କମେଡି କ୍ୱିନ୍ ଭାରତୀ ସିଂହ । ଯାହାଙ୍କ ନାଁ ହିଁ ତାଙ୍କର ପରିଚୟ । ସବୁବେଳେ ଦର୍ଶକଙ୍କୁ ହସାଉଥିବା ଭାରତୀ ସିଂ ଆଜି ତାଙ୍କର ୪୦ ତମ ଜନ୍ମଦିନ ପାଳନ କରୁଛନ୍ତି । ଆଜି ଅର୍ଥାତ୍ ୩ ଜୁଲାଇ ୧୯୮୪ରେ ଭାରତୀ ଜନ୍ମଗ୍ରହଣ କରିଥିଲେ । ତାଙ୍କର ମଜାଳିଆ ଅନ୍ଦାଜ ଯୋଗୁଁ ଆଜି ସେ ପ୍ରତ୍ୟେକ ଘରେ ଖୁବ ଫେମସ । ଶୋ ‘ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫଟର୍ ଚ୍ୟାଲେଞ୍ଜ’ ସହିତ ଛୋଟ ପରଦାରେ ନିଜର କମେଡି ଯାତ୍ରା ଆରମ୍ଭ କରିଥିବା ଭାରତୀ ନିଜର ‘ଲଲ୍ଲି’ର ଚରିତ୍ର ହେତୁ ବେଶ୍ ଫେମସ ହୋଇଥିଲେ ।
ଏହି ଶୋ’ରେ ହିଟ୍ ହେବା ପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ । ଏହା ପରେ ସେ ‘କମେଡି ସର୍କସ ୩ କା ତଡକା’ ଏବଂ ‘କମେଡି କା ମହାସଂଗ୍ରାମ’ ଭଳି ଶୋ ସହିତ ଲୋକଙ୍କୁ ବହୁତ ହସାଇଛନ୍ତି । ତେବେ ଏହି ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ସେ ତାଙ୍କ ଜୀବନରେ ଅନେକ ସଂଘର୍ଷ ଦେଖିଛନ୍ତି । ଭାରତୀଙ୍କ ପିଲାଦିନ ସଂଘର୍ଷରେ ପରିପୂର୍ଣ୍ଣ ଥିଲା । ତେବେ ଆଜି ଭାରତୀଙ୍କ ଜନ୍ମଦିନର ବିଶେଷ ଉତ୍ସବରେ ତାଙ୍କ ଜୀବନ ସହିତ ଜଡିତ କିଛି କାହାଣୀ ଜାଣିବା ।
ଭାରତୀ ସିଂ ତାଙ୍କ ପିଲାଦିନରେ ବହୁତ ଦାରିଦ୍ର ଏବଂ ଯନ୍ତ୍ରଣା ଭୋଗିଛନ୍ତି । ଏକ ସାକ୍ଷାତକାରରେ ଭାରତୀ ସିଂ ନିଜେ ଏହା ପ୍ରକାଶ କରିଛନ୍ତି । ପିଲାଦିନର ସଂଘର୍ଷର ଦିନଗୁଡ଼ିକୁ ମନେ ପକାଇ ସେ କହିଥିଲେ ଯେ ‘ଦୁଇ ବର୍ଷ ବୟସରେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହା ପରେ, ତାଙ୍କ ମା ଘର ସଫା, ଝାଡୁ ପୋଛା କାମ କରି ସେମାନଙ୍କୁ ବଢାଇଥିଲେ । କେବଳ ଏତିକି ନୁହେଁ, କମେଡି କ୍ବିନ୍ ଭାରତୀ ସିଂ ପ୍ରକାଶ କରିଛନ୍ତି ଯେ ତାଙ୍କୁ ଅନେକ ଥର ଖାଲି ପେଟରେ ମଧ୍ୟ ଶୋଇବାକୁ ପଡିଛି ।
ଦାରିଦ୍ରତା କାରଣରୁ ଭାରତୀ କଲେଜ ଅଧ୍ୟୟନ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ତେବେ ଘରେ ଥିବା ପରିସ୍ଥିତିକୁ ଦେଖି ଭାରତୀ ତାଙ୍କ ମନରେ ନିଷ୍ପତ୍ତି ନେଇଥିଲେ ଯେ ତାଙ୍କୁ ହିଁ କିଛି କରିବାକୁ ହେବ। ଏହି ମନୋଭାବାନା ସହିତ ସେ ଘରୁ ବାହାରି ପଞ୍ଜାବରୁ ମୁମ୍ବାଇ ଆସିଥିଲେ । ଏହା ପରେ ଭାରତୀ କମେଡି କରିବା ଆରମ୍ଭ କଲେ । ଭାରତୀ ଅଧିକ ମୋଟା ହୋଇଥିବାରୁ ପ୍ରଥମେ ଲୋକମାନେ ତାଙ୍କୁ ପରିହାସ କରୁଥିଲେ ।
କିନ୍ତୁ ଭାରତୀ ସିଂ ନିଜେ କହିଛନ୍ତି ଯେ ତାଙ୍କର ଏହି ଶରୀର କାରଣରୁ ହିଁ ସେ ନିଜର ପରିଚୟ ସୃଷ୍ଟି କରି ସଫଳତାର ସିଡ଼ି ଚଢିବାକୁ ଲାଗିଲେ ଏବଂ ଫଳାଫଳ ଆଜି ଆପଣ ସମସ୍ତଙ୍କ ସାମ୍ନାରେ ଅଛି । ଆଜି ଲୋକମାନେ ଭାରତୀଙ୍କୁ ଟିଭିର କମେଡି କ୍ବିନ୍ ବୋଲି ଡାକନ୍ତି । ଲୋକଙ୍କୁ ହସାଇ ଭାରତୀ ଆଜି କୋଟି କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି ।