ଯୋଗୀ ଆଦିତ୍ୟନାଥଙ୍କ ବାୟୋପିକ୍, ମୁଖ୍ୟ ଭୂମିକାରେ ନଜର ଆସିଲେ ଅନନ୍ତ ଯୋଶୀ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାୟୋପିକର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ଫିଲ୍ମର ନାମ ‘ଅଜେୟ: ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍ ଯୋଗୀ ’ ରଖାଯାଇଛି । ଫିଲ୍ମର ପ୍ରଥମ ଝଲକ ପୋଷ୍ଟରରୁ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ଯୋଗୀ ଭୂମିକାରେ ଅନନ୍ତ ଯୋଶୀ ନଜର ଆସିବେ । ଏହି ଫିଲ୍ମରେ ଯୋଗୀ ଆଦିତ୍ୟନାଥଙ୍କର କେବଳ ଜୀବନୀ ନୁହେଁ ବରଂ ତାଙ୍କର ବେଶଭୂଷା ଶୈଳୀକୁ ମଧ୍ୟ ଦେଖାଇବାକୁ ଚେଷ୍ଟା କରାଯାଇଛି । ଆଦିତ୍ୟନାଥଙ୍କ ଜୀବନଶୈଳୀ, ଆଧ୍ୟାତ୍ମିକ ଏବଂ ରାଜନୀତି କ୍ଷେତ୍ରର ସମସ୍ତ ଯାତ୍ରାକୁ ଦୃଷ୍ଟିରେ ରଖି ଫିଲ୍ମଟିକୁ ନିର୍ମାଣ କରାଯାଇଛି ।
ପ୍ରଡ୍ୟୁସର ଋତୁ ମେଙ୍ଗୀ ହୋଇଥିବା ବେଳେ ରବିନ୍ଦ୍ର ଗୌତମ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମଟି ସମ୍ରାଟ ସିନେମାଟିକ୍ସ ଦ୍ବାରା ପ୍ରସ୍ତୁତ କରାଯାଇଛି । ଏହି ଫିଲ୍ମରେ ଯୋଗୀ ଆଦିତ୍ୟନାଥଙ୍କ ରାଜନୀତିରେ ନିଷ୍ପତ୍ତି, ତ୍ୟାଗ, ଭଗବାନଙ୍କ ପ୍ରତି ତାଙ୍କ ଭକ୍ତି ଦେଖିବାକୁ ମିଳିବ । ମୁଖ୍ୟ ଭୂମିକାରେ ଅନନ୍ତ ଯୋଶୀଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିବ । ଏଥିରେ ଅନନ୍ତ ଯୋଶୀଙ୍କ ବ୍ୟତୀତ ଭୋଜପୁରୀ ଆକ୍ଟର ଦିନେଶ ଲାଲ ଯାଦବ, ପବନ ମହ୍ଲୋତ୍ରା, ଅଜୟ ମେଙ୍ଗୀ ସମେତ ଅନ୍ୟାନ୍ୟ କଳାକାରମାନେ ନଜରରେ ଆସିବେ । ଏହି ଫିଲ୍ମଟିକୁ ସ୍ବତନ୍ତ୍ର ୱେବ୍ ସିରିଜ ‘ମାମଲା ଲିଗାଲ ହୈ’ରେ ଦେଖାଯିବ ।
ଫିଲ୍ମର ନିର୍ଦ୍ଦେଶକ ଏକ ସାକ୍ଷାତକାରରେ କହିଛନ୍ତି, ଏହା ଯୁବ ସମାଜ ପାଇଁ ଆଦର୍ଶ ହୋଇପାରିବ । ଏହି ଫିଲ୍ମଟି ଗୋଟିଏ ମିଡିଲ କ୍ଲାସ ଘରର ସଂଘର୍ଷମୟ ଜୀବନ ଉପରେ ଆଧାରିତ । କିପରି ଗୋଟେ ସାଧାରଣ ଘରର ପିଲା ଦୃଢ ସଂକଳ୍ପ ଏବଂ ଆତ୍ମବିଶ୍ବାସ ବଳରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରେ ତାହା ଏହି ଫିଲ୍ମରେ ଦେଖିବାକୁ ମିଳିବ । ଏହି ଫିଲ୍ମଟି ଅନ୍ୟାନ୍ୟ ଭାଷାରେ ରିଲିଜ କରାଯିବାର ଯୋଜନା ମଧ୍ୟ କରାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଫିଲ୍ମର ରିଲିଜ ତାରିଖ ଘୋଷଣା କରାଯାଇନାହିଁ ।
Also Read : ଦୁର୍ଘଟଣାର ଶିକାର ହେଲେ ବିଶ୍ବ ସୁନ୍ଦରୀ, ଅଳ୍ପକେ ବର୍ତ୍ତିଗଲା ଐଶ୍ବର୍ଯ୍ୟାଙ୍କ ଜୀବନ