ଆଥିୟା ସେଟ୍ଟିଙ୍କ ବିବାହ ଲେହେଙ୍ଗା ବହୁତ ଖାସ୍‌; ତିଆରି କରିବାକୁ ଲାଗିଥିଲା ୧୦,୦୦୦ ଘଣ୍ଟା!

ବଲିଉଡ୍‌ ଅଭିନେତ୍ରୀ ଆଥିୟା ସେଟ୍ଟି ଓ ଭାରତୀୟ କ୍ରିକେଟର କେଏଲ୍‌ ରାହୁଲ ୨୩ ଜାନୁୟାରୀରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୁନିଲ ସେଟ୍ଟିଙ୍କ ଖଣ୍ଡାଲାସ୍ଥିତ ବଙ୍ଗଳାରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି। ଆଥିୟା ଓ କେଏଲ୍‌ ରାହୁଲଙ୍କ ବିବାହକୁ ଫ୍ୟାନ୍‌ମାନେ ଦୀର୍ଘ ଦିନରୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଗତକାଲି ନିଜ ପରିବାର ସଦସ୍ୟ ଏବଂ ଘନିଷ୍ଠ ସମ୍ପର୍କୀୟଙ୍କ ଉପସ୍ଥିତିରେ ଆଥିୟା ଓ ରାହୁଲ ସାତ ଫେରା ନେଇଥିଲେ।

ବିବାହରେ ଉଭୟେ ଡିଜାଇନର ଅନାମିକା ଖାନ୍ନାଙ୍କ ଦ୍ୱାରା ତିଆରି ସୁନ୍ଦର ଆଉଟ୍‌ଫିଟ୍‌ ପିନ୍ଧିଥିଲେ। ଉଭୟଙ୍କ ୱେଡିଂ ଆଉଟ୍‌ଫିଟ୍‌ ବିଷୟରେ ଯଦି କଥା ହେବା, ତ ବିବାହ ପାଇଁ ଆଥିୟା ଡିଜାଇନର ଅନାମିକାଙ୍କ କଲେକ୍ସନରୁ ଏକ ହେଭି ଏମ୍ବେଲିସ୍‌ଡ ପିଚ୍‌ ରଙ୍ଗର ଲେହେଙ୍ଗା ବାଛିଥିଲେ। ବିବାହ ଫଟୋରେ ଆଥିୟା ପିଚ୍‌ ରଙ୍ଗର ଚିକ୍କନକରୀ ଲେହେଙ୍ଗାରେ ଖୁବ୍‌ ଆକର୍ଷଣୀୟ ଦେଖାଯାଉଥିଲେ।

ଇତି ମଧ୍ୟରେ ଅନାମିକା ଖାନ୍ନା ଏକ ମାଗାଜିନ୍‌ ସହିତ ଆଥିୟା ସେଟ୍ଟିଙ୍କ ବ୍ରାଇଡାଲ୍‌ ଲେହେଙ୍ଗା ବିଷୟରେ ଡିଟେଲ୍ସ ସେୟାର କରିଛନ୍ତି। ସେ ଖୁଲାସା କରିଛନ୍ତି କି, ସେ ଚିକ୍କନକରୀର ଏକ ଶାନ୍‌ଦାର ପିସ୍‌ ତିଆରି କରିଛନ୍ତି, ଯେଉଁଥିରେ ଜାଲି ଏବଂ ଜରିର କାମ ହୋଇଛି। ଏହି ୱେଡିଂ ଲେହେଙ୍ଗାକୁ ତିଆରି କରିବାରେ ପାଖାପାଖି ୧୦,୦୦୦ ଘଣ୍ଟା ସମୟ ଲାଗିଛି।

ସେପଟେ ଆଥିୟା ସେଟ୍ଟିଙ୍କ ବାପା ତଥା କେଏଲ୍‌ ରାହୁଲଙ୍କ ଶ୍ୱଶୁର ସୁନିଲ ସେଟ୍ଟି ସ୍ପଷ୍ଟ କରିଛନ୍ତି ଯେ ଦମ୍ପତିଙ୍କ ରିସେପ୍‌ସନ ଏବେ ଆଇପିଏଲ୍‌ ୨୦୨୩ ପରେ ହିଁ ହେବ। କହି ରଖୁଛୁ, ଆଥିୟା ଓ ରାହୁଲଙ୍କ ବିବାହରେ ବଲିଉଡ୍‌ ଏବଂ କ୍ରିକେଟ ଜଗତର ବଛା ବଛା ଷ୍ଟାର୍‌ଙ୍କୁ ଆମନ୍ତ୍ରଣ କରାଯାଇଥିଲା।

ମିଡିଆ ରିପୋର୍ଟ ମୁତାବକ, କେଏଲ୍‌ ରାହୁଲ ଦ୍ୱିପ୍ରହର ସାଢ଼େ ୨ଟାରେ ବରଯାତ୍ରୀ ଧରି ପହଞ୍ଚିଥିଲେ ଏବଂ ପାଖାପାଖି ସାଢ଼େ ୪ଟାରେ ରାହୁଲ ଓ ଆଥିୟା ସାତ ଫେରା ନେଇଥିଲେ। ବିବାହ ପରେ ସୁନିଲ୍‌ ସେଟ୍ଟି ଓ ତାଙ୍କ ପୁଅ ଅହାନ ବାହାରକୁ ଆସି ମିଡିଆକୁ ମିଠା ବାଣ୍ଟିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.