କବିତା ଚୋରି କରିଛନ୍ତି କି ଅମିତାଭ୍ ? ଲେଖକ ଦାବି କଲେ ୩୨ ଟଙ୍କା

ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ ବିଗ୍ ବି । ଅନେକ ସମୟରେ ଟୁଇଟରରେ ସେ ନିଜ ପୁରୁଣା କବିତା ଏବଂ ଫଟୋ ସେୟାର୍ କରିଥାନ୍ତି । ନିକଟରେ ସେମିତି ଏକ କବିତା ଟୁଇଟରରେ ପୋଷ୍ଟ କରିଥିଲେ ଅମିତାଭ୍ । ଯାହାକୁ ନିଜର ବୋଲି କହି ଜଣେ ଲେଖକ ବିଗ୍ ବିଙ୍କଠାରୁ ୩୨ ଟଙ୍କା ମାଗିଛନ୍ତି ।

ହିନ୍ଦିକୁ ବଖାଣ କରୁଥିବା ଏକ କବିତା ସେୟାର୍ କରିଥିଲେ ଅମିତାଭ୍ । ତେବେ ଏହି ଟୁଇଟ୍ ପରେ ଲେଖକ ପ୍ରବୁଦ୍ଧ ସୌରଭ ଏକ ସ୍କ୍ରିନ୍ ସଟ୍ ସେୟାର୍ କରି କବିତାକୁ ନିଜର ବୋଲି ଦାବି କରିଛନ୍ତି । ଏହା ସହ ଏହି ପୋଷ୍ଟରେ ସେ ବିଗ୍ ବି ଏବଂ କୁମାର ବିଶ୍ବାସଙ୍କୁ ଟ୍ୟାଗ୍ କରି ୩୨ ଟଙ୍କା ମାଗିଛନ୍ତି । ଏବେ ଆପଣ ଭାବୁଥିବେ କୁମାର ବିଶ୍ବାସଙ୍କୁ କାହିଁକି ଟ୍ୟାଗ୍ କଲେ ଏବଂ ୩୨ ଟଙ୍କା କାହିଁକି ମାଗିଲେ ପ୍ରବୁଦ୍ଧ । ତେବେ ଜାଣନ୍ତୁ ପୁରା ଘଟଣା ।

ପ୍ରକୃତରେ ୨୦୧୭ରେ ଅମିତାଭଙ୍କ ବାପା ହରିବଂଶ ରାୟବଚ୍ଚନଙ୍କ ଏକ କବିତାରେ ଭିଡିଓ ପ୍ରସ୍ତୁତ କରି ୟୁଟ୍ୟୁବରେ ଅପଲୋଡ୍ କରିଥିଲେ । ଯାହା ପରେ ବିଗ୍ ବି ତାଙ୍କୁ ଲିଗାଲ୍ ନୋଟିସ୍ ପଠାଇଥିଲେ । ଯଦିଓ କୁମାର ବିଶ୍ବାସ ଏହି କବିତା ସେୟାର୍ କରିବା ସମୟରେ ହରିବଂଶଙ୍କୁ କ୍ରେଡିଟ୍ ଦେଇଥିଲେ ତଥାପି ଅମିତାଭ୍ ତାଙ୍କ ବିରୋଧରେ କପିରାଇଟ୍ ନିୟମ ଉଲଂଘନ କରିଥିବାର ଅଭିଯୋଗ ଆଣିଥିଲେ । ଏବଂ ତୁରନ୍ତ ଅଡିଓ / ଭିଡିଓ ଡିଲିଟ୍ କରିବା ସହ ଏହା ମାଧ୍ୟମରେ ଆୟ କରିଥିବା ଟଙ୍କା ମଧ୍ୟ ମାଗିଥିଲେ ।

ଏହାର ଉତ୍ତର ଦେଇ ଅମିତାଭଙ୍କୁ କୁମାର ବିଶ୍ବାସ କହିଥିଲେ, ସମସ୍ତ କବିଙ୍କଠାରୁ ମତେ ପ୍ରଶଂସା ମିଳିଲା କିନ୍ତୁ ଆପଣଙ୍କଠାରୁ ମିଳିଲା ନୋଟିସ୍ । ହରିବଂଶଙ୍କୁ ଶ୍ରଦ୍ଧାଞ୍ଜଳୀ ଏବଂ ଏହା ସହ ଆପଣ ମାଗିବାରୁ ୩୨ ଟଙ୍କା ଦେଉଛି ଯାହା ଏହି ଭିଡିଓରୁ ଆୟ ହୋଇଥିଲା ।

You might also like