୧୫ ବର୍ଷ ପରେ ଫେରିଲା ମଞ୍ଜୁଲିକା…ଖୋଲିବ ଭୂତିଆ ବଙ୍ଗଳାର ଭୟଙ୍କର ରହସ୍ୟ! ଦେଖି ନିଅନ୍ତୁ ‘ଭୁଲ୍‌ ଭୁଲୈୟା ୨’ର ଟ୍ରେଲର

ବଲିଉଡ୍‌ର ଚକୋଲେଟ୍‌ ବୟ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୁଲ୍‌ ଭୁଲୈୟା ୨’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଫିଲ୍ମରେ କାର୍ତ୍ତିକ ପ୍ରଥମ ଥର ପାଇଁ କିଆରା ଆଡ୍‌ଭାଣୀଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ। ଚଳିତବର୍ଷର ସବୁଠାରୁ ବଡ଼ ହରର୍‌-କମେଡି ଫିଲ୍ମର ଟ୍ରେଲରକୁ ଫ୍ୟାନମାନେ ଦୀର୍ଘଦିନରୁ ଅପେକ୍ଷା କରିଥିଲେ। ଏବେ ସେହି ପ୍ରତୀକ୍ଷାର ଅନ୍ତ ଘଟିଛି। କାର୍ତ୍ତିକ ଆର୍ଯ୍ୟନ୍‌, କିଆରା ଆଡ୍‌ଭାଣୀ ଓ ତବୁଙ୍କ ଅଭିନୀତ ଏହି ଫିଲ୍ମରେ ଦର୍ଶକଙ୍କୁ ସସ୍‌ପେନ୍ସ, ହରର୍‌, ରୋମାନ୍ସ ଓ କମେଡିର ଛୁଙ୍କ ଦେଖିବାକୁ ମିଳିବ।

‘ଭୁଲ୍‌ ଭୁଲୈୟା ୨’କୁ ୨୦ ମେ’ରେ ସିନେମାଘରେ ରିଲିଜ୍‌ କରାଯିବ। ଏଥିରେ କାର୍ତ୍ତିକ ଆର୍ଯ୍ୟନ୍‌, କିଆରା ଆଡ୍‌ଭାଣୀ ଓ ତବୁଙ୍କ ବ୍ୟତୀତ ରାଜପାଲ ଯାଦବ, ସଞ୍ଜୟ ମିଶ୍ରାଙ୍କ ଭଳି କଳାକାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ‘ଭୁଲ୍‌ ଭୁଲୈୟା ୨’ ହେଉଛି ୨୦୦୭ରେ ରିଲିଜ୍‌ ହୋଇଥିବା ‘ଭୁଲ୍‌ ଭୁଲୈୟା’ର ସ୍ୱୀକେଲ୍‌। ପ୍ରଥମ ଭାଗରେ ସାଇନି ଆହୁଜା, ବିଦ୍ୟା ବାଲନ, ଅମୀଷା ପଟେଲ ଓ ଅକ୍ଷୟ କୁମାର ଲିଡ୍‌ ରୋଲରେ ନଜର ଆସିଥିଲେ। ମୁଭିକୁ ବେଶ୍‌ ପସନ୍ଦ ମଧ୍ୟ କରାଯାଇଥିଲା। ଏହାର ଗୀତଠୁ ନେଇ କାହାଣୀ ଓ କଳାକାରଙ୍କ ଆକ୍ଟିଂ ପର୍ଯ୍ୟନ୍ତ, ସବୁକିଛିକୁ ଦର୍ଶକେ ଖୁବ୍‌ ପ୍ରଶଂସା କରିଥିଲେ। ଫିଲ୍ମଟି ବ୍ଲକବ୍ଲଷ୍ଟର ହିଟ୍‌ ମଧ୍ୟ ରହିଥିଲା। ବର୍ତ୍ତମାନ ‘ଭୁଲ୍‌ ଭୁଲୈୟା ୨’ ବକ୍ସ ଅଫିସ୍‌ରେ କିଭଳି କମାଲ କରିବ, ତାହା ୨୦ ମେ’ରେ ହିଁ ଜଣାପଡ଼ିବ।

