ରିଲିଜ୍‌ ହେଲା ‘ବଣ୍ଟି ଔର୍‌ ବବ୍‌ଲି ୨’ର ଟ୍ରେଲର: ଏଥର ସିଦ୍ଧାନ୍ତ ଓ ଶରବୀର ହୋଇଛନ୍ତି ବଣ୍ଟି ଓ ବବ୍‌ଲି, ତ ଫିଲ୍ମରେ କ’ଣ କରୁଛନ୍ତି ସୈଫ୍‌ ଓ ରାଣୀ?

୨୦୦୫ରେ ଆସିଥିବା ଅଭିଷେକ ବଚ୍ଚନ ଓ ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ‘ବଣ୍ଟି ଔର୍‌ ବବ୍‌ଲି’ର ସ୍ୱିକ୍ୱେଲ ‘ବଣ୍ଟି ଔର୍‌ ବବ୍‌ଲି ୨’ ଖୁବ୍‌ଶୀଘ୍ର ଆପଣଙ୍କ ପରଦାକୁ ଆସିବାକୁ ଯାଉଛି। ଏବେ ଏହାର ଟ୍ରେଲରକୁ ରିଲିଜ୍‌ କରି ଦିଆଯାଇଛି। ଏଥର ଫିଲ୍ମରେ ଅନେକ କିଛି ପରିବର୍ତ୍ତନ କରାଯାଇଛି, ଯାହାକି ଟ୍ରେଲର ଦେଖିବା ପରେ ହିଁ ଜଣାପଡ଼ିଛି। ପ୍ରଥମ ଫିଲ୍ମରେ ଅଭିଷେକ ବଚ୍ଚନ ଓ ରାଣୀ ମୁଖାର୍ଜୀ ଜଣେ ଜଣଙ୍କର କ୍ରାଇମ୍‌ ପାର୍ଟନର ଥିଲେ। ଏବେ ସେହି କ୍ରାଇମ୍‌ ପାର୍ଟନର ପରସ୍ପରର ସାଥୀ ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ଖାସ୍‌ କଥା ହେଉଛି କି, ଏଥର ଫିଲ୍ମରେ ବଣ୍ଟି-ବବ୍‌ଲି ଟିମ୍‌ଅପ ପାଇଁ ସୈଫ୍‌ ଓ ରାଣୀ ନୁହନ୍ତି, ବରଂ ସିଦ୍ଧାନ୍ତ ଓ ଶରବରୀ ବାଘ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଅର୍ଥାତ୍‌ ଫିଲ୍ମରେ ବଣ୍ଟି ଓ ବବ୍‌ଲି ଭୂମିକାରେ ନଜର ଆସିବେ ସିଦ୍ଧାନ୍ତ ଓ ଶରବରୀ। ଏମିତିରେ ପ୍ରଶ୍ନ ଉଠୁଛି କି, ତା’ହେଲେ ଫିଲ୍ମରେ ସୈଫ୍‌ ଓ ରାଣୀ କ’ଣ କରିବେ?

କ’ଣ ରହିଛି ଟ୍ରେଲରରେ: ‘ବଣ୍ଟି ଔର୍‌ ବବ୍‌ଲି ୨’ ଟ୍ରେଲରରେ ଦେଖିବାକୁ ମିଳୁଛି କି, ପୁରୁଣା ‘ବଣ୍ଟି ଓ ବବ୍‌ଲି’ ସୈଫ୍‌ ଓ ରାଣୀ ନିଜ ବୈବାହିକ ଜୀବନକୁ ହସଖୁସିରେ କାଟୁଛନ୍ତି। ଏହାରି ଭିତରେ ଏକ ଖବର ସେମାନଙ୍କ ହୋସ୍‌ ଉଡ଼ାଇ ଦେଉଛି। ଦେଖୁ ଦେଖୁ ଖବରରେ ବଣ୍ଟି ଓ ବବ୍‌ଲି ଛାଇ ଯାଇଛନ୍ତି। ଏହା ଜାଣି ସୈଫ୍‌ ଓ ରାଣୀ ବହୁତ ଆଶ୍ଚର୍ଯ୍ୟଚକିତ ହୋଇ ଯାଉଛନ୍ତି କି, ଆମେ ତ ଏଠି ଅଛୁ, ତା’ହେଲେ ବଣ୍ଟି ଓ ବବ୍‌ଲି ହୋଇ ଚୋରି କିଏ କରୁଛି? ଅସଲି ବଣ୍ଟି ଓ ବବ୍‌ଲିଙ୍କୁ ଏହି କଥା ସହଜରେ ଗ୍ରହଣ ହେଉ ନାହିଁ।

କାହାଣୀରେ ଟ୍ଵିଷ୍ଟ୍‍ ସେତେବେଳେ ଆସୁଛି, ଯେତେବେଳେ ପୋଲିସ ବର୍ଦ୍ଦିରେ ପଙ୍କଜ ତ୍ରିପାଠୀ ଏଣ୍ଟ୍ରି ମାରୁଛନ୍ତି। ପୁରୁଣା ‘ବଣ୍ଟି ଔର୍‌ ବବ୍‌ଲି’ରେ ଏହି ଚରିତ୍ରକୁ ଅମିତାଭ ବଚ୍ଚନ ନିଭାଇଥିଲେ। ଏଥର ପଙ୍କଜ ତ୍ରିପାଠୀ ନଜର ଆସୁଛନ୍ତି। ପୋଲିସ ଅଧିକାରୀ ହୋଇ ଯେତେବେଳେ ସେ ଏହି ଖବର ବିଷୟରେ ଶୁଣୁଛନ୍ତି, ତ ପୁରୁଣା ବଣ୍ଟି ଓ ବବ୍‌ଲିଙ୍କ ପାଖରେ ଯାଇ ପହଞ୍ଚି ଯାଉଛନ୍ତି। ଏହି କଥାକୁ ନେଇ ପୁରୁଣା ବଣ୍ଟି ଓ ବବ୍‌ଲି ଚିନ୍ତିତ ହୋଇପଡ଼ୁଛନ୍ତି। କିନ୍ତୁ ପଙ୍କଜ ତ୍ରିପାଠୀ ଦୁଇଜଣଙ୍କ କଥାକୁ ମିଥ୍ୟା ବୋଲି ଭାବୁଛନ୍ତି ଏବଂ ଥାନାରେ ପୂରାଇ ଦେବା କଥା କହୁଛନ୍ତି। ଏମିତିରେ ସୈଫ୍‌ ଓ ରାଣୀ ଶପଥ କରି କହୁଛନ୍ତି ଯେ ଏହି ନକଲି ବଣ୍ଟି ଓ ବବ୍‌ଲିଙ୍କୁ ସେମାନେ କେଉଁଠାରୁ ବି ଖୋଜି ବାହାର କରି ଦେବେ। ଏହାପରେ ସେମାନେ ନକଲି ବଣ୍ଟି ଓ ବବ୍‌ଲିଙ୍କୁ ଖୋଜିବାରେ ବାହାରି ପଡ଼ୁଛନ୍ତି। ତେବେ ଅସଲି ବଣ୍ଟି ଓ ବବ୍‌ଲି କ’ଣ ନକଲି ବଣ୍ଟି ଓ ବବ୍‌ଲି ଖୋଜିବାରେ ସଫଳ ହୋଇପାରିବେ, ଏହା ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ରହିବ।

video courtesy: YRF

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.