ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ବାପାଙ୍କ ସହ ଏକ ବଡ ଠକେଇ ହୋଇଛି । ୫ ଜଣିଆ ଏକ ଟିମ୍ ଅଭିନେତ୍ରୀଙ୍କ ବାପା ଜଗଦୀଶ ସିଂ ପାଟନୀଙ୍କୁ ଏକ ସରକାରୀ ଆୟୋଗରେ ଉଚ୍ଚ ପଦବୀ ଦେବାର ପ୍ରତିଶୃତି ଦେଇଥିଲେ । ଏନେଇ ଠକ ଦଳ ଅଭିନେତ୍ରୀଙ୍କ ବାପାଙ୍କ ଠାରୁ ୨୫ ଲକ୍ଷ ଟଙ୍କା ନେଇଥିଲେ । ଅବସରପ୍ରାପ୍ତ ଡେପୁଟି ଏସପି ଜଗଦୀଶ ସିଂ ପାଟନୀ ଏନେଇ ନଭେମ୍ବର ୧୫ରେ ବରେଲି କୋତୱାଲୀ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।
ଜଗଦୀଶ ପାଟନୀ ଅଭିଯୋଗରେ କହିଛନ୍ତି ଯେ ଶିବେନ୍ଦ୍ର ପ୍ରତାପ ସିଂ ନାମକ ଜଣେ ବ୍ୟକ୍ତି ତାଙ୍କୁ ଦିବାକର ଗର୍ଗ ଏବଂ ଆଚାର୍ଯ୍ୟ ଜୟପ୍ରକାଶ ନାମକ ଲୋକଙ୍କ ସହ ପରିଚିତ କରାଇଥିଲେ । ଏହି ଅଭିଯୁକ୍ତମାନେ ଦାବି କରିଥିଲେ ଯେ ସେମାନଙ୍କର ବଡ଼ ହାତ ଅଛି । ସେମାନେ ଜଗଦୀଶ ପାଟନୀଙ୍କୁ ଚେୟାରମ୍ୟାନ୍, ଭାଇସ ଚେୟାରମ୍ୟାନ୍ କିମ୍ବା ସରକାରୀ ଆୟୋଗରେ ଅନ୍ୟ କୌଣସି ବଡ଼ ପଦବୀରେ ରଖି ପାରିବେ । ଏଭଳି ପ୍ରତିଶ୍ରୁତି ଦେଇ ଅଭିଯୁକ୍ତମାନେ ଜଗଦୀଶଙ୍କ ଠାରୁ ୨୫ ଲକ୍ଷ ଟଙ୍କା ନେଇଥିଲେ ।
ଜଗଦୀଶ ପାଟନୀ ଅଭିଯୁକ୍ତଙ୍କୁ ୫ ଲକ୍ଷ ଟଙ୍କା ନଗଦ ଏବଂ ୨୦ ଲକ୍ଷ ଟଙ୍କା ତିନୋଟି ଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଥିଲେ । ତେବେ ତିନିମାସ ମଧ୍ୟରେ କାମ ନ ହେଲେ ଅଭିଯୁକ୍ତମାନେ ଟଙ୍କା ଫେରସ୍ତ କରିବେ ବୋଲି କହିଥିଲେ । ସମୟ ସରିଯିବା ପରେ ଜଗଦୀଶ ପାଟନି ଅଭିଯୁକ୍ତଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ, କିନ୍ତୁ ସେମାନେ ଟଙ୍କା ଫେରାଇବେ କଣ ଓଲଟା ତାଙ୍କୁ ଧମକ ଦେବା ଆରମ୍ଭ କରିଥିଲେ ।
ରିପୋର୍ଟ ଅନୁଯାୟୀ କୋତୱାଲୀ ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଡି.କେ ଶର୍ମା କହିଛନ୍ତି, ‘ଶିବେନ୍ଦ୍ର ପ୍ରତାପ ସିଂ, ଦିବାକର ଗର୍ଗ, ଜୟପ୍ରକାଶ, ପ୍ରୀତି ଗର୍ଗ ଏବଂ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଠକେଇ ଏବଂ ଧମକ ଦେବାକୁ ନେଇ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ଗିରଫ କରିବା ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଦ୍ୟମ ଜାରି ରହିଛି ।