୮୦ ବର୍ଷରେ ବଲିଉଡର ଶେହନଶାହା ଅମିତାଭ ବଚ୍ଚନ: ସଂଘର୍ଷ, ଉତଥାନ ପତ୍ତନ ଦେଇ ସଫଳତାର ଶୀର୍ଷରେ ପହଞ୍ଚିଥିବା ମହାନାୟକ

ମୁମ୍ବାଇ: ଅମିତାଭ ବଚ୍ଚନ । ଗୋଟିଏ ନାଁ । ଅନେକ ଚରିତ୍ର, ଅନେକ ପରିଚୟ । ଆଜି ଶତାଦ୍ଦୀର ମହାନାୟକଙ୍କ ଜନ୍ମଦିନ । ୧୯୪୨ ମସିହା ଅକ୍ଟୋବର ମାସ ଆଜିର ଦିନରେ ଉତ୍ତର ପ୍ରଦେଶର ଆଲ୍ଲାହାବାଦରେ ଜନ୍ମଗ୍ରହଣ କରିଥିଲେ ଅମିତାଭ । ବଲିଉଡରେ ପ୍ରଥମ ଫିଲ୍ମ ଥିଲେ ସାତ ହିନ୍ଦୁସ୍ତାନୀ । ତାପରେ ବହୁ ଉତଥାନ ଓ ପତ୍ତନ ନେଇ ସଫଳତାର ଶୀର୍ଷ ଛୁଇଁଛନ୍ତି ଅମିତାଭ । ଅଶୀ ବର୍ଷରେ ପହଞ୍ଚିଥିଲେ ବି ସବୁ କ୍ଷେତ୍ରରେ ନିଜକୁ ଚଳଚଞ୍ଚଳ ରଖିଛନ୍ତି ।

କିଏ କହେ ତାଙ୍କୁ ଅଲ୍‌ ଟାଇମ୍‌ ଏଙ୍ଗ୍ରି ମ୍ୟାନ୍‌ । କେହି କେହି କୁହନ୍ତି ବଲିଉଡ୍‌ ଶେହନଶାହା । ବିଟାଉନ୍‌ ସୁପରଷ୍ଟାର୍‌ । ସଂଘର୍ଷ, ଉତଥାନ ପତ୍ତନ ଦେଇ ସଫଳତାର ଶୀର୍ଷରେ ପହଞ୍ଚିଥିବା ମହାନାୟକ । ଆଜି ୮୧ ବର୍ଷରେ ପାଦ ଥାପିଛନ୍ତି ବିଗ୍‌ ବି । ୧୯୬୯ରେ ରିଲିଜ ଫିଲ୍ମ ସାତ ହିନ୍ଦୁସ୍ତାନୀରୁ ଆରମ୍ଭ କରିଥିଲେ ଅଭିନୟ ଜୀବନ । ତାପରେ ୨-୩ ଫ୍ଲପ୍‌ ସିନେମାରେ ନଜର ଆସିଥିଲେ । କାମ ପାଇ ନଥିଲେ ଅମିତାଭ । ଯେତେବେଳେ ବୟସ ୩୦ ହୋଇଥିଲା ସେତେବେଳକୁ ୧୨ଟି ଫିଲ୍ମରେ ଅଭିନୟ କରିଥିଲେ । ସେଥିରୁ ହିଟ୍‌ ହୋଇଥିଲା ମାତ୍ର ୨ଟି । ଗୋଟିଏ ବମ୍ବେ ଟୁ ଗୋଆ ଓ ଅନ୍ୟଟି ଆନନ୍ଦ । ଫିଲ୍ମ ଆନନ୍ଦରେ ତତ୍କାଳୀନ ସୁପରଷ୍ଟାର ରାଜେଶ ଖନ୍ନାଙ୍କ ସହ ସେ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ମିଳିଥିଲା ଫିଲ୍ମ ଫେୟାର ଆଓ୍ଵାର୍ଡ । ଆନନ୍ଦ ପରେ ତାଙ୍କ ଅଭିନୀତ ବମ୍ବେ ଟୁ ଗୋଆକୁ ପସନ୍ଦ କରିଥିଲେ ଦର୍ଶକ ।

୧୯୭୩ରେ ରିଲିଜ ଫିଲ୍ମ ଜଞ୍ଜିରରୁ ସଫଳତାର ସିଡି ଚଢ଼ିଥିଲେ ବିଗ୍‌ ବି । ନିର୍ଦ୍ଦେଶକ ପ୍ରକାଶ ମେହେରାଙ୍କ କ୍ରାଇମ୍‌ ଥ୍ରୀଲର୍‌ ଜଞ୍ଜିର ସିନେମାରେ ପୋଲିସ ଇନିସପେକ୍ଟର ବିଜୟ ଭୂମିକାରେ ଅଭିନୟ କରି ବଲିଉଡରେ ଆଙ୍ଗ୍ରି ୟଙ୍ଗମ୍ୟାନ୍‌ ଧାରା ସୃଷ୍ଟି କରିଥିଲେ । ରାତାରାତି ପାଲଟିଗଲେ ସୁପରଷ୍ଟାର୍‌ । ଜଞ୍ଜିର ପରେ ଆଉ ପଛକୁ ଫେରି ନାହାନ୍ତି ଅମିତାଭ ବଚ୍ଚନ । ବଲିଉଡକୁ ଦେଇ ଚାଲିଲେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ । ବିଗଙ୍କ କ୍ୟାରିୟରକୁ ଆଉ ପାଦେ ଆଗକୁ ନେଇଥିଲା ଫିଲ୍ମ ଦିଓ୍ଵାର । ସେଥିରେ ଅମିତାଭଙ୍କ ଆକ୍ସନ ଓ ଦମଦାର ଡାଏଲଗ୍‌କୁ ଆଜି ବି ଦର୍ଶକଙ୍କ ହୃଦୟରେ ତାଜା ରହିଛି ।

