ବେଉସା ଛଡ଼ାଇ ନେଲା କରୋନା, ବାଧ୍ୟ ହୋଇ ପେଟ ପାଇଁ ପରିବା ବିକୁଛନ୍ତି ‘ବାଳିକା ବଧୂ’ ସିରିୟଲର ଡାଇରେକ୍ଟର

କରୋନା ସମସ୍ତଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। କରୋନା ଲକ୍‌ଡାଉନ୍‌ ଯୋଗୁ ଟିଭି ସିରିୟଲ ସୁଟିଂ ବନ୍ଦ ଥିବାରୁ ଟିଭି କଳାକାରଙ୍କ ସମେତ ନିର୍ଦ୍ଦେଶକ, ପ୍ରଯୋଜକ ସମସ୍ତେ ଏବେ ଆର୍ଥିକ ଦୂରାବସ୍ଥା ମଧ୍ୟରେ ଗତି କରୁଛନ୍ତି। ଏଭଳି ଆର୍ଥିକ ସଙ୍କଟ ଯୋଗୁ ଲୋକପ୍ରିୟ ଟିଭି ସିରିୟଲ ‘ବାଳିକା ବଧୂ’ର ଡାଇରେକ୍ଟର ରାମବୃକ୍ଷ ଗୌଡ଼ ଏବେ ଦୁଆର ଦୁଆର ବୁଲି ପରିବା ବିକ୍ରି କରୁଛନ୍ତି। ନିଜ ଇସାରାରେ ଲୋକଙ୍କୁ ହସାଉଥିବା କନ୍ଦାଉଥିବା ବ୍ୟକ୍ତି ଆଜି ନିଜ ସ୍ଥିତି ସହ ଲଢ଼ୁଛନ୍ତି। ସେ ବାଳିକା ବଧୂ, ଜ୍ୟୋତି, କୁଛ ତୋ ଲୋଗ କହେଙ୍ଗେ, ସୁଜାତା ଭଳି ସୁପରହିଟ୍‌ ସିରିୟଲରେ ନିର୍ଦ୍ଦେଶନା ଦେଇଛନ୍ତି।

vegitable2

ଏ ନେଇ ରାମବୃକ୍ଷ କହିଛନ୍ତି କରୋନା କାଳରେ ସବୁ କିଛି ବଦଳିଯାଇଛି। ଆଗରୁ କାମ କରିବାକୁ ସୁଯୋଗ ମିଳୁଥିଲା। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ସବୁ କିଛି ବନ୍ଦ ହୋଇଯାଇଛି। ଏଣୁ ଚଳିବାକୁ ଟଙ୍କା ନାହିଁ। ଯାହା ସଞ୍ଚୟ ଥିଲା ସେଥିରେ କିଛି ଦିନ ଚଳିଲୁ। କିନ୍ତୁ ଟଙ୍କା ସରିଗଲା ପରେ ଚଳିବୁ କେମିତି ସେ ଚିନ୍ତା ଘାରିଲା। ଏଣୁ ଏବେ ପରିବାର ପୋଷିବାକୁ ବାଧ୍ୟ ହୋଇ ପରିବା ବିକୁଛି। ମୁଣ୍ଡ ଉପରେ ପରିବାର ଦାୟିତ୍ୱ ରହିଛି ଏଣୁ ଇଚ୍ଛା ନଥିଲେ ବି ପରିବା ବିକ୍ରି କରିବାକୁ ପଡ଼ୁଛି।

3

ସ୍ଥିତି ସୁଧୁରିଲେ ପୁଣିଥରେ ମୁମ୍ବାଇ ଫେରିବେ ବୋଲି କହିଛନ୍ତି ରାମବୃକ୍ଷ। ତାଙ୍କ ପରିବାର ତାଙ୍କୁ ଏହି କାମରେ ବେଶ୍‌ ସାହାଯ୍ୟ କରୁଛନ୍ତି। ଏନେଇ ରାମବୃକ୍ଷଙ୍କ ପତ୍ନୀ ଅନିତା ଗୌଡ଼ କହିଛନ୍ତି ପରିସ୍ଥିତି ଆଜି ଖରାପ ଅଛି। କିନ୍ତୁ କାଲି ନିଶ୍ଚୟ ବଦଳିବ। କିଛି ଦିନ ପରେ ଆମେ ପୁଣିଥରେ ପୂର୍ବ ଭଳି ବଞ୍ଚିବୁ। ସୂଚନାଯୋଗ୍ୟ ଯେ ରାମବୃକ୍ଷ ଏବେ ନିଜ ଗାଁ ଉତ୍ତର ପ୍ରଦେଶର ଆଜମଗଡ଼ରେ ଅଛନ୍ତି। ଟଙ୍କା ପଇସା ସୁବିଧା ହେଲେ ସେ ପୁଣିଥରେ ପରିବାର ସହ ମୁମ୍ବାଇ ଯିବେ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.