ଆଜି ତୃତୀୟ ଥର ପାଇଁ ଅନନ୍ୟା ପାଣ୍ଡେଙ୍କୁ ପଚରାଉଚରା କରିବ ଏନସିବି, ଡ୍ରଗ୍ସ କାରବାର ନେଇ ଖୋଲିପାରେ କିଛି ଗୁମର

ଆର୍ଯ୍ୟନ ଖାନ୍‌ ଡ୍ରଗ୍ସ କେସରେ ଏବେ ଭିନ୍ନ ଭିନ୍ନ ମୋଡ଼ ସାମ୍ନାକୁ ଆସୁଛି। ଏନେଇ ଅନନ୍ୟାଙ୍କ ନାମ ସାମ୍ନାକୁ ଆସିଥିବା ବେଳେ ଅନନ୍ୟାଙ୍କ ଦୁଇଥର ପଚରାଉଚରା କରିସାରିଲାଣି ଏନସିବି। ପୁଣିଥରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଆଜି ଏନସିବି ତୃତୀୟ ଥର ପଚରାଉଚରା କରିବ। ଏହି ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ୍ ଖାନ ଏବଂ ଅନନ୍ୟାଙ୍କ ମଧ୍ୟରେ କିଛି ହ୍ୱାଟସ୍ ଆପ୍ ଚାଟ୍ ଏନସିବିକୁ ମିଳିଛି, ଯାହା ଆଧାରରେ ଅଭିନେତ୍ରୀଙ୍କୁ ପୁଣି ପଚରାଉଚରା ପାଇଁ ଡାକିଛି ଏନସିବି। ଶୁକ୍ରବାର ଦିନ ସେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କୁ ଚାରି ଘଣ୍ଟା ପଚରାଉଚରା କରାଯାଇଥିଲା। ଏହାପୂର୍ବରୁ ଗୁରୁବାର ଦିନ ଅନନ୍ୟାଙ୍କୁ ଦୁଇ ଘଣ୍ଟା ପଚରାଉଚରା କରାଯାଇଥିଲା।

ସୂଚନା ଅନୁଯାୟୀ, ଅନନ୍ୟା କହିଛନ୍ତି ଯେ, ସେ କୌଣସି ନିଶାଯୁକ୍ତ ପଦାର୍ଥ ସେବନ କରିନାହାଁନ୍ତି। ଆର୍ଯ୍ୟନ୍ ଖାନଙ୍କ ସହ ଯେଉଁ ଚାଟ୍ ବିଷୟରେ କୁହାଯାଉଛି ତାହା ଥଟ୍ଟା ମଜାରେ କୁହାଯାଇଥିଲା।
ସୂଚନାଯୋଗ୍ୟ, ପୂର୍ବରୁ ଶୁକ୍ରବାର ଅନନ୍ୟାଙ୍କୁ ଏହି ମାମଲାରେ ଦ୍ୱିତୀୟ ଥର ପାଇଁ ପଚରାଉଚରା କରାଯାଇଥିଲା, କିନ୍ତୁ ସେ ଏନ୍‌ସିବି ଅଫିସ୍‌ରେ ଧାର୍ଯ୍ୟ ସମୟର ୩ ଘଣ୍ଟା ବିଳମ୍ବରେ ପହଞ୍ଚି ଥିଲେ। ତାଙ୍କର ଏମିତି ବିଳମ୍ବରେ ପହଞ୍ଚିବା ଏନ୍‌ସିବିକୁ ବିଲ୍‌କୁଲ ପସନ୍ଦ ଆସି ନ ଥିଲା, ଯେଉଁ କାରଣରୁ ଅନନ୍ୟାଙ୍କୁ ସମୀର ଓ୍ଵାଙ୍ଖଡ଼େଙ୍କଠାରୁ ଗାଳି ଶୁଣିବାକୁ ପଡ଼ିଥିଲା। ଅନନ୍ୟା ପାଣ୍ଡେଙ୍କ ସହ ଜଡ଼ିତ ୩ ଚାଟ୍‌ସ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଛି। ୨୦୧୮ରୁ ୨୦୧୯ ମଧ୍ୟରେ ଏହି ଚାଟ୍‌ସ ଗଞ୍ଜେଇକୁ ନେଇ ହୋଇଛି। ଅନନ୍ୟାଙ୍କର ଦୁଇଟି ଫୋନ୍‌କୁ ଏନ୍‌ସିବି ଜବତ କରି ନେଇଛି।

ଅନ୍ୟପକ୍ଷରେ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ପ୍ରତିଦିନ ନୂଆ ଖୁଲାସା କରାଯାଉଛି। ରବିବାର ଦିନ ଏହି ମାମଲାରେ ମୁଖ୍ୟ ପ୍ରତ୍ୟକ୍ଷଦର୍ଶୀ ବା ସାକ୍ଷୀ କେ. ପି ଗୋସାବୀଙ୍କ ବଡିଗାର୍ଡ ବଡ଼ ଖୁଲାସା କରିଛନ୍ତି। ବଡିଗାର୍ଡ ପ୍ରଭାକର କହିଛନ୍ତି, ଏନ୍‌ସିବି ଅଫିସରେ କୋର୍ଟ ପେପର ତିଆରି କରି ଖାଲି କାଗଜରେ ଆର୍ଯ୍ୟନ୍‌ଙ୍କ ଜବରଦସ୍ତ ଦସ୍ତଖତ ନିଆଯାଇଛି। ସୂଚନାଯୋଗ୍ୟ ଯେ କ୍ରୁଜ୍‌ ଡ୍ରଗ୍ସ ମାମଲାରେ କେପି ଗୋସାବୀଙ୍କ ବ୍ୟତୀତ ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀ ବା ସାକ୍ଷୀ ହେଉଛନ୍ତି ପ୍ରଭାକର।

Leave A Reply

Your email address will not be published.