍ତରଙ୍କ କହିବାନୁସାରେ, ଏକ ଭାଇରାଲ୍ ଆଟାକ୍ ଯୋଗୁଁ ସେ ଏହି ସମସ୍ୟାର ଶିକାର ହୋଇଛନ୍ତି । ତେବେ ଏଥିପାଇଁ ସେ ନିଜ ଫ୍ୟାନ୍ସମାନଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ।
ନିଜ ରୋଗ ବିଷୟରେ ସୂଚନା ଦେଇ ଅଲକା ୟାଗନିକ୍ ଲେଖିଛନ୍ତି ଯେ କିଛି ସପ୍ତାହ ପୂର୍ବରୁ ଫ୍ଲାଇଟରୁ ଓହ୍ଲାଇବା ପରେ ସେ ହଠାତ୍ ନିଜ ଶୁଣିବା ଶକ୍ତି ହରାଇ ବସିଥିଲେ । ତେବେ କିଛି ଦିନ ପରେ ଏହି ସତକୁ ଗ୍ରହଣ କରିବାର ସାହସ କରିବା ପରେ ସେ ବର୍ତ୍ତମାନ ନିଜ ଫ୍ୟାନ୍ସମାନଙ୍କୁ ମଧ୍ୟ ଏହା ବିଷୟରେ ଜଣାଇବାକୁ ଚାହୁଁଛନ୍ତି, ଯେଉଁମାନେ କିଛି ବିଗତ କିଛି ସମୟ ପାଇଁ ତାଙ୍କ ଅନୁପସ୍ଥିତିକୁ ନେଇ ଚିନ୍ତିତ ଥିଲେ । ଫ୍ୟାନ୍ସଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିବା ସହ ସେ ଅଧିକ ସାଉଣ୍ଡ ଏବଂ ଅତ୍ୟଧିକ ହେଡଫୋନର ବ୍ୟବହାର ବିଷୟରେ ମଧ୍ୟ ଲୋକଙ୍କୁ ଚେତାବନୀ ଦେଇଛନ୍ତି ।
ତେବେ ଏହି ପୋଷ୍ଟରେ ଅଲକା ୟାଗନିକଙ୍କ ଫ୍ୟାନମାନେ ଅନେକ ପ୍ରତିକ୍ରିୟା ଦେଇଛନ୍ତି ଏବଂ ସେ ଶୀଘ୍ର ସୁସ୍ଥ ହେବାପାଇଁ ପ୍ରାର୍ଥନା କରିଛନ୍ତି । ସେହିଭଳି ଅଲକାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଜାଣିବା ପରେ ଅନେକ ବଡ଼ ବଡ଼ ଷ୍ଟାରମାନେ ତାଙ୍କ ଶୀଘ୍ର ଆରୋଗ୍ୟତାର କାମନା କରିଛନ୍ତି । କହି ରଖୁଛୁ ଅଲକା ୟାଗନିକ୍ କେବଳ ବଲିଉଡ ନୁହନ୍ତି ବରଂ ସେ ପୁରା ଦେଶର ଲୋକପ୍ରିୟ ଗାୟିକାଙ୍କ ମଧ୍ୟରେ ଅନ୍ୟତମ । ୨୫ ହଜାରରୁ ଅଧିକ ଭାଷାରେ ପ୍ରାୟ ୨୧ ହଜାରରୁ ଅଧିକ ଗୀତ ରେକର୍ଡ କରିବା ସହ ଦୁଇଥର ନ୍ୟାସନାଲ ଆୱାର୍ଡ ମଧ୍ୟ ଜିତିଛନ୍ତି ।