ଖୋଲିଲା “ସୂର୍ଯ୍ୟବଂଶମ” ଫିଲ୍ମ ଅଭିନେତ୍ରୀଙ୍କ ମୃତ୍ୟୁ ରହସ୍ୟ, ସାଉଥ୍ ଆକ୍ଟର୍ ମୋହନଙ୍କ ନାଁରେ ସଙ୍ଗୀନ ଅଭିଯୋଗ

କନ୍ନଡର ଚର୍ଚ୍ଚିତ ଅଭିନେତ୍ରୀ ସୌନ୍ଦର୍ଯ୍ୟା ୧୭ ଏପ୍ରିଲ୍ ୨୦୦୪ ପ୍ଲେନ୍ କ୍ରାସରେ ପ୍ରାଣ ହରାଇଥିଲେ । ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ “ସୂର୍ଯ୍ୟବଂଶମ” ଫିଲ୍ମରେ ସୌନ୍ଦର୍ଯ୍ୟାଙ୍କୁ ରାଧା ଚରିତ୍ରରେ ଦେଖିବାକୁ ମିଳିଥିଲା । ସେହି ଫିଲ୍ମ ପାଇଁ ତାଙ୍କର ଗୋଟିଏ ନୂଆ ପରିଚୟ ସୃଷ୍ଟି ହୋଇପାରିଥିଲା । କିନ୍ତୁ ଭାଗ୍ୟ ବେଶି ଦିନ ସାଥ୍ ଦେଇନଥିଲା । ମାତ୍ର ୩୧ ବର୍ଷ ବୟସରେ ଅକାଳ ବିୟୋଗର ଶୀକାର ହୋଇଥିଲେ ସୌନ୍ଦର୍ଯ୍ୟା । ତେବେ ଅଭିନେତ୍ରୀଙ୍କ ମୃତ୍ୟୁର ଦୀର୍ଘ ୨୨ବର୍ଷ ପରେ ସାଉଥ୍ ଆକ୍ଟର୍ ମୋହନ ବାବୁଙ୍କ ନାଁରେ ହତ୍ୟା ଅଭିଯୋଗ ଆସିଛି ।

ଏକ ରିପୋର୍ଟ ଅନୁଯାୟୀ କୁହାଯାଉଛି ଯେ, ଅଭିନେତ୍ରୀଙ୍କ ମୃତ୍ୟୁ ପଛରେ କିଛି ରହସ୍ୟ ଲୁଚିରହିଛି । ଅଭିନେତ୍ରୀଙ୍କ ମୃତ୍ୟୁ କେବଳ ଦୁର୍ଘଟଣା ନୁହେଁ ବରଂ ହତ୍ୟା ବୋଲି ଶୁଣିବାକୁ ମିଳୁଛି । ହତ୍ୟା ପଛରେ ମୋହନ ବାବୁଙ୍କ ହାତ ରହିଛି ବୋଲି ଏକ ରିପୋର୍ଟରୁ ସୂଚନା ମିଳୁଛି । ଆନ୍ଧ୍ରପ୍ରଦେଶରେ ତାଙ୍କ ବିରୁଦ୍ଧରେ ଅଭିଯୋଗ ମଧ୍ୟ କରାଯାଇଛି ।ସମ୍ପତ୍ତି ପାଇଁ ହତ୍ୟା କରାଯାଇଛି ବୋଲି ସୂଚନା ମିଳିଛି ।

ଅଭିଯୋଗକାରୀ ଦାବି କରି କହିଛନ୍ତି, ଜଲପଲ୍ଲୀ ଗାଁରେ ଥିବା ୬ ଏକର ଜମିକୁ କିଣିବାକୁ ଚାହିୁଁଥିଲେ ଅଭିନେତା । କିନ୍ତୁ ସେ ଜମି ବିକ୍ରି ପାଇଁ ଅଭିନେତ୍ରୀ ସୌନ୍ଦର୍ଯ୍ୟା ଏବଂ ତାଙ୍କ ଭାଇ ଅମରନାଥ ମନା କରିଦେଇଥିଲେ । ଯାହାଫଳରେ ତାଙ୍କ ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରିନଥିଲେ ମୋହନ ବାବୁ । ଯାହା ପରେ ସୌନ୍ଦର୍ଯ୍ୟାଙ୍କର ପ୍ଲେନ୍ କ୍ରାସ୍ ହୋଇଥିଲା । ତେବେ ଏହା ଏକ ଷଡଯନ୍ତ୍ର ବୋଲି କୁହାଯାଉଛି । ୬ ଏକର ଜମି ପାଇଁ ତାଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଘଟାଇଛନ୍ତି ବୋଲି ଜାଣିବାକୁ ମିଳିଛି । ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ପରେ ମୋହନ ତାଙ୍କର ସେହି ଜମିକୁ ହାତେଇନେଇଛନ୍ତି ବୋଲି କୌଣସି ପକ୍ଷରୁ ସୂଚନା ମିଳିଛି । ଯାହାର ପ୍ରମାଣକୁ ଦୃଷ୍ଟିରେ ରଖି ତାଙ୍କ ବିରୁଦ୍ଧରେ ଅଭିଯୋଗ ଜାରି କରାଯାଇଛି ।

ସୌନ୍ଦର୍ଯ୍ୟା କନ୍ନଡର ଏକ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପରିଗଣିତ । ଅନେକ ରିପୋର୍ଟ ଅନୁଯାୟୀ, ଭାରତୀୟ ଜନତା ପାର୍ଟି ଏବଂ ତେଲଗୁ ଦେଶମ ପାର୍ଟିର ଏକ ରାଜନୈତିକ ପ୍ରଚାରରେ ଯାଉଥିବା ସମୟରେ ତାଙ୍କର ଏପରି ଦୁର୍ଘଟଣା ହୋଇଥିଲା । କରିମନଗରରେ ରାଜନୈତିକ ପ୍ରଚାର ଅନୁଷ୍ଠିତ ହେଉଥିଲା । ଦୁର୍ଘଟଣାଗ୍ରସ୍ତ ସମୟରେ ସେ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଥିଲା । ପ୍ଲେନ୍ କ୍ରାସ୍ ସମୟରେ ସୌନ୍ଦର୍ଯ୍ୟାଙ୍କ ସହ ତାଙ୍କ ଭାଇ ମଧ୍ୟ ଥିଲେ । ଯଦ୍ବାରା ଘଟଣାସ୍ଥଳରେ ତାଙ୍କ ଭାଇଙ୍କର ମଧ୍ୟ ପ୍ରାଣ ଚାଲିଯାଇଥିଲା ।

Also Read: କ୍ରିକେଟର ହେବା ପାଇଁ ଦେଖିଥିଲେ ସ୍ବପ୍ନ, କିନ୍ତୁ ହୋଇଗଲେ ଗାୟକ