ଦୀପିକା ପାଦୁକୋନ୍ ଯିବେ ଫିଫା ବିଶ୍ୱକପ୍ ଫାଇନାଲ୍କୁ, କରିବେ ଟ୍ରଫି ଉନ୍ମୋଚନ

ମୁମ୍ବାଇ : ଏବେ ସବୁଠି ଫିଫା ବିଶ୍ୱ କପ୍ର ଉତ୍ସାହ । ଯଦିଓ ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ଖେଳୁ ନାହିଁ ତଥାପି ଦେଶର ଫୁଟ୍ବଲ୍ ପ୍ରେମୀ ଖେଳକୁ ଉପଭୋଗ କରୁଛନ୍ତି । ତେବେ ଏସବୁ ଭିତରେ ଭାରତ ପାଇଁ ଏକ ଖୁସି ଖବର ଆସିଛି । ଚଳିତ ବିଶ୍ୱ କପ୍ରେ ଯୋଡ଼ି ହେବେ ବଲିଉଡ୍ କୁଇନ୍ ଦୀପିକା ପାଦୁକୋନ । ଦୀପିକା ଭାରତର ପ୍ରଥମ ଅଭିନେତ୍ରୀ ଭାବେ ବିଶ୍ୱ କପ୍ ଫାଇନାଲ୍ରେ ଟ୍ରଫି ଉନ୍ମୋଚନ କରିବେ ।
ଆଗକୁ ଦୀପିକା ରୋହିତ ସେଟ୍ଟୀଙ୍କ ‘ଲେଡି ସିଂଘମ’ ଫିଲ୍ମରେ ଅଭିନୟ କରିବେ । ଏହି ଚର୍ଚ୍ଚା ଭିତରେ ଫିଫା ବିଶ୍ୱକପ୍ରେ ତାଙ୍କର ପଦାର୍ପଣକୁ ନେଇ ସିନେପ୍ରେମୀ ଓ କ୍ରୀଡ଼ା ପ୍ରେମୀ ଖୁବ୍ ଆଲୋଚନା କରୁଛନ୍ତି । ଅବଶ୍ୟ ଦୀପିକାଙ୍କର କ୍ରୀଡ଼ା ସହ ସମ୍ପର୍କ ଅତି ପୁରୁଣା । ତାଙ୍କ ବାପା ହେଉଛନ୍ତି ପୂର୍ବତନ ଚାମ୍ପିଅନ୍ ବ୍ୟାଡମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନ । ସେହିପରି ଦୀପିକା ମଧ୍ୟ ଚଳଚ୍ଚିତ୍ରରେ କ୍ୟାରିୟର କରିବା ପୂର୍ବରୁ ବ୍ୟାଡମିଣ୍ଟନ ଖେଳୁଥିଲେ । ସେ ଜାତୀୟସ୍ତରରେ ମଧ୍ୟ ଖେଳିଛନ୍ତି ।
କାତାରରେ ଚାଲିଥିବା ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ ଡିସେମ୍ବର ୧୮ ତାରିଖରେ ଖେଳାଯିବ । ସେହିଦିନ ଦୀପିକା ଟ୍ରଫିର ଉନ୍ମୋଚନ କରିବେ । ଏହା ଭାରତ ପାଇଁ ଏକ ବଡ଼ ସମ୍ମାନ । ପୂର୍ବରୁ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ଅନ୍ୟତମ ବଲିଉଡ ଅଭିନେତ୍ରୀ ନୋରା ଫତେହି ଡ୍ୟାନ୍ସ କରିଥିଲେ ।