ମୁମ୍ବାଇ(କେ ନ୍ୟୁଜ): କୋର୍ଟରେ ଆର୍ଯ୍ୟନଙ୍କ ଜାମିନ ଶୁଣାଣି ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସଂରକ୍ଷିତ । ଆସନ୍ତା ୨୦ ଯାଏଁ ସେ ଜେଲରେ ରହିବେ ବୋଲି ଜଣାଯାଇଛି । ଆଜି ପୁଣିଥରେ କୋର୍ଟରେ ହେବ ଆର୍ଯ୍ୟନ୍ ଖାନ୍ଙ୍କ ଡ୍ରଗ୍ସ ମାମଲାର ଶୁଣାଣି ତାରିଖ ଧାର୍ଯ୍ୟ ହୋଇଥିଲେ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ । ବୁଧବାର ମୁମ୍ବାଇର ସେସନ୍ସ କୋର୍ଟରେ ଦିନ ସାରା ଆର୍ଯ୍ୟନ୍ଙ୍କ ଜାମିନ୍ ମାମଲାର ଶୁଣାଣି ଉପରେ ଓକିଲଙ୍କ ମଧ୍ୟରେ ଯୁକ୍ତି ତର୍କ ଚାଲିଥିଲା । କିନ୍ତୁ ସମୟ ନ ଅଣ୍ଟିବାରୁ ଆଜି ଦିନ ୧୨ଟାକୁ ଶୁଣାଣି ଘୁଞ୍ଚାଇ ଦିଆଯାଇଥିଲା । ତେଣୁ ଆଜି ପୁଣିଥରେ ଆର୍ଯ୍ୟନ୍ ଖାନ୍ଙ୍କୁ ଜାମିନ୍ ମିଳିବ କି ନାହିଁ ସେ ବିଷୟରେ ଶୁଣାଣି ହୋଇଥିଲା ।
ଗୋଟେ ପଟରେ ଆର୍ଯ୍ୟନ୍ଙ୍କ ଓକିଲ ଅମିତ ଦେଶାଇ ଦାବି କରିଛନ୍ତି ଯେ ତାଙ୍କ ମହକିଲଙ୍କ ପାଖରୁ କୌଣସି ନିଶାଜାତୀୟ ଦ୍ରବ୍ୟ ମିଳିନାହିଁ । ଏହି କଥାକୁ ଏନ୍ସିବି ମଧ୍ୟ ସ୍ୱୀକାର କରିଛି । କିନ୍ତୁ ଏନ୍ସିବି ଦାବି କରୁଛି, ଆର୍ଯ୍ୟନ୍ ମାନିଛନ୍ତି ଯେ ସେ ଡ୍ରଗ୍ସ ନିଅନ୍ତି । ଏମିତିକି ଏନସିବି ଦାବି କରିଛିକି ଆର୍ଯ୍ୟନ ଅନେକ ବର୍ଷ ହେବ ଡ୍ରଗସ ପରି ନିଶାଜାତୀୟ ଦ୍ରବ୍ୟ ନେଇ ଆସୁଥିଲେ । ଏହାକୁ ନେଇ ଆଜି ୧୨ଟାରେ ଉଭୟ ପକ୍ଷ ପୁଣି ମୁହାଁମୁହିଁ ହୋଇଥିଲେ । ପ୍ରକାଶ ଯେ ୨୦୦୨ ହିଟ ଆଣ୍ଡ ରନ ମାମଲାରେ ସଲମାନ ଖାନଙ୍କ ପାଇଁ ଲଢିଥିଲେ ଅମିତ ଦେଶାଇ । ଏହି ମାମଲାରେ ସଲମାନ ଦୋଷମୁକ୍ତ ହୋଇଥିଲେ । ଅନ୍ୟପଟେ ମୁମ୍ବାଇ କ୍ରୁଜ୍ ସିପ୍ରେ ଡ୍ରଗ୍ସ ମାମଲାରେ ଇତି ମଧ୍ୟରେ ୨ ବିଦେଶୀ ନାଗରିକଙ୍କୁ ମିଶାଇ ମୋଟ୍ ୨୦ ଜଣଙ୍କୁ ଗିରଫ କରିଛି ଏନ୍ସିବି । ତେବେ କାଲି ଜାମିନ୍ ଶୁଣାଣି ହୋଇନପାରିବାରୁ ପୁଣିଥରେ ଆର୍ଥର ଜେଲକୁ ଫେରିଯାଇଥିଲେ ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ୍।