୧୯୭୫ରେ ଆସିଥିଲା ସୋଲେ । ଯାହା ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଏକ ମାଇଲଷ୍ଟୋନ୍‌ ହେଲା । ଧର୍ମେନ୍ଦ୍ରଙ୍କ ସହ ନଜର ଆସିଥିଲେ ବିଗ୍‌ । ସୋଲରେ ଜୟ ଚରିତ୍ରରେ ତାଙ୍କର ନିଆରା ଅନ୍ଦାଜ ଓ ଅଭିନୟରେ ଦିଓ୍ଵାନା ହୋଇଥିଲେ ଫ୍ୟାନ୍‌ । ୧୯୭୬ରେ ମୁକ୍ତିଲାଭ କରିଥିଲା ଫିଲ୍ମ କଭି କଭି । ଏହି ଫିଲ୍ମ ଅମିତାଭଙ୍କୁ ଦେଇଥିଲା ରୋମାଣ୍ଟିକ୍‌ ହିରୋର ପରିଚୟ । ଅମର ଆକବର ଆନ୍ଥୋନୀ ତାଙ୍କ କ୍ୟାରିୟରର ଅନ୍ୟତମ ସୁପର ଡୁପର ହିଟ୍‌ ଫିଲ୍ମ । ଦମଦାର ଅଭିନୟ ପାଇଁ ପ୍ରଥମ ଥର ଫିଲ୍ମ ଫେୟାର ଆଓ୍ଵାର୍ଡ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ ।

୧୯୭୦ରୁ ୮୦ ଦଶକ ମଧ୍ୟରେ ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିରେ ଛାଇ ଯାଇଥିଲେ ବିଗ୍‌ ବି । ହଲକୁ ଆସୁଥିଲା ତାଙ୍କର ଅଧିକ ଫିଲ୍ମ । ଯେଉଁ ଫିଲ୍ମରେ ଅଭିନୟ କରୁଥିଲେ ତାହା ହିଟ୍‌ ହେଉଥିଲା । ସିଲସିଲା, ୟାରାନା, ଡନ୍‌, ସତେ ପେ ସତ୍ତା, ନମକ ହଲାଲ୍‌ ସାହେନଶାହ, ଅଭିମାନ ଭଳି ଫିଲ୍ମରେ ଛାଡିଥିଲେ ଅଭିନୟର ଛାପ । ୯୦ ଦଶକରେ ଅଗ୍ନିପଥ, ହମ୍‌, ଅଜୁବା, ଖୁଦା ଗଓ୍ଵା ଭଳି ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଥିଲେ ଅମିତାଭ ବଚ୍ଚନ । ତାପରେ କ୍ୟାରେକ୍ଟର ରୋଲରେ ଅଭିନୟ କରିଥିଲେ । ମୋହବତେଁ, କଭି ଖୁସି କଭି ଗମ୍‌, ଆଖେଁ, ବାଗବାନରେ ନୂଆ ରୂପରେ ଆସିଥିଲେ ବିଗ୍‌ ବି । ପା, ବ୍ଲାକ, ସରକାର ଭଳି ଭିନ୍ନ ସ୍ୱାଦର ଫିଲ୍ମରେ ଦମଦାର ଅଭିନୟ କରିଛନ୍ତି । ବଡ଼ ପରଦା ସହ ଛୋଟ ପରଦାରେ ବି ଲୋକପ୍ରିୟତା ସାଉଁଟିଛନ୍ତି ବିଗ୍‌ ବି । ରିଆଲିଟି ସୋ କୌନ ବନେଗା କରୋଡ ପତି ସିରିଜର ହୋଷ୍ଟ ସିଟରେ ଅଛନ୍ତି । ତାଙ୍କର ଉପସ୍ଥାପନା ଶୈଳୀକୁ ମିଳୁଛି ଢେର ପ୍ରଶଂସା। ବଳିଷ୍ଠ ଓ ବାସ୍ତବବାଦୀ ଅଭିନୟ ଘରେ ଘରେ ପରିଚିତ କରାଇଛି । ଚାରି ଚାରି ଥର ପାଇଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ୧୯୮୪ରେ ପଦ୍ମଶ୍ରୀ ଓ ୨୦୧୫ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ବି ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.