‘ବଚ୍‌ପନ କା ପ୍ୟାର’ ଫେମ୍‌ ସହଦେବ ଦିରଦୋ ଦୁର୍ଘଟଣାରେ ଗୁରୁତର ଆହତ, ମୁଣ୍ଡରେ ପଡ଼ିଲା ୪ଟି ଷ୍ଟିଚ୍‌; ଅନ୍ୟ ସ୍ଥାନକୁ ରେଫର୍‌ କଲେ ଡାକ୍ତର

‘ବସପନ (ବଚ୍‌ପନ) କା ପ୍ୟାର’ ଗୀତ ଗାଇ ସୋସିଆଲ ମିଡିଆରେ ରାତାରାତି ଲୋକପ୍ରିୟ ହୋଇଥିବା ସହଦେବ ଦିରଦୋ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସହଦେବଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି, ଯଦିଓ ତାଙ୍କ ସ୍ୱାସ୍ଥ୍ୟରେ ଧୀରେ ଧୀରେ ସୁଧାର ଆସୁଛି। ଏହାରି ଭିତରେ ବଲିଉଡର ପ୍ରସିଦ୍ଧ ରାପର ବାଦଶାହ ଟ୍ଵିଟ୍‌ କରି ସହଦେବଙ୍କ ପାଇଁ ପ୍ରାର୍ଥନା କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।

ଚିକିତ୍ସା ପାଇଁ ଜଗଦଲପୁର ସ୍ଥାନାନ୍ତର

ଛତିଶଗଡର ସୁକମାରେ ରହୁଥିବା ସହଦେବ ଦିରଦୋ ସୁକମା ନିକଟରେ ହିଁ ଦୁର୍ଘଟଣାର ଶିକାର ହୋଇଥିଲେ, ଯାହା ପରେ ତାଙ୍କୁ ଆହତ ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୁକମାରେ ପ୍ରାଥମିକ ଚିକିତ୍ସା ପରେ ବର୍ତ୍ତମାନ ତାଙ୍କୁ ଜଗଦଲପୁରକୁ ସ୍ଥାନାନ୍ତର କରାଯାଇଛି, ଯେଉଁଠାରେ ସହଦେବ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି ଏବଂ ତାଙ୍କ ଅବସ୍ଥାରେ ସୁଧାର ଆସୁଛି।

ଦୁର୍ଘଟଣା ପରେ ଅନେକ ଘଣ୍ଟା ଧରି ଚେତାଶୂନ୍ୟ ରହିଲେ

ରାପର ବାଦଶାହ ଟ୍ଵିଟ୍‌ କରି ଲେଖିଛନ୍ତି ଯେ ‘ଦୁର୍ଘଟଣା ପରେ ସହଦେବ ଅନେକ ଘଣ୍ଟା ଧରି ଚେତାଶୂନ୍ୟ ରହିଥିଲେ। ମୁଁ ସହଦେବଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହ ଯୋଗାଯୋଗରେ ଅଛି’। ତେବେ ଦୁର୍ଘଟଣାର ତୁରନ୍ତ ପରେ ବାଦଶାହ ଟ୍ଵିଟ୍‌ରେ ଲେଖିଥିଲେ କି, ‘ସହଦେବଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଡାକ୍ତରଖାନା ନିଆଯାଉଛି। ମୁଁ ତାଙ୍କ ପାଇଁ ଛିଡା ହୋଇଛି। ଆପଣମାନଙ୍କର ପ୍ରାର୍ଥନା ଆବଶ୍ୟକ’। ବାଦଶାହ ଇନଷ୍ଟାଗ୍ରାମ ଷ୍ଟୋରୀରେ କହିଥିଲେ ଯେ ‘ସହଦେବ ଦିରଦୋଙ୍କର ଦୁର୍ଘଟଣା ହୋଇଯାଇଛି ଏବଂ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ବର୍ତ୍ତମାନ ସେ ଚେତାଶୂନ୍ୟ ହୋଇ ପଡିଛନ୍ତି ଏବଂ ତାଙ୍କୁ ୧୦୦ କିଲୋମିଟର ଦୂର ହସ୍ପିଟାଲ ନିଆଯାଉଛି’।

ସହଦେବଙ୍କ ମୁଣ୍ଡରେ ପଡ଼ିଛି ଚାରୋଟି ଷ୍ଟିଚ୍‌

ଏହି ଦୁର୍ଘଟଣା ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟାରେ ଘଟିଥିଲା। ସହଦେବ ସାଙ୍ଗମାନଙ୍କ ସହିତ ଏକ ବାଇକ୍‌ରେ ବସି ଶବରୀ ନଗର ଆଡକୁ ଯାଉଥିଲେ। ହଠାତ୍‌ ଏହି ସମୟରେ ରାସ୍ତାରେ ପଡ଼ିଥିବା ଗୋଡ଼ି ଏବଂ ବାଲି ଯୋଗୁ ତାଙ୍କ ବାଇକ୍ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଉପସ୍ଥିତ ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଜିଲ୍ଲା ଡାକ୍ତରଖାନା ନେଇ ଯାଇଥିଲେ, ସେଠାରେ ଡାକ୍ତର ତାଙ୍କ ମୁଣ୍ଡରେ ୪ଟି ଷ୍ଟିଚ୍‌ ପକାଇଥିଲେ ଏବଂ ଏକ୍ସ-ରେ ମଧ୍ୟ କରିଥିଲେ। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଜଗଦଲପୁରକୁ ପଠାଯାଇଥିଲା।

ସହଦେବ ଦିରଦୋ କିଏ

କହି ରଖୁଛୁ କି, ସହଦେବ ଦିରଦୋ ‘ବସପନ (ବଚ୍‌ପନ) କା ପ୍ୟାର’ ଗୀତ ଗାଇଥିଲେ। ନକ୍ସଲ ପ୍ରଭାବିତ ଅଞ୍ଚଳ ପେନ୍ଦଲନାର ବିଦ୍ୟାଳୟରେ ଜାନୁଆରୀ ୨୬ ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ସହଦେବ ଏହି ଗୀତଟିକୁ ଗାଇଥିଲେ। ସେ ସେତେବେଳେ ୫ମ ଶ୍ରେଣୀରେ ପାଠ ପଢ଼ୁଥିଲେ। ଏହି ଗୀତ ଏତେ ମାତ୍ରାରେ ଭାଇରାଲ ହୋଇଥିଲା ଯେ ବର୍ତ୍ତମାନ ଏହା ପୂରା ଦେଶରେ ଛାଇ ଯାଇଛି। ଏହି ଗୀତରୁ ସହଦେବଙ୍କୁ ସାରା ଦେଶରେ ପରିଚୟ ମିଳିଥିଲା ଏବଂ ତା’ପରେ ପ୍ରସିଦ୍ଧ ରାପର ବାଦଶାହ ମଧ୍ୟ ତାଙ୍କୁ ନିଜ ଆଲବମରେ ସାମିଲ କରିଥିଲେ।