ସିନେମା ଦେଖିବା ପାଇଁ ପଇସା ନଥିଲା, ହଲର ଚଟାଣ ଉପରେ ବସି ଦେଖୁଥିଲି ଫିଲ୍ମ, ନିଜ ଜୀବନର ସଂଘର୍ଷମୟ କାହାଣୀ କହିଲେ ଅମିତାଭ

ବିଗ୍‌ ବି ଅମିତାଭ ସବୁବେଳେ ନିଜର ନିରାଡ଼ମ୍ବର ଜୀବନ ପାଇଁ ବେଶ ଜଣାସୁଣା । ମେଗାଷ୍ଟାର ଅମିତାଭ ବଚ୍ଚନ ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ପ୍ରଶଂସକଙ୍କ ହୃଦୟକୁ କିଣି ନିଅନ୍ତି । ସେ ତାଙ୍କର ସାଧାରଣ ଜୀବନ ଶୈଳୀ ପାଇଁ ଦର୍ଶକଙ୍କ ପାଖରୁ ସବୁବେଳେ ଭଲପାଇବା ପାଇଥାନ୍ତି । ସେ କେତେବେଳେ ଶହେନଶାାହା ତ କେତେବେଳେ ସୂର୍ଯ୍ୟବଂଶୀ ପୁଣି ଆଉ କେତେବେଳେ ‘ଶୋଲେ’ର ଜୟ ଚରିତ୍ର କରି ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଦୀର୍ଘ ଚାରି ଦଶନ୍ଧିର ଯାତ୍ରାରେ ସେ ବଲିଉଡକୁ ଏକ ନୂଆ ଧାରା ଦେଇଛନ୍ତି । ସେ କେବଳ ବଲିଉଡ ନୁହେଁ ଟିଭି ଶୋ ମାଧ୍ୟମରେ ଅନେକ ଅନେକ ପ୍ରଶଂସା ସାଉଣ୍ଟିଛନ୍ତି । ଏବେ ଏବେ ସେ ପରିଚାଳନା କରୁଥିବା ଶୋ ‘କେବିସି’ରେ ଅତୀତର ନିଜ ଜୀବନର କିଛି ଦୁଃଖଦ ସ୍ମୃତିକୁ ସେୟାର କରିଛନ୍ତି ।

ବିଗ୍‌ ବିଙ୍କର ନୂଆ ଫିଲ୍ମ ‘ଉଞ୍ଚାଇ’ର ଷ୍ଟାର କାଷ୍ଟ ,ବୋମନ ଇରାନୀ,ଅନୁପମ ଖେର ଏବଂ ନୀନା ଗୁପ୍ତା ‘କେବିସି’ରେ ଯୋଗ ଦେଇଥିଲେ । ସେମାନଙ୍କ ସହିତ ଆଲୋଚନା ବେଳେ ଅନେକ ପୁରୁଣା ଦିନର କଥାକୁ ମନେପକାଇବା ସହିତ ‘ଉଞ୍ଚାଇ’ର ସୁଟିଂ ବେଳର ମଜାଳିଆ ମୁହୂର୍ତ୍ତକୁ ମନେପକାଇ ସମସ୍ତେ ମଜା ମସ୍ତି କରିଥିଲେ ।‘କେବିସି’ରେ ଆଲୋଚନା ବେଳେ ବିଗ୍‌ ବି’ନିଜ ଜୀବନର ଏକ ଅଭୁଲା ମୁହୂର୍ତ୍ତକୁ ବଖାଣି ଥିଲେ ।

ସେ କହିଥିଲେ ସେ ଯେତେବେଳେ ହେଷ୍ଟେଲରେ ରହି ପାଠ ପଢ଼ୁଥିଲେ ତାଙ୍କ ପାଖରେ ସିନେମା ହଲରେ ଯାଇ ସିନେମା ଦେଖିବା ପାଇଁ ପଇସା ନ ଥାଏ । କିନ୍ତୁ ତାଙ୍କୁ ଥ୍ରଏଟରରେ ଫିଲ୍ମ ଦେଖିବା ପାଇଁ ଏତେ ପସନ୍ଦ ଥିଲା ଯେ,ସେ ସିିନେମା ହଲର ସେକ୍ରେଟେରୀଙ୍କୁ ଅନୁରୋଧ କରୁଥିଲେ ତାଙ୍କୁ ବିନା ଟିକେଟରେ ଫିଲ୍ମ ଦେଖିବା ପାଇଁ ।

ଏହା ମଧ୍ୟ କହିଥିଲେ ସେତେବେଳେ ଟିକେଟ କିଣିବା ପାଇଁ ପଇସା ନଥିବାରୁ ମୁଁ ହଲର ଚଟାଣରେ ବସି ବିନା ଟିକଟରେ ଫିଲ୍ମ ଦେଖୁଥିଲି । ଏହି ସବୁ କଥା ଶୁଣି ସେଠାରେ ବସିଥିବା ଦର୍ଶକ ଅମିତାଭଙ୍କ ଜୀବନର ସଂଘର୍ଷ କାହାଣୀ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଅମିତାଭଙ୍କ ଜୀବନର ଏହି ଅକୁହା କାହାଣୀ ସମସ୍ତଙ୍କ ହୃଦୟକୁ ଜିତି ନେଇଥିଲା । ତା ପରେ ଅମିତାଭ ଅନୁପମଙ୍କ ବିଷୟରେ ଏକ ଅଜଣା କଥା କହିଥିଲେ । ସେ କହିଥିଲେ ଅନୁପମ ବହୁତ ବଢ଼ିଆ ଶୋଲ୍ଡର ମସାଜ୍‌ କରନ୍ତି । ଅନୁପମ ଏହି ସୁଯୋଗର ହାତଛଡ଼ା କରିନଥିଲେ ସେ ବି ଶୋ ମଝିରେ ମସାଜ୍‌ କରିଥିଲେ ।

ଏହି କଳାକାରମାନଙ୍କର ଆଗାମୀ ଫିଲ୍ମ ‘ଉଞ୍ଚାଇ’ ଆସୁଥିବା ବେଳେ ଏହା ନଭେମ୍ବର ୧୧ରେ ରିଲିଜ ହେବ । ଏହି ଫିଲ୍ମଟି ୪ଜଣ ବନ୍ଧୁଙ୍କ ଉପରେ କାହାଣୀ ପର୍ଯ୍ୟବେସିତ । ଏହି ପିଲ୍ମରେ ବୋମନ ଇରାନୀ,ଅନୁପମ ଖେର ଏବଂ ଡାନି ଡେନ୍‌ଜୋଙ୍ଗ୍‌ପା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.