ଜାକିର ହୁସେନଙ୍କ ଦେହାନ୍ତରେ ସ୍ତବ୍ଧ ବଲିଉଡ୍, ଅମିତାଭଙ୍କଠାରୁ କରୀନାଙ୍କ ଯାଏ ଜଣାଇଲେ ଶ୍ରଦ୍ଧାଞ୍ଜଳି

ଆମେରିକାର ସାନ ଫ୍ରାନ୍ସିସ୍କୋରେ ପ୍ରସିଦ୍ଧ ତବଲା ବାଦକ ଉସ୍ତାଦ୍ ଜାକିର ହୁସେନଙ୍କ ଦେହାନ୍ତ ହୋଇଛି । ହାର୍ଟ ଜନିତ ସମସ୍ୟା ହେତୁ ୭୩ ବର୍ଷୀୟ ଏହି ତବଲା ବାଦକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜାକିର ପାଖାପାଖି ୨ ସପ୍ତାହ ଧରି ହସ୍ପିଟାଲରେ ଥିଲେ । କିନ୍ତୁ ରବିବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା ।

ଜାକିର ହୁସେନ୍‌ଙ୍କ ଦେହାନ୍ତ ଖବର ସାରା ଦେଶକୁ ସ୍ତବ୍ଧ କରିଦେଇଛି । ତାଙ୍କ ଦେହାନ୍ତରେ ବଲିଉଡ୍ ତାରକାମାନେ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି କରୀନା କପୁରଙ୍କ ଯାଏ ବି-ଟାଉନର ଅନେକ ତାରକା ଜାକିରଙ୍କ ନିଧନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଅମିତାଭ ବଚ୍ଚନ ‘X’ରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘ବହୁତ ଦୁଃଖଦ ଦିନ…’ । ଏହିପରି କରୀନା କପୁର ଖାନ ଇନଷ୍ଟାଗ୍ରାମରେ ଜାକିର ହୁସେନ୍‌ଙ୍କ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ସେ, ତାଙ୍କ ବାପା ତଥା ଭେଟେରାନ ଅଭିନେତା ରଣଧୀର କପୁରଙ୍କ ସହ ଜାକିର ହୁସେନ୍‌ ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି, ‘ସର୍ବଦା ଜଣେ ଉସ୍ତାଦ’ । ମଲାଇକା ଆରୋରା ମଧ୍ୟ ଉସ୍ତାଦଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ରେଷ୍ଟ୍ ଇନ୍ ପିସ୍ ଲିଜେଣ୍ଡ୍’ ।

ବଲିଉଡ୍ ଷ୍ଟାର ଅକ୍ଷୟ କୁମାର ଜାକିର ହୁସେନଙ୍କ ଦେହାନ୍ତରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଲେଖିଛନ୍ତି, ‘ଉସ୍ତାଦ୍ ଜାକିର ହୁସେନ ସାବଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ସେ ଆମ ଦେଶର ସଙ୍ଗୀତ ଐତିହ୍ୟ ପାଇଁ ଏକ ଭଣ୍ଡାର ଥିଲେ । ଓମ୍ ଶାନ୍ତି’ ।

ରଣବୀର ସିଂ ମଧ୍ୟ ଏକ ପୁରୁଣା ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ସେୟାର କରିଛନ୍ତି । ଏଥିରେ ଜାକିର ହୁସେନ ତବଲା ବଜାଉଥିବାର ନଜର ଆସୁଛନ୍ତି । ରଣବୀର ହାତ ଯୋଡ଼ିଥିବାର ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି । ଏହିପରି ଅନୁପମ ଖେର୍, ଭୂମି ପେଡନେକର, ଦିୟା ମିର୍ଜା, ଶ୍ବେତା ତିୱାରୀଙ୍କ ଭଳି କଳାକାରମାନେ ମଧ୍ୟ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜାକିର ହୁସେନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।