କେମିତି ରହିଛି ଫିଲ୍ମର ଟ୍ରେଲର

୧୫ ବର୍ଷ ପରେ ପୁଣିଥରେ ପୁରୁଣା ଭୂତିଆ ବଙ୍ଗଳାର କବାଟ ଖୋଲିଛି। ଆଉ ସବୁଠୁ ଭୟଙ୍କର ଆତ୍ମା ମଞ୍ଜୁଲିକା ପୁଣିଥରେ ତାଣ୍ଡବ ଆରମ୍ଭ କରି ଦେଇଛି। ଫିଲ୍ମରେ କାର୍ତ୍ତିକ, ରୁହାନର ଚରିତ୍ର ନିଭାଇଛନ୍ତି। ସେ ମଜା ମଜାରେ ବଙ୍ଗଳାର କବାଟ ଖୋଲି ମଞ୍ଜୁଲିକାକୁ ବାହାରକୁ ଡାକୁଛନ୍ତି। ଏହାପରେ ଆରମ୍ଭ ହୋଇଯାଉଛି ଅସଲି କାହାଣୀ। ତେବେ ମଞ୍ଜୁଲିକା ଚରିତ୍ରରେ ଅଭିନୟ କରି କିଆରା ଆଡ୍‌ଭାଣୀ ସମସ୍ତଙ୍କ ହୋଶ୍‌ ଉଡ଼ାଇ ଦେଇଛନ୍ତି।

ସୂଚନାଥାଉ କି, କାର୍ତ୍ତିକଙ୍କ ଅଭିନୀତ ଏହି ଫିଲ୍ମ ପ୍ରଥମେ ୨୦୨୦ରେ ରିଲିଜ୍‌ ହେବାର ଥିଲା। କିନ୍ତୁ କରୋନା ଯୋଗୁ ମୁଭିର ରିଲିଜ୍‌କୁ ଟାଳି ଦିଆଯାଇଥିଲା। ‘ଭୁଲ୍‌ ଭୁଲୈୟା ୨’କୁ ଅନିସ୍‌ ବଜ୍‌ମୀ ନିର୍ଦ୍ଦେଶନା ଦେଇଥିବା ବେଳେ ଭୂଷଣ କୁମାର ପ୍ରଯୋଜନା କରିଛନ୍ତି। ଫିଲ୍ମରେ ପ୍ରଥମ ଥର ପାଇଁ ଦର୍ଶକ କିଆରା ଓ କାର୍ତ୍ତିକଙ୍କ ଯୋଡ଼ି ଦେଖିବାକୁ ପାଇ ପାରିବେ। ଏଥିରେ ଦୁଇଜଣଙ୍କ କିସିଙ୍ଗ୍‌ ସିନ୍‌ ମଧ୍ୟ ରହିଛି। କାର୍ତ୍ତିକଙ୍କ ଫ୍ୟାନମାନଙ୍କ ପାଇଁ ଏହି ମୁଭି ବହୁତ ଖାସ୍‌ ହେବାକୁ ଯାଉଛି। କାହିଁକି ନା, ଏଥିରେ ସେ ଏକ ଭିନ୍ନ ଅବତରରେ ନଜର ଆସିବେ। କାର୍ତ୍ତିକଙ୍କୁ ଲଭର ବୟ ଇମେଜ୍‌ରୁ ଅଲଗା ରୋଲ୍‌ରେ ଦେଖିବା ବହୁତ ଉତ୍ସାହଜନକ ରହିବ।

କହି ରଖୁଛୁ, ଏପ୍ରିଲ ୧୫ରେ ଫିଲ୍ମର ଟିଜର ସାମ୍ନାକୁ ଆସିଥିଲା। ଟିଜର ପପୁଲାର ସଙ୍ଗ୍ ‘ଆମି ଛେ ତୁମ୍‌ହାର’ରୁ ଆରମ୍ଭ ହୋଇଥିଲା। ଏହା ପରେ ପରେ ଏକ ଭୂତିଆ ବଙ୍ଗଳାର ଝଲକ ଦେଖିବାକୁ ମିଳିଥିଲା। ପୁଣି କବାଟରେ ଲାଗିଥିବା ବଡ଼ ତାଲା ଆପେ ଖୋଲି ଯାଇଥିଲା, ଯାହାପରେ ଚିତ୍କାର କରୁଥିବା ଆତ୍ମାର ଝଲକ ଦେଖାଯାଇଥିଲା। ଟିଜର ଦେଖିବା ପରେ ହିଁ ଫିଲ୍ମ ପାଇଁ ଉତ୍ସାହ ଅଧିକ ବଢ଼ି ଯାଇଥିଲା। ୫୩ ସେକେଣ୍ଡର ଟିଜରରେ କାର୍ତ୍ତିକ ଆର୍ଯ୍ୟନ ବ୍ଲାକ୍ କୁର୍ତ୍ତା ସହ ମୁଣ୍ଡରେ ଗାମୁଛା ବାନ୍ଧି ଏଣ୍ଟ୍ରି ମାରିଥିଲେ।

Video Courtesy: T-Series

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.