୩୫ ବର୍ଷର କ୍ୟାରିୟରରେ ପ୍ରଥମ ଥର ବେରୋଜଗାର ହେଲେ ଅନୁପମ୍‌, ଫିଲ୍ମ ଇଣ୍ଡଷ୍ଟ୍ରିରେ ମାଗୁଛନ୍ତି କାମ

ଫିଲ୍ମ ଇଣ୍ଡଷ୍ଟ୍ରିରେ ୩୫ ବର୍ଷ କାଟି ସାରିଲେଣି ଅନୁପମ୍‌ ଖେର୍‌ । ୨୫ ମେ’ ରେ ତାଙ୍କର ପ୍ରଥମ ଫିଲ୍ମ ସାରାଂଶ ରିଲିଜ୍‌ ହୋଇଛି । ଏହି ୩୫ ବର୍ଷ ମଧ୍ୟରେ ଅନୁପମ୍‌ ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇସାରିଛନ୍ତି । ବିଭିନ୍ନ ପ୍ରକାର ରୋଲରେ ନିଖୁଣ ଅଭିନୟ କରି ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନ ଅନୁପମଙ୍କ ନିକଟରେ କୌଣସି କାମ ନାହିଁ ।

ଏହି କଥାର ସୂଚନା ନିଜେ ଅନୁପମ୍‌ ଖେର୍‌ ଏକ ସାକ୍ଷାତକାର ଦେଇଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ମାଗୁଛନ୍ତି ଅନୁପମ୍‌ । ସାକ୍ଷାତକାରରେ ଅନୁପମ୍‌ କହିଛନ୍ତି, ଗତ ୩୫ ବର୍ଷ ମଧ୍ୟରେ ଏପରି କେବେ ହୋଇନଥିଲା । ଏମିତି କୌଣସି ଦିନ ବା ଘଂଟା ନଥିଲା ଯେତେବେଳେ ବେରୋଜଗାର ଥିବି ।

୩୫ ବର୍ଷ ମଧ୍ୟରେ ପ୍ରତିଦିନ କୌଣସି ନା କୌଣସି ଫିଲ୍ମ ପାଇଁ ବ୍ୟସ୍ତ ଥାନ୍ତି ଅନୁପମ୍‌ । କିନ୍ତୁ ପ୍ରଥମ ଥର ପାଇଁ ଏମିତି ହୋଇଛି ଯେ ତାଙ୍କ ହାତରେ କୌଣସି ଫିଲ୍ମ ନାହିଁ । ନିଜ କ୍ୟାରିୟରର ଆରମ୍ଭ ଅନୁପମ୍‌ ୨୮ ବର୍ଷରେ କରିଥିଲେ । ପ୍ରଥମ ଫିଲ୍ମରେ ଜଣେ ୬୫ ବର୍ଷୀୟ ବୃଦ୍ଧ ବ୍ୟକ୍ତିର ଅଭିନୟ କରିଥିଲେ ଅନୁପମ୍‌ । ଯାହା ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା । ତାଙ୍କର ସବୁଠାରୁ ଭଲ ଫିଲ୍ମ ମଧ୍ୟରୁ ସାରାଂଶ ଅନ୍ୟତମ । ଫିଲ୍ମର ନିର୍ଦ୍ଦେଶନା ମହେଶ ଭଟ୍ଟ ଦେଇଥିଲେ ।