ଅଲୁ ଅର୍ଜୁନଙ୍କୁ ଆଶ୍ୱସ୍ତି, ହାଇଦ୍ରାବାଦ ଦଳାଚକଟା ମାମଲାରେ ନିୟମିତ ଜାମିନ୍ ଦେଲେ କୋର୍ଟ
ଅଲୁ ଅର୍ଜୁନଙ୍କୁ ମିଳିଲା ଜାମିନ୍ । ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ସାଉଥ୍ ସୁପରଷ୍ଟାର୍ ଅଲୁ ଅର୍ଜୁନଙ୍କୁ ଜାମିନ୍ ମିଳିଛି । ଅଲୁଙ୍କୁ ନିୟମିତ ଜାମିନ୍ ପ୍ରଦାନ କରିଛନ୍ତି ହାଇଦ୍ରାବାଦ କୋର୍ଟ ।
ହାଇଦ୍ରାବାଦର ନାମପଲ୍ଲି କୋର୍ଟ ଦଳାଚକଟାରେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ମାମଲାରେ ଅଲୁ ଅର୍ଜୁନଙ୍କୁ ଜାମିନ୍ ଦେଇଛନ୍ତି । କୋର୍ଟ ତାଙ୍କୁ ଜାମିନ୍ ସର୍ତ୍ତ ଅଧୀନରେ ୫୦ ହଜାର ଟଙ୍କାର ଦୁଇ ସିକ୍ୟୁରିଟି ବଣ୍ଡ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଭିନେତାଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା । ଯଦିଓ ତାଙ୍କୁ ତୁରନ୍ତ ଜାମିନ୍ ପ୍ରଦାନ କରାଯାଇ ଗିରଫ ହେବାର ପରଦିନ ସକାଳେ ମୁକ୍ତ କରାଯାଇଥିଲା । ବର୍ତ୍ତମାନ ନାମପଲ୍ଲି କୋର୍ଟ ତାଙ୍କୁ ଏହି ମାମଲାରେ ନିୟମିତ ଜାମିନ୍ ପ୍ରଦାନ କରିଛନ୍ତି ।
ଡିସେମ୍ବର ୪ରେ ହାଇଦ୍ରାବାଦର ସନ୍ଧ୍ୟା ସିନେମା ହଲରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଜଣେ ୩୫ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଥିଲା ଏବଂ ତାଙ୍କ ଆଠ ବର୍ଷର ପୁଅ ଆହତ ହୋଇଥିଲେ । ଏଠାରେ ‘ପୁଷ୍ପା ୨: ଦ ରୁଲ୍’ର ପ୍ରିମିୟର ବେଳେ ଅଭିନେତାଙ୍କର ଏକ ଝଲକ୍ ପାଇବା ପାଇଁ ଲୋକଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା ।
ଏହି ଘଟଣା ପରେ ପୋଲିସ ଅଭିନେତା, ତାଙ୍କ ସୁରକ୍ଷା ଟିମ୍ ଏବଂ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍)ର ବିଭିନ୍ନ ଧାରାରେ ଚିକ୍କଡପଲି ଥାନାରେ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଡିସେମ୍ବର ୧୩ରେ ଅଭିନେତାଙ୍କୁ ଗିରଫ କରାଯାଇଥିଲା । ପରେ ସେହି ଦିନ ତାଙ୍କୁ ତେଲଙ୍ଗାନା ହାଇକୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଥିଲା । ଏହାପରେ ତାଙ୍କୁ ଡିସେମ୍ବର ୧୪ ତାରିଖ ସକାଳେ ଜେଲରୁ ମୁକ୍ତ କରାଯାଇଥିଲା ।
ନିକଟରେ ଅଲୁ ଅର୍ଜୁନ ଏବଂ ‘ପୁଷ୍ପା ୨’ର ନିର୍ମାତାମାନେ ପୀଡ଼ିତ ପରିବାରକୁ ୨ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ । ଅଲୁ ୧ କୋଟି ଟଙ୍କା ଦେଇଥିବା ବେଳେ ଫିଲ୍ମର ପ୍ରଯୋଜକ ଏବଂ ନିର୍ଦ୍ଦେଶକ ୫୦-୫୦ ଲକ୍ଷ ଟଙ୍କା ଦେଇଥିଲେ ।