ଗୋଟେ ରାତି କାଟି ସକାଳୁ ଜେଲରୁ ବାହାରିଲେ ଅଲ୍ଲୁ ଅର୍ଜୁନ, ଘର ସାମ୍ନାରେ ଛାଉଣୀ ହୋଇଛିନ୍ତି ପୋଲିସ

ଜେଲରୁ ବାହାରିଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ହାଇଦ୍ରାବାଦ ଚଞ୍ଚଲଗୁଡା ସେଣ୍ଟ୍ରାଲ ଜେଲରେ ଥିଲେ ଅଲ୍ଲୁ । ଆଜି ସକାଳୁ ଜେଲରୁ ମୁକୁଳିଛନ୍ତି । ତାଙ୍କୁ ଆଣିବା ପାଇଁ ଜେଲରେ ପହଂଚିଥିଲେ ତାଙ୍କ ବାପା ଓ ଶ୍ବଶୁର । ଅଲ୍ଲୁ ଅର୍ଜୁନଙ୍କ ଘର ସାମ୍ନାରେ ପୋଲିସ ଛାଉଣୀ ହୋଇଛି। ଗତକାଲି ଗିରଫ ହେବା ପରେ ଚଞ୍ଚଲଗୁଡ଼ା ଜେଲରେ ଥିଲେ ଅଲ୍ଲୁ । ଜାମିନ ମିଳିଥିଲେ ବି ଆଇନଗତ ପ୍ରକ୍ରିୟା ଶେଷ ହୋଇନଥିବାରୁ ଜେଲରୁ ବାହାରିପାରିନଥିଲେ । ଆଜି ସକାଳୁ ସକାଳୁ ସେ ଜେଲରୁ ବାହାରିଛନ୍ତି ।

ସୂଚନା ଅନୁସାରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ ସ୍କ୍ରିନିଂ ବେଳେ ହୋଇଥିବା ଦଳାଚକଟା ହୋଇଥିଲା । ଦଳଚକଟାରେ ପଡ଼ି ଜଣେ ୩୯ ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ୮ ବର୍ଷର ପୁଅ ମଧ୍ୟ ଗୁରୁତର ହୋଇପଡ଼ିଥିଲେ । ଏହି ମାମଲାରେ ବଞ୍ଜାରା ହିଲ ସ୍ଥିତ ଘରୁ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରି କଡା ସୁରକ୍ଷା ବଳୟ ମଧ୍ୟରେ ଚିକଡପାଲ୍ଲୀ ଥାନାକୁ ନେଇଥିଲା ପୋଲିସ । ଗିରଫଦାରୀ ପରେ ଅଲ୍ଲୁଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଗାନ୍ଧି ହସ୍ପିଟାଲ ନିଆଯାଇଥିଲା । ପରେ ତାଙ୍କୁ ନାମପଲ୍ଲୀ କୋର୍ଟରେ ହାଜର କରାଯାଇଥିଲା । ଏହା ପରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ ନାମପଲ୍ଲୀ କୋର୍ଟ । ଏହା ପରେ ତାଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି କୋର୍ଟ ।