ଦିବଂଗତ ଲୋକଗାୟିକା ଶାରଦା ସିହ୍ନାଙ୍କୁ ପଦ୍ମ ବିଭୂଷଣ, ପଙ୍କଜ ଉଧାସଙ୍କୁ ପଦ୍ମ ଭୂଷଣ, ଅରିଜିତ୍ ସିଂଙ୍କୁ ପଦ୍ମଶ୍ରୀ ପୁରସ୍କାର

ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ଭାରତ ସରକାର ଚଳିତ ବର୍ଷର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ଏଥିରେ ମନୋରଞ୍ଜନ ଜଗତର ଅନେକ ମହାନ୍ କଳାକାରଙ୍କ ନାମ ରହିଛି । ଦିବଂଗତ ଲୋକଗାୟିକା ଶାରଦା ସିହ୍ନାଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରିବା ପାଇଁ ଘୋଷଣା କରାଯାଇଛି । ଦିବଂଗତ ସିଙ୍ଗର ପଙ୍କଜ ଉଧାସଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯିବ ।

୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୯ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯିବାକୁ ଘୋଷଣା ହୋଇଛି । କଳା ଜଗତରେ ଅତୁଳନୀୟ ଅବଦାନ ପାଇଁ ବିହାରର ଲୋକଗାୟିକା ଶାରଦା ସିହ୍ନାଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରାଯିବ । ତାଙ୍କୁ ଏହି ସମ୍ମାନ ମରଣୋପରାନ୍ତ ଦିଆଯିବ ।

କର୍ଣ୍ଣାଟକର ନିର୍ଦ୍ଦେଶକ ଅନନ୍ତ ନାଗ, ନନ୍ଦମୁରୀ ବାଲକୃଷ୍ଣ, ଦିବଂଗତ ସିଙ୍ଗର ପଙ୍କଜ ଉଧାସ, ନିର୍ଦ୍ଦେଶକ ଶେଖର କପୁର, ତାମିଲ ଅଭିନେତା ଅଜିତ କୁମାର, ଭାରତୀୟ ଅଭିନେତ୍ରୀ ତଥା ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ଶୋଭନା ଚନ୍ଦ୍ରକୁମାର, ଗ୍ରାମୀ ବିଜେତା ସଙ୍ଗୀତଜ୍ଞ ରିକି କେଜଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯିବାକୁ ଘୋଷଣା ହୋଇଛି ।

ଏହିପରି ବଲିଉଡର ଫେମସ୍ ସିଙ୍ଗର ଅରିଜିତ ସିଂ, ଭାରତୀୟ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ମମତା ଶଙ୍କରଙ୍କ ସମେତ ଅନେକ କଳାକାରଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି । ବଲିଉଡର ଫେମସ୍ କମେଡିଆନ୍ ଅଶୋକ ଲକ୍ଷ୍ମଣ ସରାଫ୍, ରାଜସ୍ଥାନର ଲୋକଗାୟିକା ବେଗମ୍ ବଟୁଲ ଓ ବଲିଉଡ୍ ସିଙ୍ଗର ଜସପିନ୍ଦର ନରୁଲାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ପଦ୍ମ ପୁରସ୍କାର ପାଇଁ ଚୟନ ହୋଇଥିବା କଳାକାରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କଳା, ସମାଜସେବା, ଚିକିତ୍ସା, ଶିଳ୍ପ, ସାହିତ୍ୟ, କୀଡ଼ା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋଟ୍ ୧୩୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ସରକାର ପଦ୍ମ ପୁରସ୍କାରରେ ସମ୍ମାନିତ କରିବା ପାଇଁ ତାଲିକା ପ୍ରକାଶ ପାଇଛି ।

You might also like