‘ବିଗ୍ ବସ୍ ଓଟିଟି ୩’ ର ବିଜେତା ହେଲେ ସନା ମକବୁଲ୍, ଟ୍ରଫି ସହିତ ଜିତିଲେ ୨୫ ଲକ୍ଷ ଟଙ୍କା

‘ବିଗ୍ ବସ୍ ଓଟିଟି ୩’ ର ବିଜେତା ଘୋଷିତ ହୋଇଛି । ଦେଢ ମାସ ଧରି ଚାଲିଥିବା ଏହି ସୋ ଶେଷରେ ଏହାର ବିଜେତା ପାଇଛି । ସନା ମକବୁଲ୍ ଏହି ସିଜିନର ଟ୍ରଫି ଜିତିଛନ୍ତି । ସନା ମକବୁଲଙ୍କ ସହ କ୍ରିତିକା ମଲିକ, ରଣଭୀର ଶୋରେ, ରାପର ନାଜି ଏବଂ ସାଇ କେଟାନ ୫ଜଣ ଫାଇନାଲିଷ୍ଟ ହୋଇଥିଲେ । କିନ୍ତୁ ସନା ମକବୁଲ ସମସ୍ତଙ୍କୁ ପଛରେ ପକାଇ ଟ୍ରଫି ହାତେଇଛନ୍ତି । ଏପରି ଭାବେ ରାପର ନାଜି ପ୍ରଥମ ଏବଂ ରଣଭୀର ଶୋରେ ଦ୍ୱିତୀୟ ରନର୍‌ ଅପ୍‌ ହୋଇଛନ୍ତି । ଏହା ସହ ସନାଙ୍କୁ ଟ୍ରଫି ସହିତ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଛି ।

ତେବେ ସନା ମକବୁଲ ସୋ ଜିତିବା ପରେ ଇମୋସନ୍‌ାଲ ହୋଇ ମା’ଙ୍କୁ ଆଲିଙ୍ଗନ କରିଥିଲେ । ସନା ମାକବୁଲ୍ ପ୍ରଥମେ ‘ଖତରୋଁ କେ ଖିଲାଡ଼ି’ ରେ ଭାଗ ନେବା ପରେ ଟିଭି ପରଦାରେ ଲାଇମଲାଇଟ୍‌କୁ ଆସିଥିଲେ । ଏହା ପରେ ଟିଭି ପରଦାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । କିନ୍ତୁ ଏହି ସୋ ଶେଷ ହେବା ପରେ ସେ ଦୁଇ ବର୍ଷ ପର୍ଯ୍ୟନ୍ତ ଉଭୟ ଅଭିନୟ ଏବଂ ରିଆଲିଟି ସୋ ଠାରୁ ଦୂରରେ ରହିଥିଲେ । ସେ କାମ ପାଇନଥିଲେ ତାହା ନୁହେଁ, କିନ୍ତୁ ତାଙ୍କ ଜୀବନରେ ବଡ ପରିବର୍ତ୍ତନ ହେତୁ ତାଙ୍କୁ କାମରୁ ଦୂରରେ ରହିବାକୁ ପଡିଥିଲା । ଲଗାତାର ଦୁଇ ବର୍ଷ ପରଦାକୁ ନଆସିବା ପରେ ସନା ମକବୁଲ ଏହା କରିବା ପାଇଁ ଏକ ଆଶ୍ଚର୍ଯ୍ୟଜନକ କାରଣ ଦେଇଥିଲେ । ତେବେ ସନା ଏକ ଗୁରୁତର ରୋଗରେ ପୀଡିତ ଥିଲେ । ସାଉଥ୍‌ ସିନେମାର ଜଣାଶୁଣା ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁଙ୍କ ପରି ସନା ମକବୁଲ୍ ମଧ୍ୟ ଏକ ଅଟୋମ୍ୟୁମ୍ୟୁନ୍ ରୋଗରେ ପୀଡିତ ହୋଇଥିଲେ ।

ବିଶ୍ୱ ହେପାଟାଇଟିସ୍ ଦିବସ ଅବସରରେ ସେ ପ୍ରଶଂସକମାନଙ୍କୁ ଅବଗତ କରାଇଥିଲେ ଏବଂ କାହିଁକି ସେ ଦୀର୍ଘ ସମୟ ଧରି ଅଭିନୟରୁ ଦୂରେଇ ରହିଛନ୍ତି ବୋଲି କହିଥିଲେ । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ଖତରୋଁ କେ ଖିଲାଡ଼ି’ ସୋ ପରେ ମୋର କ୍ୟାରିଅର୍ ଆରମ୍ଭ ହେବାରେ ଥିଲା, କିନ୍ତୁ ମୋର ସ୍ୱାସ୍ଥ୍ୟ ଖରାପ ହେବା ଯୋଗୁ ମୁଁ ମୋ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇଥିଲି । ମୁଁ ଭିତରୁ ଭାଙ୍ଗି ଯାଉଥିଲି । ଆଜି ବି ସନା ଏହି ରୋଗର ଯନ୍ତ୍ରଣା ଭୋଗୁଛନ୍ତି । ସେ ‘ବିଗ୍ ବସ୍ ଓଟିଟି ୩’ ଘରେ ମଧ୍ୟ ଏହା କହିଛନ୍ତି । ସନା ମକବୁଲ୍ ଅଗଷ୍ଟ ୨୦୨୦ରେ ପ୍ରଥମ ଥର ପାଇଁ ଏହି ରୋଗ ବିଷୟରେ ଜାଣିବାକୁ ପାଇଲେ । କିନ୍ତୁ ସନା ଏତେ ସବୁ ଖରାପ ସମୟର ସମ୍ମୁଖୀନ ହେବା ପରେ ମଧ୍ୟ ଆଜି ଏହି ସୋ ’ର ବିଜେତା ହୋଇଛନ୍ତି । ଏହା ସହ ଲୋକମାନେ ମଧ୍ୟ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.