ଭୋଜପୁରୀ-ହିନ୍ଦୀ ଅଭିନେତା ରାକେଶ ପାଣ୍ଡେଙ୍କ ପରଲୋକ, ଶୋକ ପ୍ରକାଶ କଲେ ଫ୍ୟାନ୍ସ

ଭୋଜପୁରୀ ଏବଂ ହିନ୍ଦୀ ଫିଲ୍ମର ନାମିଦାମୀ ଅଭିନେତା  ରାକେଶ ପାଣ୍ଡେଙ୍କ ପରଲୋକ ଘଟିଛି । ଆଜି ସକାଳେ ରାକେଶ ପାଣ୍ଡେଙ୍କ ଦେହାନ୍ତ ପୁରା କଳାଜଗତକୁ ଦୋହଲାଇ ଦେଇଛି । ମୁମ୍ବାଇର ଜୁହୁ ସ୍ଥିତ ଆରୋଗ୍ୟ ନିଧି ହସ୍ପିଟାଲରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ରାକେଶ ପାଣ୍ଡେ ୭୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି  । ତାଙ୍କ ଝିଅ ଜସମିତ୍ ପାଣ୍ଡେଙ୍କ କହିବାନୂଯାୟୀ,  ନିଦରେ ଥିବା ସମୟରେ ରାକେଶଙ୍କର ହୃଦଘାତ ଘଟି ତାଙ୍କର ଦେହାନ୍ତ ହୋଇଛି । ରାକେଶ ପାଣ୍ଡେଙ୍କର  ମୃତ୍ୟୁ  ପାଇଁ ପୁରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ଜସମିତ୍ ପାଣ୍ଡେ ତାଙ୍କ ବାପାଙ୍କ ମୃତ୍ୟୁକୁ ନେଇ ଆହୁରି କହିଛନ୍ତି ଯେ, ଗୁରୁବାର ମଧ୍ୟରାତ୍ର ୩ ଟାରେ ତାଙ୍କ ବାପାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଫଳରେ ତାଙ୍କୁ ନିକଟସ୍ଥ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିଲା । ସେ ଶୋଇଥିବା ସମୟରେ ଶକ୍ରବାର ସକାଳ ୮.୫୧ ମିନିଟ ସମୟରେ ତାଙ୍କର ପ୍ରାଣବାୟୁ ଚାଲିଯାଇଥିଲା । ବନ୍ଧୁ ପରିବାରବର୍ଗଙ୍କ ଉପସ୍ଥିତିରେ ତାଙ୍କର ଶାସ୍ତ୍ରୀନଗର ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଛି ।

ରାକେଶ ପାଣ୍ଡେ ତାଙ୍କ ଅଭିନୟ ପାଇଁ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ପାଇଛନ୍ତି । ନିଜ ଅଭିନୟ ଯାଦୁରେ ଭୋଜପୁରୀ ଏବଂ ହିନ୍ଦୀ ଜଗତରେ ସ୍ବତନ୍ତ୍ର ପରିଚୟ ତିଆରି କରିବାରେ ସଫଳ ହୋଇପାରିଥିଲେ ସେ  । ବିଶେଷ କରି ସେ ହିନ୍ଦୀ ଜଗତରେ ବେଶ ଲୋକପ୍ରିୟ ହୋଇପାରିଥିଲେ ।

‘ସାରା ଆକାଶ’  ବଲିଉଡ ଫିଲ୍ମ ପରେ ତାଙ୍କୁ ହିନ୍ଦୀ ଓ ଭୋଜପୁରୀ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ସାରା ଆକାଶ ଫିଲ୍ମ ପରେ ”ରକ୍ଷକ, ଏକ ଗାଓଁ କି କାହାନୀ, ୱୋ ମେ ନେହିଁ ଥା, ଦୋରହା” ଭଳି ଅନେକ ଚର୍ଚ୍ଚିତ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇଥିଲେ ସେ  । ” ଅମର ପ୍ରେମ, ରଖୱାଲା, ଅପନେ ଦୁସମନ୍ ” ଭଳି  ଅନେକ ବଲିଉଡ ଫିଲ୍ମରେ ମଧ୍ୟ ସେ କାମ କରିବାର ନଜର ଆସିଛନ୍ତି ।  ଏହା ବ୍ୟତୀତ ସେ ଅନେକ ଟିଭି ଶୋରେ ମଧ୍ୟ କାମ କରିଥିଲେ । ରାକେଶ ପାଣ୍ଡେ ଜଣେ ଚରିତ୍ର ଅଭିନେତା ଭାବେ ଖୁବ ପରିଚିତ ।

Also Read : ମ୍ୟାଚ ପୂର୍ବରୁ ନିଜ ଟିମ ସପୋର୍ଟ ପାଇଁ ପହଞ୍ଚିଲେ କିଙ୍ଗ ଖାନ୍, ଏୟାରପୋର୍ଟରେ କରାଗଲା ଭବ୍ୟ ସ୍ବାଗତ