ୟେ ଦୋସ୍ତି ହମ୍ ନେହିଁ ତୋଡ଼େଙ୍ଗେ…..ନିଜେ ଗାଡ଼ି ଚଳାଇ ଅସୁସ୍ଥ ଧର୍ମେନ୍ଦ୍ରଙ୍କୁ ଭେଟିବାକୁ ଗଲେ ବିଗ୍ ବି ଅମିତାଭ ବଚ୍ଚନ

ଅମିତାଭ ଏବଂ ଧର୍ମେନ୍ଦ୍ରଙ୍କ ବନ୍ଧୁତା “ଜୟ-ଭୀରୁ”ଭାବେ ପରିଚିତ । ବର୍ଷ ବର୍ଷ ପରେ ମଧ୍ୟ ଆଜି ବି  ମଧ୍ୟ ସେମାନଙ୍କ ବନ୍ଧୁତା  ସେହିପରି ଦୃଢ଼ ହୋଇ ରହିଛି । ଧମେନ୍ଦ୍ରଙ୍କ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ  ଅମିତାଭ ବଚ୍ଚନ ତାଙ୍କ ଘରେ ପହଞ୍ଚିଥିଲେ । ଯାହାର ଝଲକ ବର୍ତ୍ତମାନ ଦେଖିବାକୁ ମିଳିଛି । ଆଉ ସବୁଠାରୁ ବଡ଼ କଥା ହେଲା ଅମିତାଭ ବଚ୍ଚନ ନିଜ ଗାଡ଼ିକୁ ନିଜେ ଡ୍ରାଇଭ୍ କରି ଧର୍ମେନ୍ଦ୍ରଙ୍କ ଘରେ ପହଞ୍ଚିଥିଲେ । ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିବା ସହିତ ଅମିତାଭଙ୍କ ବନ୍ଧୁତାକୁ ପ୍ରଶଂସା ମିଳୁଛି ।

ଅମିତାଭଙ୍କ ଏଭଳି ବନ୍ଧୁତ୍ବ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଛି । ସୁରକ୍ଷା କର୍ମୀଙ୍କୁ ନନେଇ ଅମିତାଭ ପ୍ରାୟ ଅପରାହ୍ନ ୪ଟାରେ ଧର୍ମେନ୍ଦ୍ରଙ୍କ ଜୁହୁ ବାସଭବନରେ ପହଞ୍ଚିଥିଲେ । ଅମିତାଭଙ୍କ ଏଭଳି କାମ ବନ୍ଧୁତାର ଗଭୀରତାକୁ ପ୍ରତିଫଳିତ କରୁଛି । ସୋସିଆଲ ମିଡିଆରେ ଅମିତାଭ ବଚ୍ଚନଙ୍କ ଏହି ଫଟୋ ଏବେ ଭାଇରାଲ ହେଉଛି । ଅମିତାଭ ବଚ୍ଚନଙ୍କ ସମେତ ଶାହରୁଖ ଖାନ, ସଲମାନ ଖାନ, ଆମିର ଖାନ ଏବଂ ଗୋବିନ୍ଦା ଭଳି ଷ୍ଟାରମାନେ ମଧ୍ୟ ଧର୍ମେନ୍ଦ୍ରଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଛନ୍ତି ।

ଯଦି ସେମାନଙ୍କ ବନ୍ଧୁତା ସମ୍ପର୍କରେ କୁହାଯାଏ ତେବେ ସେମାନଙ୍କ ବନ୍ଧୁତା ପ୍ରାୟ ୫୦ ବର୍ଷ ଧରି ରହିଛି । ସେମାନଙ୍କର ଯୋଡିକୁ “ଚୁପ୍କେ ଚୁପ୍କେ” ଫିଲ୍ମରେ ଦେଖିବାକୁ ମିଳିଥିଲା । କିନ୍ତୁ “ଶୋଲେ” ଫିଲ୍ମ ସେମାନଙ୍କ ବନ୍ଧୁତ୍ବକୁ ଆହୁରି ମଜବୁତ କରିଥିଲା । ଯେଉଁଥିରେ ସେମାନଙ୍କ ବନ୍ଧୁତା ଜୟ ଏବଂ ବୀରୁ ଭାବରେ ବେଶ୍ ପରିଚିତ ହୋଇଆସୁଛି ।

ସୂଚନାଯୋଗ୍ୟ ୮୯ ବର୍ଷୀୟ ଅଭିନେତା ଧର୍ମେନ୍ଦ୍ରଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରୁ ବୁଧବାର ସକାଳେ ଡିସଚାର୍ଜ କରାଯାଇଥିଲା । ତାଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଏବେ ସ୍ଥିର ରହିଛି ବୋଲି ପରିବାର ଲୋକେ ଏବଂ ଡାକ୍ତର ସ୍ପଷ୍ଟ କରିଛନ୍ତି । ଏହାରି ମଧ୍ୟରେ ପରିବାର ଏକ ବିବୃତ୍ତି ଜାରି କରି ସମସ୍ତଙ୍କୁ ତାଙ୍କ ଗୋପନୀୟତାକୁ ସମ୍ମାନ ଦେବାକୁ ଅନୁରୋଧ କରିଛନ୍ତି ।

Also Read : ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଗତକାଲି ରାତିରେ ଘରେ ବେହୋସ ହୋଇଯାଇଥିଲେ