ଶୋ’ ଶେଷ, ଆକ୍ସନ ଆରମ୍ଭ! ଅକ୍ଷୟ-କ୍ୟାଟ୍ରିନାଙ୍କ ରୋମାଣ୍ଟିନ୍‌ ସିନ୍‌ ମଝିରେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କଲେ ଯୁବକ, ଲାଇଟ୍‌ ଅନ୍‌ ହେଉଣୁ ନିର୍ଧୂମ ଛେଚିଲେ ଦର୍ଶକ

ଭୋପାଳରେ ଏକ ସିନେମା ହଲ୍‌ରେ ରିୟଲ ଆକ୍ସନ ଦେଖିବାକୁ ମିଳିଛି। ଏଠାରେ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଶେଷ ଶୋ’ ଚାଲୁଥିଲା। ରାତି ପାଖାପାଖି ୧୨ଟା ବେଳେ ଅକ୍ଷୟ ଓ କ୍ୟାଟ୍ରିନାଙ୍କ ରୋମାଣ୍ଟିକ୍‌ ସିନ୍‌ ଯେତେବେଳେ ପରଦାକୁ ଆସିଥିଲା, ସେହି ସମୟରେ ଜଣେ ଯୁବକ ପଛରେ ବସିଥିବା ଜଣେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ ଏବଂ ଅସଦାଚରଣ କରିବା ଆରମ୍ଭ କରି ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ରିୟଲ ଫିଲ୍ମ ଆରମ୍ଭ ହୋଇ ଯାଇଥିଲା। ପ୍ରଥମେ ଯୁବତୀ ଚପଲ ଓହ୍ଲାଇ ଯୁବକଙ୍କୁ ପିଟିବା ଆରମ୍ଭ କରିଥିଲେ। ଏହା ଦେଖି ଉପସ୍ଥିତ ଦର୍ଶକ ମଧ୍ୟ ବାହାରି ପଡ଼ିଥିଲେ। ପ୍ରଥମେ ସମସ୍ତେ ଥିଏଟର ଭିତରେ ଯୁବକଙ୍କୁ ପିଟିଥିଲେ ଏବଂ ପରେ ଥିଏଟର ବାହାରକୁ ନେଇ ନିର୍ଧୂମ ଛେଚିଥିଲୋ ଯଦିଓ ମାମଲା ଥାନା ପର୍ଯ୍ୟନ୍ତ ପହଞ୍ଚି ନ ଥିଲା।

ସ୍ଥାନୀୟ ଥାନା ପୋଲିସ କହିଛି କି, ଘଟଣା ବିଷୟରେ କୌଣସି ଖବର ଆସି ନାହିାଁ କେହି ଅଭିଯୋଗକାରୀ ମଧ୍ୟ ଥାନାରେ ପହଞ୍ଚି ନାହାନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଆଧାରରେ ପୋଲିସ ତଦନ୍ତ କରୁଛି। ସୂଚନାଥାଉ କି, ଅକ୍ଷୟ ଓ କ୍ୟାଟ୍ରିନାଙ୍କ ରୋମାଣ୍ଟିକ୍‌ ସିନ୍‌ ସମୟରେ ଯୁବକ ଜଣକ ପଛକୁ ବାରମ୍ବାର ବୁଲି ଚାହୁଁଥିଲେ ଏବଂ କମେଣ୍ଟ କରିଥିଲେ କି, ‘ଛାଡ କାଲିର କଥା’। ସେ ବାରମ୍ବାର ପଛକୁ ବୁଲି ଯୁବତୀଙ୍କ ଆଡ଼କୁ ଚାହୁଁଥିଲେ। ସେହି ସମୟରେ ଯୁବତୀ ସମ୍ପୃକ୍ତ ଯୁବକଙ୍କୁ ବାରଣ କରିଥିଲେ ବି ସେ ମାନି ନ ଥିଲେ। ଏହାପରେ ଯୁବତୀ ଚପଲ ଖୋଲି ଯୁବକଙ୍କୁ ପିଟିଥିଲେ। ଯୁବତୀ ଏବଂ ଦର୍ଶକ ମିଳିମିଶି ଯୁବକଙ୍କୁ ମାଡ଼ ମାରୁଥିବା ବେଳେ ଯୁବକ ଜଣକ ବହୁତ ନେହୁରା ହେଉଥିଲେ। କିନ୍ତୁ ଲୋକେ କିଛି ବି ଶୁଣି ନ ଥିଲେ। ତେବେ ଯୁବକଙ୍କ ପରିଚୟ ମିଳିପାରି ନାହିଁ।

ତେବେ ଯୁବକଙ୍କୁ ଯେତେବେଳେ ଲୋକେ ପିଟୁଥିଲେ, ସେହି ସମୟରେ ଥିଏଟର ଭିତରେ ଗୀତ ବାଜୁଥିଲା। ସେଠାରେ ଉପସ୍ଥିତ ଅନ୍ୟ ଯୁବତୀମାନେ ମଧ୍ୟ ତାଙ୍କୁ ଚପଲରେ ପିଟିଥିଲେ। ଲୋକେ ଯେତେବେଳେ ଯୁବକଙ୍କୁ ଧରି ଥାନାକୁ ନେଉଥିଲେ, ତ ସେତିକି ବେଳେ ଯୁବକଙ୍କ ସାଙ୍ଗ ସେଠାରେ ପହଞ୍ଚି ଥିଲେ ଏବଂ ଯୁବତୀଙ୍କ ସାମ୍ନାରେ ଯୁବକଙ୍କୁ କ୍ଷମା ମଗାଇ ଥିଲେ। ଏହାପରେ ମାମଲା ଶାନ୍ତ ପଡ଼ିଥିଲା। ଅଭିଯୁକ୍ତ ଯୁବକ ପୁରୁଣା ସହରର ବୋଲି କୁହାଯାଉଛି। ସେପଟେ ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଘଟଣାସ୍ଥଳରେ ପାଖାପାଖି ୧୦ରୁ ୧୨ଜଣ ଲୋକ ଉପସ୍ଥିତ ରହି ଯୁବକଙ୍କୁ ନିର୍ଧୂମ ଛେଚୁଛନ୍ତି ଏବଂ ଯୁବକ ଜଣକ କାକୁତିମିନତି ହେଉଛନ୍ତି। ଭିଡିଓ ଏତେ ମାତ୍ରାରେ ଭାଇରାଲ ହୋଇଛି ଯେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି।

Leave A Reply

Your email address will not be published.