ନିଆଁକୁ ଡେଇଁ ତବସୁମ୍‌ଙ୍କ ଜୀବନ ବଞ୍ଚାଇଥିଲେ ଅମିତାଭ ବଚ୍ଚନ, ଅଭିନେତ୍ରୀ ନିଜେ ବଖାଣିଥିଲେ ସେଦିନର ଛାତିଥରା କଥା…

ଭେଟେରାନ୍ ଅଭିନେତ୍ରୀ ତବସୁମ୍ ଗୋଭିଲ୍ ଆଉ ଏହି ଦୁନିଆରେ ନାହାନ୍ତି। ରିପୋର୍ଟ ମୁତାବକ, ୭୮ ବର୍ଷୀୟା ଅଭିନେତ୍ରୀଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ହଠାତ୍ ତାଙ୍କ ମୃତ୍ୟୁରେ ପୂରା ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ଅଭିନେତ୍ରୀ ହେବା ସହିତ ଆଙ୍କର୍ ଏବଂ ଟିଭି ହୋଷ୍ଟ ମଧ୍ୟ ଥିଲେ। ସେ ନିଜ ଶୋ’ ‘ଫୁଲ ଖିଲେ ହେଁ ଗୁଲଶନ ଗୁଲଶନ’ ପାଇଁ ବେଶ୍‌ ଲୋକପ୍ରିୟ ହୋଇଥିଲେ। କହି ରଖୁଛୁ, ୧୯୪୪ରେ ଜନ୍ମିତ ତବସୁମ୍ ଶିଶୁ କଳାକାର ଭାବରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଫ୍ୟାନମାନେ ତାଙ୍କୁ ‘ବେବି’ ତବସୁମ୍‌ ନାମରେ ମଧ୍ୟ ଜାଣିଥିଲେ।

ତାଙ୍କ ମୃତ୍ୟୁ ନେଇ ତାଙ୍କ ପୁଅ ହୋଶଙ୍ଗ ଗୋଭିଲ ସୂଚନା ଦେଇଥିଲେ। ହୋଶଙ୍ଗ କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ଠିକ୍‌ ଥିଲେ ଏବଂ ୧୦ ଦିନ ପୂର୍ବରୁ ଶୁଟିଂ ମଧ୍ୟ କରିଥିଲେ। ୨୧ ନଭେମ୍ବରରେ ତାଙ୍କ ପାଇଁ ସାନ୍ତାକ୍ରୁଜର ଆର୍ଯ୍ୟ ସମାଜରେ ପ୍ରାର୍ଥନା ସଭାର ଆୟୋଜନ କରାଯିବ। ତବସୁମ୍‌ଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ୍ ମଧ୍ୟ ଥିଲା। ଆଜି ଆମେ ଆପଣଙ୍କୁ ତବସୁମ୍‌ଙ୍କ ଜୀବନ ସହ ଜଡ଼ିତ ଏକ ବାସ୍ତବ କଥା କହିବାକୁ ଯାଉଛୁ। ଆସନ୍ତୁ ଜାଣିବା…

୨୦୧୪ରେ Rediff.comକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ତବସୁମ୍‌ ଖୁଲାସା କରିଥିଲେ କି, ଅମିତାଭ ବଚ୍ଚନ ଶୋ ପାଇଁ ଟେଲିଭିଜନ ଷ୍ଟୁଡିଓକୁ କେବେ ବି ଆସୁ ନ ଥିଲେ। ସେ ଆମକୁ ହିଁ ତାଙ୍କ ଫିଲ୍ମ ସେଟ୍‌କୁ ଡାକି ଦେଉଥିଲେ। ଏହି ଇଣ୍ଟରଭ୍ୟୁ ସମୟରେ ତବସୁମ୍‌ କହିଥିଲେ ଯେ ଅମିତାଭ ବଚ୍ଚନ କିପରି ତାଙ୍କ ଜୀବନ ରକ୍ଷା କରିଥିଲେ। ସେ କହିଥିଲେ, ମୁଁ ଅମିତାଭ ଓ କଲ୍ୟାଣଜୀ-ଆନନ୍ଦଜୀଙ୍କ ସହ ଭାରତ ଏବଂ ବିଦେଶରେ ଅନେକ ଲାଇଭ୍ ଶୋ’ କରିଛି। ଥରେ ଆମେ ମୁମ୍ବାଇର ଶନମୁଖାନନ୍ଦ ହଲରେ ଶୋ’ କରୁଥିଲୁ। ମୁଁ ହ୍ୱିଲ୍ ଚେୟାରରେ ବସିଥିଲି। କାରଣ, ମୋ ଗୋଡ଼ ଭାଙ୍ଗି ଯାଇଥିଲା।

ଅଭିନେତ୍ରୀ ଆହୁରି କହିଥିଲେ କି, ‘ସେତେବେଳେ ହଠାତ୍ ସେଠାରେ ନିଆଁ ଲାଗି ଯାଇଥିଲା ଏବଂ ଚାରିଆଡ଼େ ଆତଙ୍କମୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ମୁଁ ସାହାଯ୍ୟ ପାଇଁ ଚିତ୍କାର କରୁଥିଲି, କିନ୍ତୁ କେହି ମୋତେ ସାହାଯ୍ୟ କରିବାକୁ କେହି ଆସି ନ ଥିଲେ। ଏହା ଦେଖି ଅମିତାଭ ଜୀ ଆଗକୁ ଆସିଥିଲେ ଏବଂ ମୋତେ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ। ଆଜି ମୁଁ ତାଙ୍କ ଯୋଗୁ ବଞ୍ଚିଛି। ମୁଁ ବିଶ୍ୱାସ କରେ ଯେ ମହାନ ଝୁଙ୍କିଥାଏ, ଭୂମି ଝୁଙ୍କି ନ ଥାଏ, ଆକାଶ ଝୁଙ୍କିଥାଏ’।

ସେପଟେ ତବସୁମ୍‌ଙ୍କ ନିଧନରେ ଅମିତାଭ ବଚ୍ଚନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ନିଜ ବ୍ଲଗରେ ଲେଖିଛନ୍ତି ଯେ ‘ପ୍ରତିଭାଶାଳୀ ତବସୁମ୍‌, ଆକ୍ଟର, ଆଙ୍କର, ଟିଭି ହୋଷ୍ଟ୍‍, ଅଲ୍‌ ରାଉଣ୍ଡରଙ୍କର ନିଧନ ହୋଇଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.