ରେଖାଙ୍କ ପରିଚୟ ପାଇଁ ତାଙ୍କ ନାଁ ହିଁ ଯଥେଷ୍ଟ । ବଲିଉଡର ସୁନ୍ଦରୀ ଅଭିନେତ୍ରୀ ରେଖାଙ୍କ ସୌନ୍ଦର୍ଯ୍ୟରେ ସମସ୍ତେ ଦିୱାନା । ଦିନକୁ ଦିନ ତାଙ୍କ ସୁନ୍ଦରତା ବଢ଼ିବାରେ ଲାଗିଛି । ଆଜି ବଲିଉଡର ଏହି ଷ୍ଟାଇଲିସ୍ ଅଭିନେତ୍ରୀଙ୍କ ଜନ୍ମଦିନ । ଆଜି ରେଖା ନିଜର ୭୦ ତମ ଜନ୍ମଦିନ ପାଳନ କରୁଛନ୍ତି । ଆସନ୍ତୁ ଜାଣିବା ତାଙ୍କ ଜନ୍ମଦିନରେ ରେଖା ସହିତ ଜଡିତ କିଛି ମଜାଦାର ଜିନିଷ । ବଲିଉଡର ଲୋକପ୍ରିୟ ସୁନ୍ଦରୀ ଅଭିନେତ୍ରୀ ରେଖା ପ୍ରଫେସନାଲ ଲାଇଫ ଅପେକ୍ଷା ନିଜ ପର୍ସନାଲ ଲାଇଫକୁ ନେଇ ଅଧିକ ଚର୍ଚ୍ଚାରେ ରହିଥାନ୍ତି ।
ରେଖା ୧୦ ଅକ୍ଟୋବର ୧୯୫୪ ମସିହାରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ରେଖା ଜଣେ ଜଣାଶୁଣା ତାମିଲ ଅଭିନେତ୍ରୀ ରାମାସ୍ୱାମୀ ଗଣେଶନ୍ ଓ ପୁଷ୍ପାବଲ୍ଲୀଙ୍କ ଝିଅ ଥିଲେ । କୁହାଯାଏ ଯେବେ ରାମାସ୍ୱାମୀଙ୍କ ସହ ପୁଷ୍ପାବଳୀଙ୍କ ଆଫେୟାର ଆରମ୍ଭ ହେଲା ସେତେବେଳେ ରାମାସ୍ୱାମୀ ବିବାହିତ ଥିଲେ । ତେବେ ପୁଷ୍ପାବଳୀଙ୍କ ଠାରୁ ଜନ୍ମ ନେଇଥିବା ଝିଅ ଥିଲେ ରେଖା । ରେଖାଙ୍କ ପ୍ରକୃତ ନାମ ଭାନୁରେଖା ଗଣେଶନ୍ । ଯିଏ ଆଜି ପୁରା ଦୁନିଆରେ ରେଖା ନାମରେ ପରିଚିତ । ରେଖା ଜଣେ ଭାରତୀୟ ଅଭିନେତ୍ରୀ, ମୁଖ୍ୟତଃ ହିନ୍ଦୀ ଚଳଚ୍ଚିତ୍ରରେ ସେ ନିଜର ଚମତ୍କାର ଅଭିନୟ ପାଇଁ ବେଶ ଜଣାଶୁଣା ।
ମିଡିଆ ରିପୋର୍ଟ ଅନୁଯାୟୀ, ରେଖା ୧୮୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ଅନେକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ରେଖା ଅନେକ ଚଳଚ୍ଚିତ୍ରରେ ଦମଦାର ଚରିତ୍ରରେ ଅଭିନୟ କରିଛନ୍ତି । ରେଖା ତେଲୁଗୁ ଚଳଚ୍ଚିତ୍ର ଇଣ୍ଟି ଗୁଟୁ ଏବଂ ରଙ୍ଗୁଲା ରତ୍ନାମରେ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ମୁଖ୍ୟ ଭୂମିକାରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା କନ୍ନଡ ଫିଲ୍ମ ଅପରେସନ୍ ଜ୍ୟାକପଟ୍ ନଲ୍ଲୀ CID 999 । ସାୱନ ଭାଦୋ ଚରିତ୍ରରେ ରେଖା ବଲିଉଡରେ ପ୍ରଥମ ଫିଲ୍ମ ଡେବ୍ୟୁ କରିଥିଲେ । ଏହାପରେ ସେ କେବେ ପଛକୁ ଫେରିନଥିଲେ ।
କମେଡି ଚଳଚ୍ଚିତ୍ର ‘ଖୁବସୁରତ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ରେଖା ତାଙ୍କର ପ୍ରଥମ ଫିଲ୍ମଫେୟାର ପୁରସ୍କାର ଗ୍ରହଣ କରିଥିଲେ । ଏହା ପରେ ରେଖା ଅନେକ ଦମଦାର ଫିଲ୍ମ କରିଥିଲେ । ରେଖା ଅନେକ ମହିଳା କେନ୍ଦ୍ରିକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ଅଭିନୟ ବ୍ୟତୀତ ରେଖା ୨୦୧୨ ରୁ ୨୦୧୮ ପର୍ଯ୍ୟନ୍ତ ରାଜ୍ୟସଭା ପାଇଁ ସାଂସଦ ଭାବରେ କାର୍ଯ୍ୟ କରିଥିଲେ । ରେଖା ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି । ଆଜି ମଧ୍ୟ ରେଖା ଅନେକ ଯୁବ ଅଭିନେତ୍ରୀଙ୍କ ସହିତ ସୌନ୍ଦର୍ଯ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି । ସେ କିଛି ବର୍ଷ ଧରି ଚଳଚ୍ଚିତ୍ରଠାରୁ ଦୂରରେ ଥିଲେ ମଧ୍ୟ ରେଖା ଅନେକ ସମୟରେ ହେଡଲାଇନରେ ରହିଥା’ନ୍ତି ।