୪୬ ବର୍ଷରେ ପାଦ ଥାପିଲେ ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ବିଦ୍ୟା ବାଲାନ୍, ଆଜି ବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍
ନିଜ ଅଭିନୟର ଦକ୍ଷତା ଏବଂ ହଟକେ ଫିଲ୍ମ ଜରିଆରେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବନାଇପାରିଛନ୍ତି ଅଭିନେତ୍ରୀ ବିଦ୍ୟା ବାଲନ । ତାଙ୍କର ସୁନ୍ଦର ଅଭିନୟ ପ୍ରତ୍ୟକ ଚରିତ୍ରକୁ ଜୀବନ୍ତ କରିଦିଏ । ସବୁବେଳେ ସେ ନିଜ ଦମଦାର ଅନ୍ଦାଜ ପାଇଁ ଚର୍ଚ୍ଚାରେ ରୁହନ୍ତି । ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ବିଦ୍ୟା ବାଲାନ୍ ଆଜି ୪୬ ବର୍ଷ ବୟସରେ ପାଦ ଥାପିଛନ୍ତି । ଜନ୍ମଦିନରେ ତାଙ୍କୁ ଚାରିଆଡୁ ଛୁଟୁଛି ଅନେକ ଶୁଭେଛା ଓ ଅଭିନନ୍ଦନ । ୧୯୭୯ ଜାନୁୟାରୀ ୧ରେ ସେ ମୁମ୍ବାଇର ଚେମ୍ବୁରଠାରେ ଜନ୍ମଗ୍ରହଣ କରିଥିଲେ ।
ମୁମ୍ବାଇରେ ପାଠ ପଢ଼ା ସରିବା ପରେ ସେ ଅଭିନୟ ଦୁନିଆରେ ପାଦ ଦେଇଥିଲେ । ଟିଭି ସିରିଏଲ୍ ହମ୍ ପାଞ୍ଚ୍ରେ ତାଙ୍କର ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ଏହା ପରେ ଫିଲ୍ମ ‘ପରିନୀତା’ ଜରିଆରେ ସିନେଜଗତରେ ପାଦ ଥାପିଥିଲେ ଏହି ସୁନ୍ଦରୀ ଅଭିନେତ୍ରୀ । ୨୦୦୭ରେ ବିଦ୍ୟାଙ୍କ ଅଭିନୀତ ଫିଲ୍ମ ’ହେ ବେବି’ ତାଙ୍କ ଜୀବନରେ ଏକ ବଡ଼ ସଫଳତା ଆଣିଥିଲା । ଏହା ପରେ ୨୦୦୮ରେ କିସ୍ମତ୍ କେନେକ୍ସନ୍ରେ ବିଦ୍ୟାଙ୍କର ଅଭିନୟ ପାଇଁ ତାଙ୍କୁ କିଛି ନାକାରତ୍ମକ ମତ ମିଳିଥିଲେ ମଧ୍ୟ ତାଙ୍କୁ ସଫଳ କରିବାରେ ସାହାଯ୍ୟ କରିଥିଲା । ଫିଲ୍ମ ‘ଭୁଲ୍ ଭୁଲୈୟା’ ତାଙ୍କୁ ଦେଇଥିଲା ଏକ ସ୍ୱତନ୍ତ୍ର ପରିଚୟ ।
ଏହାପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ । କାହାଣୀ, ଡାର୍ଟି ପିକଚର, ଇଶିକିୟାଁ, ପା ଆଦି ଫିଲ୍ମରେ ବିଦ୍ୟା ବାଲାନ୍ ନିଜର ଅଭିନୟ ଦକ୍ଷତାର ପରିଚୟ ଦେଇଥିଲେ । ତେବେ ଡାର୍ଟି ପିକଚରର ନିଖୁଣ ଅଭିନୟ ତାଙ୍କ ପାଇଁ ଖ୍ୟାତି ଆଣି ଦେଇଥିଲା । ଏଥିରେ ସେ ସାଉଥ ଫିଲ୍ମ ଅଭିନେତ୍ରୀ ସିଲକ୍ ସ୍ମିତାଙ୍କ ଭୂମିକାରେ ଅଭିନୟ କରିଥିଲେ । ବିଦ୍ୟା ବାଲନ ପ୍ରାୟତଃ ମହିଳା କେନ୍ଦ୍ରୀୟ ଫିଲ୍ମରେ ନଜର ଆସନ୍ତି । ବିଦ୍ୟା ଏଭଳି ଫିଲ୍ମରେ ଅଭିନୟ କରିବା ସହ ମହିଳା ସଶକ୍ତିକରଣ ଏବଂ ମାନବାଧିକାର ଉପରେ ଗୁରୁତ୍ୱ ଦିଅନ୍ତି ଏବଂ ସେ ଏହିଭଳି ବିଭିନ୍ନ ବିଜ୍ଞାପନରେ ମଧ୍ୟ ଅଭିନୟ କରିଛନ୍ତି ।
ସବୁ ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରକୁ ଆପଣେଇ ସେ ଦର୍ଶକଙ୍କୁ ମନ ଜିତିପାରିଛନ୍ତି । କିନ୍ତୁ ଫିଲ୍ମ ‘ପରିନୀତା’ରେ ‘ଲଲୀତା’ ଭୂମିକାରେ ତାଙ୍କର ଅଭିନୟକୁ ଦର୍ଶକ ଆଜି ବି ମନେ ରଖିଛନ୍ତି । ବିଦ୍ୟା ତାଙ୍କର ଅଧିକ ଓଜନ ପାଇଁ ପ୍ରଥମରୁ ବିଭିନ୍ନ କଟାକ୍ଷର ଶିକାର ହୋଇଥିଲେ ମାତ୍ର ପରେ ସେ କାହାକୁ ଖାତିର ନ କରି ସେହିଭଳି ରହିବାରୁ ଅନେକ ପ୍ରଶଂସା ମଧ୍ୟ ସାଉଁଟିଥିଲେ । ବିଦ୍ୟା ତାଙ୍କର ଅଭିନୟ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହ ୫ଟି ଫିଲ୍ମଫେୟାର ଏବଂ ୫ଟି ସ୍କ୍ରିନ୍ ଆୱାର୍ଡ଼ ପାଇଛନ୍ତି । ୨୦୧୪ରେ ବିଦ୍ୟାଙ୍କୁ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା ।