୫୦ ଲକ୍ଷ ଠକେଇ: କପିଲ ଶର୍ମା ଶୋ’ର ଏହି କମେଡିଆନଙ୍କ ସମେତ ୭ଜଣଙ୍କ ନାଁରେ ମାମଲା
କପିଲ ଶର୍ମା ଶୋ’ର ମୁଖ୍ୟ କମେଡିଆନ୍ କିକୁ ଶାରଦା ଏବଂ ଅନ୍ୟ ୬ଜଣଙ୍କ ବିରୋଧରେ ଆର୍ଟ ଡାଇରେକ୍ଟର ନୀତିନ କୁଲକର୍ଣ୍ଣି ଅମ୍ବୋଲି ଥାନାରେ ଏକ ଅଭିଯୋଗ କରିଛନ୍ତି। ନୀତିନଙ୍କୁ ତାଙ୍କ ପାଉଣା ନ ମିଳିବା କାରଣରୁ ସେ ଏହି ଅଭିଯୋଗ କରିଥିବା କହିଛନ୍ତି। ଦ ମୁମ୍ବାଇ ଫେଷ୍ଟ୍ ନାମକ ଚାରିଟେବୁଲ୍ ଟ୍ରଷ୍ଟ ତାଙ୍କୁ ୫୦.୭ ଲକ୍ଷ ଟଙ୍କା ଦେଇ ନ ପାରିବାରୁ ଥାନାରେ ମାମଲା ରୁଜୁ ହୋଇଛି।
ଏହାସହ ପଢ଼ନ୍ତୁ: ‘କୁଲି ନମ୍ବର ୧’ ପାଇଁ ପ୍ରସ୍ତୁତ ହେଉଥିଲେ ବରୁଣ ଧୱନ୍, ସେୟାର କରିଦେଲେ ନିଜର ଏହି ମଜାଦାର ଭିଡିଓ
ସୂଚନା ମୁତାବକ, ଦ ମୁମ୍ବାଇ ଫେଷ୍ଟ୍ ଚାରିଟେବୁଲ୍ ଟ୍ରଷ୍ଟ ଜନକଲ୍ୟାଣମୂଳକ କାର୍ଯ୍ୟ କରିବା ସହିତ କଳା ଏବଂ ସଂସ୍କୃତିର ମଧ୍ୟ ପ୍ରଚାର ପ୍ରସାର କରୁଛି। ପ୍ରତିବର୍ଷ ଏହା ମୁମ୍ବାଇରେ ଏକ ବିଶେଷ ଇଭେଣ୍ଟର ଆୟୋଜନ କରିଥାଏ, ଯାହାକି ପାଖାପାଖି ୩ଦିନ ପର୍ଯ୍ୟନ୍ତ ଚାଲେ। ତେବେ ଅଭିଯୋଗକାରୀଙ୍କ କହିବା କଥା ହେଲା, ଗତବର୍ଷ ତାଙ୍କୁ ମୁମ୍ବାଇର ବିକେସି ଏମଏମଆରଡିଏ ଗ୍ରାଉଣ୍ଡରେ ହେବାକୁ ଥିବା ଦ ମୁମ୍ବାଇ ଫେଷ୍ଟରେ ସିଟ୍ ଡିଜାଇନ କରିବାକୁ କୁହାଯାଇଥିଲା। କାମ ଶେଷ ହେବା ପରେ ତାଙ୍କୁ ୫୦.୭ ଲକ୍ଷ ଟଙ୍କାର ଚେକ୍ ଦିଆଯାଇଥିଲା, କିନ୍ତୁ ଯାହାକି ପରେ ବାଉନ୍ସ ହୋଇଗଲା।
ସେପଟେ ଟ୍ରଷ୍ଟର ଓକିଲ ଅନୁପ ପାଣ୍ଡେଙ୍କ କହିବାନୁଯାୟୀ, ସେମାନେ ସମସ୍ତ କାଗଜପତ୍ର ଏବଂ ପ୍ରମାଣ ପତ୍ର ଥାନାରେ ଜମା କରିଛନ୍ତି। କିକୁ ଶାରଦାଙ୍କ ବାପା ଏହି ଟ୍ରଷ୍ଟର ସଚିବ ଅଛନ୍ତି, କିନ୍ତୁ କିକୁଙ୍କର ଏହି ମାମଲା ସହିତ କୌଣସି ନେଣଦେଣ ନାହିଁ। ଏହାସତ୍ତ୍ବେ ତାଙ୍କ ନାମକୁ ଏଥିରେ ଯୋଡ଼ାଯାଇଛି। କିକୁ ଶାରଦା କହିଛନ୍ତି, ‘ମୁଁ ସେହି ଇଭେଣ୍ଟରେ ଅନ୍ୟ ସେଲିବ୍ରିଟିଙ୍କ ଭଳି ପହଞ୍ଚିଥିଲି। ମୁଁ ଟ୍ରଷ୍ଟର ସଦସ୍ୟ ନୁହେଁ। ହଁ, ମୋ ବାପା ଏହାର ସଚିବ ଅଛନ୍ତି, କିନ୍ତୁ ଜବରଦସ୍ତି ମୋ ନାଁକୁ ଏହି କେସରେ ଭର୍ତ୍ତି କରାଯାଇଛି।’