ନିର୍ବନ୍ଧ କରିବାକୁ ଯାଉଛନ୍ତି ପବନ୍‌ଦୀପ ରାଜନ୍‌ ଓ ଅରୁଣିତା କାଞ୍ଜିଲାଲ! ‘ମଞ୍ଜୁର ଦିଲ୍‌’ରେ ଇସାରାରେ କହିଲେ ମନ କଥା

ନିର୍ବନ୍ଧ କରିବାକୁ ଯାଉଛନ୍ତି ଇଣ୍ଡିଆନ୍‌ ଆଇଡଲ ଫେମ୍‌ ପବନ୍‌ଦୀପ ରାଜନ୍‌ ଓ ଅରୁଣିତା କାଞ୍ଜିଲାଲ। ଫ୍ୟାନ୍‌ମାନଙ୍କର ଏତେ ଦିନର ଆଶା ଏବେ ପୂରଣ ହେବାକୁ ଯାଉଛି। ଶୋ’ରେ ଉଭୟଙ୍କ ସମ୍ପର୍କ ଖୁବ୍‌ ଚର୍ଚ୍ଚାରେ ରହିଥିଲା। ଏଣୁ ଫ୍ୟାନ୍‌ମାନେ ଚାହୁଁଥିଲେ ଯେ ଏହି ସେଲିବ୍ରିଟି କେବଳ ବନ୍ଧୁ ଭାବେ ନ ରହି ସାରା ଜୀବନ ପତିପତ୍ନୀ ଭାବେ ରୁହନ୍ତୁ। ଫ୍ୟାନ୍‌ଙ୍କର ଏହି ଇଚ୍ଛା ଏବେ ପୂରଣ ହୋଇଛି। ତେବେ ରିୟଲରେ ନୁହେଁ ବରଂ ରିଲ୍‌ରେ ହିଁ ଏହି ଷ୍ଟାର ନିର୍ବନ୍ଧ କରିଛନ୍ତି।

ଟିଭି ରିୟାଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ ୧୨ର ବିଜେତା ପବନଦୀପ ଓ ଶୋ’ର ପ୍ରଥମ ରନର୍ସ ଅପ୍‌ ଅରୁଣିତା ଖୁବ୍‌ଶୀଘ୍ର ନିର୍ବନ୍ଧ ବନ୍ଧନରେ ବାନ୍ଧି ହେଉଥିବା ଦେଖିବାକୁ ମିଳିଛି। ନିକଟରେ ସେମାନଙ୍କର ଏକ ନୂଆ ଗୀତ ରିଲିଜ୍‌ ହେବାକୁ ଯାଉଛି। ଏହି ଗୀତରେ ଉଭୟେ ସ୍ୱର ସଂଯୋଜନା କରିଛନ୍ତି। ତେବେ ଏହି ଭିଡିଓରେ କେବଳ ଉଭୟେ କଣ୍ଠଦାନ କରିନାହାନ୍ତି, ବରଂ ଅଭିନୟ ମଧ୍ୟ କରିଥିବା ଦେଖିବାକୁ ମିଳିଛି। ଗୀତର ବୋଲ୍‌ ରହିଛି- ମଞ୍ଜୁର ଦିଲ୍‌ ‘Manzoor Dil’। ଏହାର ଟିଜର ନିକଟରେ ରିଲିଜ୍‌ ହୋଇଛି।

Video Credit: SRB News

ଏହି ଟିଜରରେ ପବନ ନିଜ ମନର କଥା ଅରୁଣିତାଙ୍କୁ କହୁଥିବା ଦେଖିବାକୁ ମିଳିଛି। ପବନ ଟିଜରରେ ଅରୁଣିତାଙ୍କୁ କହୁଛନ୍ତି, ‘ଏକ ବାତ୍‌ ପୁଛୁ…’ ଏହାର ଉତ୍ତରରେ ଅରୁଣିତା କହୁଛନ୍ତି, ‘ହାଁ ପୁଛୋ…’ ପବନ କହୁଛନ୍ତି- ସାଥ୍‌ ଦୋଗି ନା ମେରା… ଏହାର ଜବାବରେ ଅରୁଣିତା କହୁଛନ୍ତି- ହମେଶା… ଉଭୟଙ୍କର ଏହି ରୋମାଣ୍ଟିକ୍‌ ଗୀତ ଅକ୍ଟୋବର ୨୩ରେ ରିଲିଜ୍‌ ହେବ।

ଏହି ଗୀତ ବିଷୟରେ ନିର୍ଦ୍ଦେଶକ ଓ ପ୍ରଯୋଜକ ରାଜ୍‌ ସୁରାନୀ ମଧ୍ୟ କିଛି କଥା ସେୟାର କରିଛନ୍ତି। ସେ କହିଛନ୍ତି, ଏହି ଗୀତର ସୁଟିଂ ଅନେକଗୁଡ଼ିଏ ସ୍ଥାନରେ ହୋଇଛି। ଉଭୟେ ଏକାଠି ଅନେକ ଗୀତ ଗାଇଥିଲେ ମଧ୍ୟ ଏହି ଗୀତରେ ପ୍ରଥମ ଥର ପାଇଁ ଅଭିନୟ କରିଛନ୍ତି। ସେ କହିଛନ୍ତି ଯେ ସେ ପବନ-ଅରୁଣିତାଙ୍କ ସହ ୨୦ଟି ଗୀତ ସାଇନ୍‌ କରିଛନ୍ତି। ତାହା ଖୁବ୍‌ଶୀଘ୍ର ଗୋଟିଏ ପରେ ଗୋଟିଏ ରିଲିଜ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.